September 20, 2026

ଗୋଡ଼ଭଗାରେ ନାାଗରିକ କମିିଟି ତରଫରୁ ୨୦ତମ ନୂଆଁଖାଇ ଭେଟ୍‌ଘାଟ

IMG-20260920-WA0074
Share

 

 

ବରଗଡ,ତା ୨୦/୯

 

 

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଗୋଡ଼ଭଗା ନାଗରିକ କମିଟି ପକ୍ଷରୁ ୨୦ତମ ନୂଆଁଖାଇ ଭେଟ୍‌ଘାଟ୍ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମା’ ସମଲେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ଭାଇଚାରାର ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଥିଲା। ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ନିରବଚ୍ଛିନ୍ନ ଭାବେ ୨୦ ବର୍ଷ ଧରି ଏହି ପରମ୍ପରାକୁ ବଜାୟ ରଖିଛି। କମିଟିର ସଭାପତି ସୁରେଶ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭିସୁଟ୍, ବୁର୍ଲାର ଅବସରପ୍ରାପ୍ତ ପ୍ରଫେସର ଡ. ରାହାସ ବିହାରୀ ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ବରଗଡ଼ ମାହେଶ୍ୱରୀ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନର ନିର୍ଦ୍ଦେଶକ ଫକୀର କର୍ଣ୍ଣ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଫେସର ପଣ୍ଡା ନୂଆଁଖାଇ ଭେଟ୍‌ଘାଟ୍ କିପରି ଏକ ନୂତନ ସାମାଜିକ ପରମ୍ପରା ସୃଷ୍ଟି କରିଛି ସେ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଉପସ୍ଥାପନ କରି ସମସ୍ତଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ କର୍ଣ୍ଣ କହିଥିଲେ, “ନୂଆଁଖାଇ ଭେଟ୍‌ଘାଟ୍ କେବଳ ଏକ ଭେଟ ନୁହେଁ, ଏହା ହୃଦୟକୁ ହୃଦୟ ସହ ଯୋଡିବାର ପର୍ବ।”

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ପ୍ରତିଭାଙ୍କୁ ଉପଢୌକନ ଓ ମେମେଣ୍ଟୋ ଦେଇ ସମ୍ମାନିତ କରାଯାଇଥିଲା। ଶିକ୍ଷା ଗୌରବରେ ଖୁସି ବାରିକ, ସୌରଭ ସୁନ୍ଦର ବିଶୋଇ, ଓମ୍ ଶିବୁଲାଲ ବେହେରା, ପ୍ରିୟାଂଶି ବସ୍ତିଆ ଓ ପ୍ରୀତି ସାହୁ, ବିଳାସିନୀ ବାରିକ ସ୍ମୃତି ସମ୍ମାନରେ ଯୁବ ଚାଷୀ ମାନଭଞ୍ଜନ ଦାଶ (ପପୁ), ନଟବର ଜେନା ଯୁବ ପ୍ରତିଭା ସମ୍ମାନରେ ନିକିତା ବେହେରା, କେଶବ ପ୍ରଧାନ ସ୍ମୃତି ସମ୍ମାନରେ ସାମ୍ବାଦିକ ଯୁଧିଷ୍ଠିର ମହାପାତ୍ର, କରୁଣାକର ସ୍ମୃତି ସମ୍ମାନରେ ଡା. ଚିତ୍ତରଞ୍ଜନ ଜେନା ଓ ସମୀକ୍ଷା ତ୍ରିପାଠୀ, ବିପିନ ବିହାରୀ ପ୍ରଧାନ ସ୍ମୃତି ସମ୍ମାନରେ ସମାଜସେବୀ ନାରାୟଣ ଭୋଇ, ସୁଜାତା ନାୟକ ଯୁବ ପ୍ରତିଭା ସମ୍ମାନରେ ଜସ୍ମିନ ମହାପାତ୍ର ଏବଂ ମରଣୋତ୍ତର ସାରସ୍ୱତ ସମ୍ମାନରେ ସ୍ୱର୍ଗତ ହାରାଧନ ବାରିକଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ମଧୁସୂଦନ ଶର୍ମା ସୁନ୍ଦର ଭାବେ ପରିଚାଳନା କରିଥିଲେ। ଶେଷରେ ସମ୍ପାଦକ ଅନିରୁଦ୍ଧ ଖମାରୀ ଧନ୍ୟବାଦ ଅର୍ପଣ କରିବା ପରେ ସମସ୍ତେ ମା’ ସମଲେଶ୍ୱରୀଙ୍କ ପ୍ରସାଦ ସେବନ କରିଥିଲେ।