ବାଲ୍ୟ ବିବାହ, ଶିଶୁ ଶ୍ରମ ଓ ଯୌନ ନିର୍ଯାତନା ରୋକିବା ଉପରେ ଗୁରୁତ୍ୱାରୋପ
ଛେଣ୍ଡିପଦା, ୧୬/୧୦ (ଅକ୍ଷର ଓଡ଼ିଶା): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଟେଣ୍ଟୁଲୋଇ ଗ୍ରାମ ପଞ୍ଚାୟତର ଟେଣ୍ଟୁଲୋଇ ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବାଣୀନାଳୀ, ଅନୁଗୋଳ ପକ୍ଷରୁ ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲ୍ଡ୍ରେନ୍’ ଅଭିଯାନ ଅନ୍ତର୍ଗତ ଏକ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ବାଲ୍ୟ ବିବାହ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ପ୍ରଥା ଏବଂ ଶିଶୁମାନଙ୍କୁ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଶିଶୁମାନଙ୍କ ଅଧିକାରର ସୁରକ୍ଷା, ବାଲ୍ୟ ବିବାହ ନିରୋଧ ପାଇଁ ରହିଥିବା ଆଇନଗତ ବ୍ୟବସ୍ଥା ଓ ନିୟମାବଳୀ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ସଚେତନ କରାଯାଇଥିଲା। ଏଥିସହ ପ୍ରତ୍ୟେକ ଶିଶୁଙ୍କର ଚାରୋଟି ମୌଳିକ ଅଧିକାର ସମ୍ପର୍କରେ ଆଲୋକପାତ କରାଯାଇଥିଲା।
କାର୍ଯ୍ୟକ୍ରମରେ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ), ୱାର୍ଡ ସଭ୍ୟ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସିଆରପିଙ୍କ ସମେତ ଗ୍ରାମର ଅନ୍ୟାନ୍ୟ ସଦସ୍ୟ ଯୋଗଦେଇଥିଲେ।
ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ରଙ୍କ ସମେତ ପୂଜା ସ୍ୱାଇଁ ଓ ଅଭିଷେକ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ସହଯୋଗୀ ସୁନୀତା ମାଝୀ ବୈଠକ ପରିଚାଳନା କରିଥିଲେ। ଶେଷରେ ଶିଶୁ ସୁରକ୍ଷା ପ୍ରତି ସଚେତନ ରହିବା ସହ ଶିଶୁ ଅଧିକାରର ସୁରକ୍ଷା ଦିଗରେ ସମସ୍ତେ ନିଜ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଶପଥ ପାଠ କରିଥିଲେ। ଧନ୍ୟବାଦ ଅର୍ପଣ ପରେ ବୈଠକ ଉଦ୍ଯାପିତ ହୋଇଥିଲା।
