April 28, 2026

ଓକିଲଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୧୪ ଦିନ ପରେ ବି ପୋଲିସ ହାତ ଖାଲି , ଥାନା ସମ୍ମୁଖରେ ଓକିଲଙ୍କ ଧାରଣା 

IMG-20241007-WA0040
Share

 

ବୁଗୁଡା : ତା ୦୭/୧୦/୨୪ : ସ୍ପଷ୍ଟ ଦିବାଲୋକରେ ରାସ୍ତା ମଝିରେ ବାଇକ୍ ଅଟକାଇ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ୧୪ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଅଦ୍ୟାବଧି ପୋଲିସ ଗିରଫ କରିନପାରି ଖାଲି ହାତରେ ବସିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଜି ଓକିଲ ସଂଘ ପକ୍ଷରୁ ଥାନା ସମ୍ମୁଖରେ ଧାରଣାରେ ବସିବା ଯୋଗୁଁ ପରିସ୍ଥିତି ସରଗରମ ହୋଇଛି। ପ୍ରକାଶ ଥାଉ କି, ଗତ ସେପ୍ଟେମ୍ବର ୨୪ ତାରିଖ ସକାଳ ସାଢେ ଦଶଟା ସମୟରେ ଆଶିଷ ତାଙ୍କ ସ୍ତ୍ରୀଙ୍କୁ ନାଗିରି ଅଙ୍ଗନଓ୍ବାଡି କେନ୍ଦ୍ରରେ ଛାଡି ମୋଟାବାଡିକୁ ଫେରୁଥିବା ବେଳେ ପୂର୍ବରୁ ଏକ ବାଇକରେ ଆସି ବାଟରେ ଛକିଥିବା ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବେ ଲୁହାରଡରେ ଆକ୍ରମଣ କରିବା ସହ ମୋବାଇଲ୍ , ପର୍ସ ଓ ବାଇକ୍ ଡିକିରେ ଥିବା ଦରକାରୀ କାଗଜପତ୍ର ଲୁଟି ନେଇଥିଲେ । ଆକ୍ରମଣରେ ତାଙ୍କର ବାମ ହାତ ଭାଙ୍ଗିଥିବା ସହ ଅଣ୍ଟାରେ ପ୍ରବଣ ଗଭୀର ଆଘାତ ଲାଗିଥିଲା । ଏ ନେଇ ଓକିଲ ସଙ୍ଘ ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ କେସ ନଂ ୪୪୬ /୨୪ ଦଫା ୩୦୯ (୨)ରେ ଏକ ମାମଲା ରୁଜୁ କରିଥିଲା l ଗତ ୨୯ ତାରିଖରେ ଓକିଲ ସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ୭ ଦିନ ଭିତରେ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ଆନ୍ଦୋଳନ ଚେତାବନୀ ଦେଇଥିଲେ l ତେବେ ଏ ଘଟଣାରେ ପୋଲିସ ଆଜି ପର୍ଯ୍ୟନ୍ତ କାହାରିକୁ ଗିରଫ କରି ନଥିବାରୁ ଓକିଲ ସଙ୍ଘ ସଭାପତି ବନବାସୀ ମହାରଣା,ସମ୍ପାଦକ ଦୁର୍ଗା ମାଧବ ପଣ୍ଡା, ସହ ସମ୍ପାଦକ ସିମାଞ୍ଚଳ ନନ୍ଦ, କୋଷାଧକ୍ଷ କାହ୍ନୁ ଚରଣ ସାହୁ, ପ୍ରାକ୍ତନ ସଭାପତି ହର ପ୍ରସାଦ ଦାଶଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ଏ ନେଇ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିକୁ ପଚାରିବାରେ ସେ କହିଛନ୍ତି ଯେ ସନ୍ଧେହ ଘେରରେ ଥିବା କିଛି ବ୍ୟକ୍ତିଙ୍କୁ ପଚରା ଉଚରା ସହ ସେମାନଙ୍କ ସିଡିଆର ମଗା ଯାଇଛି ଏବଂ ରିପୋର୍ଟ ଆସିଲେ ସେ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l