May 10, 2026

ଗାରିମାମୟ ଗୌରବୋଜ୍ଜଳ ଐତିହ୍ଯ ମାଣିକ ପାଟଣା ମାଟିରେ “ଭାବର ଠାକୁର ଭାକୁଣ୍ଡଳେଶ୍ବର।”

IMG-20250330-WA0003
Share

 

ଐତିହ୍ଯ ପରମ୍ପରା ସଂସ୍କୃତି ଏବଂ ଧର୍ମର ମହା ମିଳନର ଗଣପର୍ବ ମାଣିକ ପାଟଣାର ବାରୁଣୀ ସ୍ନାନରେ ବୁଡ ପକାଇଲେ ପଚାଶ ହଜାର ଭକ୍ତ।

 

ଅନେକ ଅନେକ ଅବଧି ତଳର କଥା। ସେଦିନ ଥିଲା ଚୈତ୍ର ଶୁକ୍ଳ ତ୍ରୟୋଦଶୀ। ମର୍ଯ୍ୟାଦାପୁରୁଷ ଶ୍ରୀରାମ ଅନୁଜ ଶ୍ରୀଲକ୍ଷ୍ଣଣଙ୍କ ସହ ମହେନ୍ଦ୍ର ପର୍ବତ ଅଭିମୁଖେ ଗମନ କରୁଥିଲେ। ମହୋଦଧି ଚିଲିକା ବଳୟିତ ତପୋବନ ତୁଲ୍ଯ ଶାନ୍ତ, ସ୍ନିଗ୍ଧ, ସୁଶୀତଳ, ସବୁଜିମା ଭରା ପରିବେଶ ବିମୋହିତ କଲା ଠାକୁରଙ୍କୁ। ଉତ୍ତୁଙ୍ଗ ନଭଶ୍ଚୁମ୍ବୀ ବାଲୁକା ବନ୍ତ ଯାହାର ଭୂମି ପ୍ରଦେଶକୁ ମହୋଦଧିର ନୀଳଲହରି ମାନ ଧୌତକରି ପବିତ୍ର କରୁଥିଲା, ମହୋଦଧିରୁ ଅନୀତ ସୁଶୀତଳ ପ୍ରାଣସିକ୍ତ ସମୀର ହୃଦୟ ଏବଂ ମନକୁ ଆହ୍ଲାଦିତ କରୁଥିଲା। ଚତୁପାର୍ଶରେ ତାଳ,ତମାଳ, ଆମ୍ର, ନାରିକେଳ, ପୁଗ, ପୁନାଗ, ବଉଳ, ଆଦି ପାଦପରାଜି ଫଳ, ପୁଷ୍ପ, ବଉଳ, ନବପଲ୍ଲବରେ ବିମଣ୍ଡିତ ଶାଖା ପ୍ରଶାଖାରେ ବିବିଧ ବିହଗଙ୍କ ସୁଲଳିତ କୂଜନ ଶ୍ରୀରାମଙ୍କ ମନକୁ ଜିଣିନେଲା। ଶୁଭ୍ର ସ୍ବଚ୍ଛ ନିର୍ମଳ ବାଲୁକା ସ୍ତୁପ ଉପରେ ବସିପଡିଲେ ମହାପ୍ରଭୁ। ଆହା କି ନୈସର୍ଗିକ ପରିବେଶ ! ସତରେ ସେଦିନ ସୁରଜ୍ଯେଷ୍ଠ ବ୍ରହ୍ମଦେବ ଅଟନ୍ତି ରାଜାଙ୍କ ରାଜାଙ୍କ ନିମନ୍ତ୍ରଣ ରକ୍ଷାକରି ଶ୍ରୀମନ୍ଦିର ପ୍ରତିଷ୍ଠା କରିବାକୁ ଯିବା ସମୟରେ ଏହିକ୍ଷେତ୍ରର ରୂପଲାବଣ୍ୟ ସଂଦର୍ଶନ କରି ବିମୋହିତ ହୋଇ ଏହିଠାରେ ପ୍ରଥମେ ପାଦ ଦେଲେ। କେବଳ ପ୍ରକୃତି, ପରିବେଶ, ଭୌଗଳିକ ସ୍ଥିତି ଦୃଷ୍ଟିରୁ ନୁହଁ ଦିବ୍ୟତା ଦୃଷ୍ଟିରୁ ଏ ଧାମର ମାହାତ୍ମ୍ୟ ରହିଛି। ବିମୋହିତ ହେଲେ ଶ୍ରୀରାମ। ଏଭଳି ଏକ ଦିବ୍ଯ ସ୍ଥାନରେ କିଛିଦିନ ବିଶ୍ରାମ କଲେ ଭଲ ହୁଅନ୍ତା।

