September 20, 2026

ନୂଆଁଖାଇ ହୃଦୟ ଯୋଡ଼ିବାର ପର୍ବ ଜୁହାର ପରିବାର ନୂଆଁଖାଇ ଭେଟଘାଟରେ ସଂସ୍କୃତି, ସମ୍ମାନ ଓ ସଂସ୍କୃତିର ମହାମିଳନ

IMG-20260920-WA0075
Share

ସମ୍ବଲପୁର, ତା. ୨୦/୯ : ନୂଆଁଖାଇ କେବଳ ନୂଆ ଧାନ ଖାଇବାର ପରମ୍ପରା ନୁହେଁ, ଏହା ପଶ୍ଚିମ ଓଡ଼ିଶାର ମାଟି, କୃଷି, ଲୋକସଂସ୍କୃତି, ପରିବାର ଓ ଭାଇଚାରାକୁ ଏକ ସୂତ୍ରରେ ବାନ୍ଧି ରଖିଥିବା ଏକ ମହାନ ଲୋକପର୍ବ। ପରସ୍ପରକୁ ‘ଜୁହାର’ ଜଣାଇ ଆଶୀର୍ବାଦ ନେବା, ବଡ଼ଙ୍କ ପ୍ରତି ସମ୍ମାନ ଓ ସାନଙ୍କ ପ୍ରତି ସ୍ନେହ ପ୍ରକାଶ କରିବା ଏହି ପର୍ବର ମୌଳିକ ପରମ୍ପରା। ତେଣୁ ନୂଆଁଖାଇ ହୃଦୟ ଯୋଡ଼ିବା ସହ ସମାଜରେ ଏକତା, ସମ୍ପ୍ରୀତି ଓ ଭାଇଚାରାର ବାର୍ତ୍ତା ଦେଇଥାଏ।

 

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଜୁହାର ପରିବାର, ସମ୍ବଲପୁର ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ ଅବସରରେ ଅତିଥିମାନେ ଏଭଳି ମତ ପ୍ରକାଶ କରିଥିଲେ। ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାଂସ୍କୃତିକ ସମାବେଶରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଏବଂ ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ଅତିଥି ଭାବେ ଯୋଗଦେଇଥିଲେ।

 

ସଭା ଆରମ୍ଭରେ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯାଇ ମାଟି ଓ ମା’ଙ୍କ ପ୍ରତି ଶ୍ରଦ୍ଧା ଅର୍ପଣ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ସତ୍ୟ ନାରାୟଣ ଠାକୁର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଅତିଥି ପରିଚୟ କରାଇଥିଲେ।

 

ପ୍ରତିଭାଙ୍କୁ ସମ୍ମାନ, ସଂସ୍କୃତିକୁ ସମ୍ମାନ

 

ନୂଆଁଖାଇ ଭେଟଘାଟର ଅନ୍ୟତମ ଆକର୍ଷଣ ଥିଲା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସାଧନା କରିଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବା। ସମ୍ବଲପୁରୀ ନୃତ୍ୟର ବିକାଶ ଓ ପ୍ରସାର କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ରଣଜିତ ନାଗଙ୍କୁ ଜୁହାର ସମ୍ମାନ ପ୍ରଦାନ କରାଯାଇଥିଲା।ସେହିପରି ଚିକିତ୍ସା କ୍ଷେତ୍ରରେ ସେବା ପାଇଁ ଡା. ରମାବଲ୍ଲଭ ମିଶ୍ରଙ୍କୁ ଡା. ଜନାର୍ଦ୍ଦନ ପୂଜାରୀ ସେବା ସମ୍ମାନ, ଶିକ୍ଷା ଓ କୃଷିର ବିକାଶରେ ଅବଦାନ ପାଇଁ ଡା. ସୁଶାନ୍ତ କୁମାର ଦାଶଙ୍କୁ ବ୍ରଜମୋହନ ପଣ୍ଡା କୃଷି ଓ ଶିକ୍ଷା ସମ୍ମାନ, ବିଶିଷ୍ଟ ବୟନଶିଳ୍ପୀ କ୍ଷେତ୍ରମୋହନ ମେହେରଙ୍କୁ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ବୟନକଳା ସମ୍ମାନ, ନାଟକ କ୍ଷେତ୍ରରେ ଅବଦାନ ପାଇଁ ମନୋରଞ୍ଜନ ସାହୁଙ୍କୁ ଅଟଳବିହାରୀ ପଣ୍ଡା ନାଟ୍ୟ ସମ୍ମାନ, ବିଶିଷ୍ଟ ଗୀତିକାର ଭୋଜରାଜ ପାରୁଆଙ୍କୁ ଲୋକଜନନୀ ପଣ୍ଡା ଗୀତିକବି ସମ୍ମାନ ଏବଂ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ସମ୍ବଳ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ କଲ୍ୟାଣ ପୁରୋହିତ ଯୁବ ସମାଜସେବୀ ସମ୍ମାନ ପ୍ରଦାନ କରାଯାଇଥିଲା।ବିଭିନ୍ନ ସମ୍ମାନର ମାନପତ୍ର ପାଠ କରିଥିଲେ ଡା. ଅକ୍ଷୟ ପଣ୍ଡା, ଜେ. ଗିରିଜା ଦେବୀ, ଝୁନୁ ତ୍ରିପାଠୀ, ପିଙ୍କି ପ୍ରଧାନ, ପଙ୍କଜିନୀ ମେହେର ଓ ଯାମିନୀ ଠାକୁର ପ୍ରମୁଖ।

