July 29, 2026

ହାଟଡିହି ବ୍ଲକ ରେ ୩୦ଗ୍ରାମ ଜଳବନ୍ଦୀ ୩୧ ହଜାର ଲୋକ ପ୍ରଭାବିତ ୧୬୭୨ ଲୋକଙ୍କୁ ସ୍ଥାନାନ୍ତର 

IMG-20260729-WA0084
Share

ହାଟଡିହି ତା ୨୯/୭(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି l ବର୍ଷାର ପ୍ରକୋପ କମିଯାଇଛି, କିନ୍ତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ବିଭିନ୍ନ ପଞ୍ଚାୟତର ୩୦ ଗ୍ରାମ ଜଳବନ୍ଦୀ ହୋଇପଡିଛି l ଲୋକଙ୍କ ଘର ଭିତରେ ବନ୍ୟା ଜଳ ଲହଡି ମାରୁଥିବା ବେଳେ ବିଭିନ୍ନ ଗ୍ରାମକୁ ଯୋଗାଯୋଗ ସମ୍ପୂର୍ଣ ଭାବେ ବିଛିନ୍ନ ହୋଇପଡିଛି l ବନ୍ୟା ଭୟରେ ଅନେକ ଲୋକ ମଙ୍ଗଳବାର ରାତିରୁ ଘରୁ ବାହାରକୁ ପଳାଇ ଆସିଥିଲେ l ଡ଼ିମିରିଆ,ହାବଳେଶ୍ୱର,ଶାଳବଣି,ଜମ୍ଭରା, ଆଇତିପୁର, ସିଂଡୋଭ, ମଙ୍ଗରାଜପୁର, ଗେଡ଼ମା, ମଧୁପୁର, ରାଘବପୁର, ଜଳସରପୁର,ଅମୃତପୁର, ରତକଣା ପ୍ରଭୃତି ଗ୍ରାମ ଜଳବନ୍ଦୀ ହୋଇପଡିଛି l ରାସ୍ତା ଉପରେ ପ୍ରାୟ ୧୦ ଫୁଟ ଉଚ୍ଚତାର ବନ୍ୟା ଜଳ ପ୍ରବାହିତ ହେଉଛି l ଯାତାୟାତ ସମ୍ପୂର୍ଣ ଭାବେ ବନ୍ଦ ହୋଇଯାଇଛି l ସୂଚନା ଅନୁସାରେ ବ୍ଲକ ଅଧୀନ ବନ୍ୟା ପ୍ରଭାବିତ ୯ଟି ପଞ୍ଚାୟତର ୪୦ଟି ଗ୍ରାମର ୩୧ ହଜାର ୭୮୦ ଜଣ ଲୋକ ପ୍ରଭାବିତ ହୋଇଛନ୍ତି l ସେଥି ମଧ୍ୟରୁ ୩୦ଟି ଗ୍ରାମ ସମ୍ପୂର୍ଣ ଭାବେ ପ୍ରଭାବିତ ହୋଇଥିବା ବେଳେ ୧୦ଟି ଗ୍ରାମ ଆଂଶିକ ଭାବେ ପ୍ରଭାବିତ ହୋଇଛି l ୧୨୭ ଜଣ ଛୋଟ ଛୁଆଙ୍କୁ ମିଶାଇ ଅଦ୍ୟାବଧି ମୋଟ ୧ ହଜାର ୬୭୨ ଜଣଙ୍କୁ ଉଦ୍ଧାର କରାଯାଇଛି l ସେମାନଙ୍କୁ ୩ଟି ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୫ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟରେ ରଖାଯାଇଛି l ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବାହିନୀ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l ହାଟଡିହି ବିଡ଼ିଓ ରଞ୍ଜନ ପରିଡା କହିଛନ୍ତି ଯେ ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି l ବ୍ଲକ ରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି l ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବା ଲୋକ ମାନଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି l ବିଭିନ୍ନ ପଞ୍ଚାୟତରେ ସରକାରୀ କର୍ମଚାରୀ ମାନେ ନିୟୋଜିତ ଅଛନ୍ତି l ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା,ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହ ସମୀକ୍ଷା କରିଛନ୍ତି l ବିଜେପି ନେତା ଆଲୋକ ସେଠି, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର,ମଣ୍ଡଳ ସଭାପତି ହରମୋହନ ଶାସିନୀ, ଯୁଧିଷ୍ଠିର ମଲିକ ପ୍ରମୁଖ ବିଭିନ୍ନ ବନ୍ୟା ଅଞ୍ଚଳ ଗ୍ରସ୍ତ କରି ପରିସ୍ଥିତି ଦିଗରେ ଅନୁଧ୍ୟାନ କରିଛନ୍ତି l

You may have missed