ଚିନ୍ତାକଲେ ରହିଯିବା ବିଶ୍ରାମ କରିବା ପାଇଁ।

ଅନୁଜ ଲକ୍ଷ୍ମଣଙ୍କୁ ଜଣାଇଦେଲେ ମନର କଥା। ବିଶ୍ରାମ ନେଲେ ଏହି ସ୍ଥାନରେ । ପରଦିନ ପ୍ରାତଃ ସମୟରୁ ନିତ୍ୟକର୍ମ ସମାପ୍ତ ପୂର୍ବକ ଶିବ ଉପାସନା ନିମନ୍ତେ ପ୍ରସ୍ତୁତ ହୁଅନ୍ତେ ଦେଖିଲେ ଚତୁପାର୍ଶରେ କେବଳ ବାଲି। ଅନୁଜ ଶ୍ରୀ ଳକ୍ଷ୍ମଣଙ୍କୁ ନିର୍ଦ୍ଦେଶ ଦେଲେ –

“ହେ ଅନୁଜ ! ଶ୍ରୀ ଭୋଳାନାଥ ମହେଶ୍ବର ମହାଦେବଙ୍କ ନିତ୍ଯ ଉପାସନା ନିମନ୍ତେ ଶୀଳାଟିଏ ନିହାତି ଦରକାର, ଏତ ବାଲୁକାମଯ ଅଞ୍ଚଳ, ତୁମେ ଆଖପାଖରୁ ଶିଳାଟିଏ ସଂଗ୍ରହ କରିଆଣ। ଆମେ ମହେଶ୍ବରଙ୍କ ଉପାସନା କରିବା। ଅଗ୍ରଜଙ୍କ ଆଦେଶ ଅନୁପାଳନ କରି ଲକ୍ଷ୍ମଣ ଶୀଳାଟିଏ ସଂଗ୍ରହ ପାଇଁ ଆସିଲେ। ବାଲୁକା ବନ୍ତ ଅଞ୍ଚଳ। ଅନ୍ଯ ମୃତ୍ତିକା ଅପେକ୍ଷା ଏଠାରେ ଗତି ସ୍ବତଃ ମନ୍ଥର ହୋଇଯାଏ। ଦ୍ବିତୀୟରେ ଏଠାରେ ଶିଳା ମିଳିବା କଷ୍ଟକର। ବାଲିରେ ଚାଲିବା ସମୟ ସାପେକ୍ଷ। ଲକ୍ଷ୍ମଣଙ୍କର ଶିଳା ସଂଗ୍ରହ କରି ଆସିବା ବିଳମ୍ବ ହେଲା।

ଉପସନାର ବେଳ ଗଡ଼ିଯିବାକୁ ହେଲା। ଭାବ ଭକ୍ତିରେ ବିଗଳିତ ଶ୍ରୀରାମ ବ୍ଯସ୍ତ ହୋଇପଡିଲେ ସେ କ’ଣ ଆଉ ଆଜି ତାଙ୍କର ଆରାଧ୍ଯ ଦେବତା ଶିବଙ୍କୁ ଉପାସନା କରିପାରିବେ ନାହଁ ? ଉପାସନାର ଶୁଭବେଳ ଲଗ୍ନତ ଗଡ଼ିଯାଉଛି। ଭାବ ଭକ୍ତିରେ ବିହ୍ବଳ ପ୍ରଭୁ ରାମଚନ୍ଦ୍ର। ପୂଜାରେ ବ୍ଯତିକ୍ରମ ଚାହିଁଲେ ନାହିଁ। ଚିନ୍ତା କଲେ ,କ’ଣ କରିବେ? ତ ମନକୁ ଏକ ଉପାୟ ଆସିଲା। ତାଙ୍କ କର୍ଣ୍ଣରେ ବହୁ ମୂଲ୍ଯର ଅଷ୍ଟଧାତୁ ର କୁଣ୍ଡଳ ଅଛି । ଏହାତ ଧାତୁରୁ ନିର୍ମିତ ? ଅମୂଲ୍ଯ ହେଲେବି ଈଶ୍ଵରଙ୍କ ଉପାସନା ଆଗରେ ତୁଚ୍ଛ। ବିଳମ୍ବ ନକରି ଖୋଲିଦେଲେ ସୁବର୍ଣ୍ଣ କୁଣ୍ଡଳ ଟିକୁ। ପବିତ୍ର ଜଳରେ ଧୌତକରି ଶୁଦ୍ଧକରି ରଖିଦେଲେ ଆସ୍ଥାନ ଉପରେ । ଚନ୍ଦନ, ସିନ୍ଦୁର, ପୁଷ୍ପାଦି ଦେଇ ଶିବଙ୍କ ଉପାସନାରେ ନିମଗ୍ନ ହେଲେ।

 

କର୍ପୁର ଗୌରଂ କରୁଣାବତାରଂ ସଂସାରସାରଂ ଭୁଜଗେନ୍ଦ୍ର ହାରଂ

ସଦାବସନ୍ତଂ ହୃଦୟାରବିନ୍ଦେ ଭବଂଭବାନୀ ସହିତଂ ନମାମି।

 

ମହାପ୍ରଭୁ ଭୋଳାନାଥ ମହେଶ୍ବର ଆଶୁତୋଷ ପ୍ରତ୍ୟକ୍ଷରେ ଊଭାହୋଇଗଲେ। ଶ୍ରୀରାମଙ୍କ ଭକ୍ତିରେ ଅତି ପ୍ରସନ ତ୍ରିଲୋଚନେଶ୍ୱର ବନବାସ ଯାତ୍ରା ସଫଳ ହେବାର ଆଶୀର୍ବାଦ ଦେଲେ। ଭାବରେ କୁଣ୍ଡଳ ଟିକୁ ରଖିଦେଇ ପୂଜନ କରିଥିବାରୁ ପୀଠର ନାମ ହେଲା —

” ଭାବକୁଣ୍ଡଳେଶ୍ବର ପୀଠ।”

 

ସମସ୍ତ ଐତିହ୍ଯକୁ ସ୍ମରଣ କରି ଏଠାରେ ପ୍ରତିବର୍ଷ ଚୈତ୍ର ଶୁକ୍ଳ ତ୍ରୟୋଦଶୀ ତିଥିରେ ଏକ ପର୍ବ ଆୟୋଜନ ହୁଏ। ବଡ ଆଶ୍ଚର୍ଯ୍ୟର ବିଷୟ ଚତୁପାର୍ଶରେ ଲୁଣା ଜଳ ଥିବା ସତ୍ତ୍ବେ ଏହି ତିଥିରେ ରାମଘାଟର ଜଳ ମଧୁର ପାଲଟେ। ଉକ୍ତ ଦିନ ଏହି ଘାଟରେ ସ୍ନାନ କଲେ ପୁଣ୍ଯ ହୁଏ ବୋଲି ବିଶ୍ଵାସ ରହିଛି। ତେର ମୌଜାର ଠାକୁର ଏକାଠି ହୁଅନ୍ତି। ବୁଡଯାତ୍ରା ଅବା ସଙ୍ଗମ ସ୍ନାନ ଭାବରେ ସ୍ଥାନିୟ ଅଞ୍ଚଳର ଏହି ପର୍ବରେ ପ୍ରବଳ ଜନ ସମାଗମ ହୁଏ। ତିନିଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅପେରା ନାଚକ ମଞ୍ଚସ୍ଥ ହୁଏ।

ଏହି ପର୍ବର ଏକ ସ୍ବତନ୍ତ୍ରତା ରହିଛି । ଏହା ହେଉଛି ସଦ୍ଭାବନା ସଂହତି ତଥା ଭାଇଚାରାର ପର୍ବ। ଏଠାରେ ହିନ୍ଦୁ ଏବଂ ମୁସଲମାନ ଧର୍ମର ଲୋକେ ମିଳିତ ଭାବରେ ଏହି ପର୍ବ ପାଳନ କରନ୍ତି। ଭଗବାନ ପୁର ବସ୍ତିର ଇସଲାମ ଧର୍ମାବଲମ୍ବୀଙ୍କ ଆର୍ଥିକ ସହଯୋଗ ସହିତ ପରିଚାଳନାରେ ମିଳିତ ସହଯୋଗ କରିଥାନ୍ତି।

ଚଳିତ ବର୍ଷ ଏହି ପର୍ବ ବହୁ ଆଡମ୍ବର ସହ ପାରମ୍ପରିକ ରୀତିରେ ପାଳିତ ହୋଇଛି। ଯାତ୍ରାରେ ବିଭିନ୍ନ ଦୋକାନ ବଜାର ଖୋଲିବା ସହିତ ପ୍ରାୟ ପଚାଶ ହଜାର ଲୋକ ପବିତ୍ର ବୁଡ – ସ୍ନାନ କରିଛନ୍ତି। ତେର ମୌଜାର ସଭାପତି ବ୍ରଜ କିଶୋର ପ୍ରଧାନ ସଂପାଦକ ସୁରେନ୍ଦ୍ର ପଲାଇ, ଶ୍ରୀ ତ୍ରିନାଥ ପ୍ରଧାନ, ଶ୍ରୀ ରଞ୍ଜନ ଦଳାଇ, ଜଟେଶ୍ୱର ପ୍ରଧାନ, କ୍ଷେତ୍ରମୋହନ ସାହୁ, ବିଦ୍ୟାଧର ପ୍ରଧାନ, ମାଧବ ବିଶୋଇ ପ୍ରମୁଖ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