 

ମଞ୍ଚରେ ଝଲସିଲା ସମ୍ବଲପୁରୀ ସଂସ୍କୃତି

 

ଭେଟଘାଟ ଅବସରରେ ଆୟୋଜିତ ମନୋଜ୍ଞ ସାଂସ୍କୃତିକ ସନ୍ଧ୍ୟାରେ ସମ୍ବଲପୁରୀ ଲୋକକଳା ଓ ପରମ୍ପରାର ବିଭିନ୍ନ ରୂପ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ବିଶିଷ୍ଟ ଗାୟିକା ଗୀତାଞ୍ଜଳି ପୋଢ଼ ସଙ୍ଗୀତ ପରିବେଷଣ କରିଥିବା ବେଳେ ଅଭିନେତା ଶୁଭମ ମେହେର ଏକକ ଅଭିନୟ ପରିବେଷଣ କରିଥିଲେ।ସଂସ୍କୃତିକା ପୁରୋହିତ ଓ ପୀୟୂଷ ଠାକୁରଙ୍କ ସଂଯୋଜନାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସିଦ୍ଧେଶ୍ୱରବେର୍ଣ୍ଣା, ଦୟାନନ୍ଦ ପବ୍ଲିକ ସ୍କୁଲ, ଉଡାନ, ଫେସ୍ ଟୁ ଫେସ୍, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଜାଗୃତି କଳାକେନ୍ଦ୍ର, ଶୋଭନୀୟ ଶିକ୍ଷାଶ୍ରମ, ନଟରାଜ ଡାନ୍ସ ଗ୍ରୁପ୍, ସାନିକା ଏକାଡେମୀ, ସମ୍ବଲପୁର କଳା ପରିଷଦ ପ୍ରମୁଖ ଅନୁଷ୍ଠାନର କଳାକାରମାନେ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ। ପରିଣୀତି ଧରଙ୍କ ନୃତ୍ୟ ମଧ୍ୟ ଦର୍ଶକଙ୍କ ବିଶେଷ ଆକର୍ଷଣ ସାଜିଥିଲା।

 

ଚିତ୍ରରେ ଚିତ୍ରରେ ଉଜ୍ଜୀବିତ ହେଲା ଆମ ସଂସ୍କୃତି

 

ନୂଆଁଖାଇ ଭେଟଘାଟରେ ଚିତ୍ରକଳା ମାଧ୍ୟମରେ ସମ୍ବଲପୁରୀ ସଂସ୍କୃତି ଓ ଲୋକଜୀବନକୁ ପ୍ରତିଫଳିତ କରିବାର ଏକ ଅଭିନବ ପ୍ରୟାସ ମଧ୍ୟ କରାଯାଇଥିଲା। ଚିତ୍ରଶିଳ୍ପୀ ବନ୍ଦନା ପଣ୍ଡାଙ୍କ ନେତୃତ୍ୱରେ ବୃନ୍ଦାବନ ମହାରଣା, ସ୍ୱରୂପ, ସୁର ରାଉତ, ବିଦ୍ୟାପତି ପ୍ରଧାନ, ସନ୍ତୋଷ ପଟ୍ଟନାୟକ, ସମୀର ମହାରଣା, ସଂସ୍କୃତିକା ପୁରୋହିତ, ମାହି ଯାଦବ, ମଧୁ ପଣ୍ଡିତ ପ୍ରମୁଖ ୧୦ ଜଣ ଚିତ୍ରଶିଳ୍ପୀ ଆମ ଲୋକସଂସ୍କୃତି ଓ ପରମ୍ପରାକୁ ଆଧାର କରି ଚିତ୍ର ଅଙ୍କନ କରିଥିଲେ। ସେମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଜୁହାର ପରିବାର, ଅନୁଗୁଳର କର୍ମକର୍ତ୍ତାଙ୍କ ସମେତ ଦିଲ୍ଲୀ ପ୍ରସାର ଭାରତୀର ତଥ୍ୟ ଓ ପରିକ୍ରମା ବିଭାଗ ଅଧିକାରୀ ଦିଲୀପ ସମାନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।ନୂଆଁଖାଇର ନବାନ୍ନରୁ ଆରମ୍ଭ କରି ‘ଜୁହାର’ର ଆତ୍ମୀୟତା ପର୍ଯ୍ୟନ୍ତ ଏହି ଭେଟଘାଟ ଉତ୍ସବରେ ସମ୍ବଲପୁରୀ ମାଟିର ଗନ୍ଧ, ଲୋକକଳାର ସ୍ପନ୍ଦନ ଓ ଭାଇଚାରାର ଭାବନା ଏକାକାର ହୋଇଥିଲା। ଏପରି ଆୟୋଜନ ଆମ ଲୋକପରମ୍ପରାକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ସହ ସଂସ୍କୃତିର ସୁରକ୍ଷା ଓ ପ୍ରସାରରେ ଏକ ସୁନ୍ଦର ସେତୁ ଭାବେ କାର୍ଯ୍ୟ କରିବ ବୋଲି ମତ ପ୍ରକାଶ ପାଇଥିଲା।