୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ….
ଜଗତସିଂହପୁର…
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ବକେୟା ବିଲ ପାସ କରେଇବା ପାଇଁ ଲାଞ୍ଚ ନେବା ଜଣେ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡିଛି । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ । ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀ (DEO ) ତଥା ସମଗ୍ର ଶିକ୍ଷା ଅଭିଯାନ ( DPC ) ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟ ରତ ପ୍ରୋଗ୍ରାମର ରଂଜିତ ପରିଜା ଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ । ସୂଚନା ଅନୁଯାୟି, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରେ ଡିଜିଟାଲ ବ୍ଲାକବୋର୍ଡ ସ୍ଥାପନ କରିଥିବା ଜଣେ ଠିକାଦାର ନିଜର ବକେୟା ପ୍ରାପ୍ୟ ପାଇବାପାଇଁ ଆବେଦନ କରିଥିଲେ । ଟେକ୍ନିକାଲ ତଥା ପ୍ରୋକ୍ୟୁରମେଣ୍ଟ କମିଟିର ସଦସ୍ୟ ଭାବେ କାର୍ଯ୍ୟ ର ଯାଞ୍ଚକରି ବିଲ ପ୍ରଦାନ ପ୍ରମାଣପତ୍ର ଦେବା ଦାୟିତ୍ୱ ପ୍ରୋଗ୍ରାମର ଶ୍ରୀ ପରିଜା ଙ୍କ ଉପରେ ନ୍ୟସ୍ତ ଥିଲା । ମାତ୍ର ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ କାମ ଯାଞ୍ଚ ନ କରି ବିଲ ଛାଡିବା ପାଇଁ ଅଭିଯୋଗ କାରୀଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏଭଳି ମାନସିକ ନିର୍ଯାତନାରେ ଅତିଷ୍ଟ ହୋଇ ଅଭିଯୋଗ କାରି ଭିଜିଲାନ୍ସ ର ଦ୍ଵାରସ୍ତ ହୋଇଥିଲେ । ପୂର୍ବ ଯୋଜନା ମୁତାବକ, ଗୁରୁବାର ଦିନ ଅଭିଯୋଗ କାରୀଙ୍କ ଠାରୁ ଶ୍ରୀ ପରିଜା ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ, ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲା । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହି ଘଟଣା ପରେ ଆୟବହିର୍ଭୁତ ସମ୍ପତି ଠୁଳ ସନ୍ଦେହରେ ଶ୍ରୀ ପରିଜାଙ୍କ ସହ ଜଡିତ ତିନୋଟି ଭିର୍ନ୍ନ ଭିର୍ନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକାକାଳୀନ ଚଢ଼ାଉ ଜାରି ରହିଛି । ଏ ନେଇ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ମାମଲା ନଂ – ୩୯ ରେ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।
