ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପରେ ଦୁର୍ଘଟଣା ୧୧ କେଭି କେବୁଲ୍ ଫାଟି ନିଆଁ ଲାଗିଲା, ଅସ୍ଥାୟୀ କର୍ମଚାରୀ ଆହତ
କୋରାପୁଟ, ୮ ଅକ୍ଟୋବର: ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପରେ ବିଦ୍ୟୁତ୍ କେବୁଲ୍ ଫାଟି ନିଆଁ ଲାଗିଯିବାରୁ ଜଣେ ଅସ୍ଥାୟୀ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀଙ୍କ ନାମ ରାମ ପରଜା ବୋଲି ଜଣାପଡ଼ିଛି। ତାଙ୍କୁ ପ୍ରଥମେ ପ୍ରକଳ୍ପର ମେଡିକାଲ୍ରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।
ସୂଚନା ଅନୁଯାୟୀ, ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପର ୧୩୨/୧୧ କେଭି ଟ୍ରାନ୍ସଫର୍ମରର କରେଣ୍ଟ ଟ୍ରାନ୍ସଫର୍ମର (ସିଟି) ବିସ୍ଫୋରଣ ହେବା ପରେ ୧୧ କେଭି ବିଦ୍ୟୁତ୍ କେବୁଲ୍ ଫାଟି ଯାଇଥିଲା। ଏହାପରେ କେବୁଲ୍ରେ ନିଆଁ ଲାଗିଯାଇଥିଲା। ନିକଟରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀ ରାମ ପରଜାଙ୍କ ପିଠିରେ ନିଆଁ ଲାଗିଯିବାରୁ ସେ ଆହତ ହୋଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ କର୍ମଚାରୀମାନେ ତୁରନ୍ତ ନିଆଁକୁ ଆୟତ୍ତ କରିବା ସହ ରାମଙ୍କ ଶରୀରରେ ଲାଗିଥିବା ନିଆଁକୁ ଲିଭାଇଥିଲେ। ପରେ ତାଙ୍କୁ ତୁରନ୍ତ ପ୍ରକଳ୍ପର ମେଡିକାଲ୍କୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଏହି ଘଟଣାକୁ ନେଇ ପ୍ରକଳ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ଓ ବିଦ୍ୟୁତ୍ ଉପକରଣର ରକ୍ଷଣାବେକ୍ଷଣକୁ ନେଇ ଚର୍ଚ୍ଚା ହେଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଓ ଆହତ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକ ତଥ୍ୟ ମିଳିନାହିଁ।(ଗୁପ୍ତେଶ୍ଵର ରଥ କୋରାପୁଟ)
