୮ଟି ଶ୍ରେଣୀକୁ ୩ ଶିକ୍ଷକ
୮ଟି ଶ୍ରେଣୀକୁ ୩ ଶିକ୍ଷକ
ହାଟଡ଼ିହି,୧୨/୮ : ସରକାର ଶିକ୍ଷା ଆଇନ ପ୍ରଣୟନ କରି ବିଦ୍ୟାଳୟ ଗୃହ ଏବଂ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦେଇ ଉନ୍ନତ ମାନର ଶିକ୍ଷା ଯୋଗାଇ ଦେବାକୁ ଯୋଜନା କରିଥିବା ବେଳେ କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକର ଆଦିବାସୀ ବହୁଳ ଧନୁର୍ଜୟପୁର ପଂଚାୟତର ଗୋପବନ୍ଧୁ ନୋଡ଼ାଲ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଏହି ବିଦ୍ୟାଳୟରେ ୮ ଟି ଶ୍ରେଣୀକୁ ୩ ଜଣ ଶିକ୍ଷକ ଥିବାବେଳେ ୩ଟି ଅସୁରକ୍ଷିତ ଆଜବେଷ୍ଟସ୍ କକ୍ଷରେ ୮ଟି ଶ୍ରେଣୀର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଜଣେ ଶିକ୍ଷକ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ତାଲିମ ଓ ଅଫିସ କାମରେ ବାହାରକୁ ଗଲେ ଦୁଇ ଜଣ ଶିକ୍ଷକ ବିଦ୍ୟାଳୟରେ ରହିଥାନ୍ତି । ବିଦ୍ୟାଳୟଟିରେ ୧୬୦ ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଏପରି ସ୍ଥିତିରେ ଉକ୍ତ ବିଦ୍ୟାଳୟରେ କିଭଳି ଶିକ୍ଷାଦାନ ଚାଲିଛି, ତାହା ସହଜେ ଅନୁମେୟ । ୧୯୭୭ ମସିହାରୁ ଉକ୍ତ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାର ନୂତନ ଗୃହ
ଏବଂ ରୋଷେଇ ଗୃହ ନାହିଁ । ବଉଳା ଫେକର କମ୍ପାନି ପକ୍ଷରୁ ବିଦ୍ୟାଳୟକୁ ଆଜବେଷ୍ଟସ୍ ଘର ଯୋଗାଇ ଦିଆଯାଇଥିବା ବେଳେ ସେହି ଗୃହରେ ଏଯାବତ୍ ଶିକ୍ଷାଦାନ ଚାଲିଛି । ଉକ୍ତ ଆଜବେଷ୍ଟସ୍ ଗୃହଗୁଡ଼ିକ ବହୁ ସମୟରେ ଅସୁରକ୍ଷିତ ହୋଇପଡୁଥିବା ବେଳେ ଶିକ୍ଷକ ମାନେ ମରାମତି କରିଥାନ୍ତି । କମ୍ପାନୀ ଗୃହରେ ଦୀର୍ଘ ବର୍ଷ ଧରି ବିଦ୍ୟାଳୟ ଚାଲିଥିବା ବେଳେ ବିଦ୍ୟାଳୟର କର୍ତ୍ତୃପକ୍ଷ ସେମାନଙ୍କ ମାସିକ ରିପୋର୍ଟରେ ଗୃହ ନଥିବା ଦର୍ଶାଉଥିଲେ ମଧ୍ୟ ନୂତନ ଗୃହ ନିର୍ମାଣ କରାଯାଉନାହିଁ । ଜିଲାପାଳ ଏଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବା ସହିତ ସେ ଅଞ୍ଚଳରେ ଏକ ଆଦିବାସି ଆବାସିକ ବିଦ୍ୟାଳୟ କରିବାକୁ ଦାବି ହୋଇଛି। ଏ ନେଇ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ ସମସ୍ୟା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା କହିଥିଲେ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ)