October 9, 2026

ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀ ଦେବୀ ମାଁ’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ‘ଦି ନବୀନ ନ୍ୟୁଜ୍’ର ଡିଜିଟାଲ ଯାତ୍ରାର ଶୁଭାରମ୍ଭ..

IMG-20261009-WA0002
Share

 

 

ବ୍ରହ୍ମପୁର(ନୁରୁଲ ମଲ୍ଲିକ)୧୯୩୦ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା ବହୁ ପୁରାତନ ସାପ୍ତାହିକ ଖବର କାଗଜ ‘ନବୀନ’ଓଡ଼ିଆ ସାମ୍ବାଦିକତାର ଏକ ପୁରୁଣା ଓ ଗୌରବମୟ ଅଧ୍ୟାୟ।ଦୀର୍ଘ ଦଶନ୍ଧି ଧରି ସମାଜ,ସାଧାରଣ ଲୋକ ଓ ଜନସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ନିଜ ପୃଷ୍ଠାରେ ସ୍ଥାନ ଦେଇ ଆସୁଥିବା ‘ନବୀନ’ ଏବେ ସମୟ ସହ ତାଳ ଦେଇ ଡିଜିଟାଲ ଯୁଗରେ ପ୍ରବେଶ କରିଛି।ପ୍ରାୟ ଏକ ଶତାବ୍ଦୀର ସାମ୍ବାଦିକତାର ଐତିହ୍ୟକୁ ସାଥୀ କରି ‘ନବୀନ’ ଏବେ ପ୍ରିଣ୍ଟ ମିଡିଆ ସହିତ ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ନିଜର ସ୍ୱରକୁ ଆହୁରି ବ୍ୟାପକ କରିବାକୁ ଆଗେଇ ଆସିଛି ଏବଂ ଡିଜିଟାଲ ମିଡିଆ ଜଗତରେ ନୂଆ ପାଦ ଥାପିଛି। ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀ ଦେବୀ ମାଁ’ବୁଢ଼ୀ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା ସହ ‘ଦି ନବୀନ ନ୍ୟୁଜ’ର ଡିଜିଟାଲ ଯାତ୍ରାର ଶୁଭାରମ୍ଭ କରାଯାଇଛି।

‘ନବୀନ’ର ସମ୍ପାଦକ ରବି ରଥଙ୍କ ଉପସ୍ଥିତିରେ ମାଁ’ବୁଢ଼ୀ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ଡିଜିଟାଲ ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା।ପାରମ୍ପରିକ ମୁଦ୍ରିତ ଖବର କାଗଜ ସହିତ ଆଧୁନିକ ଡିଜିଟାଲ ମାଧ୍ୟମକୁ ଯୋଡ଼ି ଅଧିକ ସଂଖ୍ୟକ ପାଠକ ଓ ଦର୍ଶକଙ୍କ ନିକଟରେ ଖବର ପହଞ୍ଚାଇବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି।ୟୁଟ୍ୟୁବ,ଫେସବୁକ୍‌ ସମେତ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ

‘ଦି ନବୀନ ନ୍ୟୁଜ’ମାଧ୍ୟମରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲା ସମେତ ଦେଶ ଓ ବିଦେଶ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳର ଖବର ପ୍ରସାରଣ କରାଯିବ। ବିଶେଷ କରି ଜନସାଧାରଣଙ୍କ ସମସ୍ୟା, ସ୍ଥାନୀୟ ପ୍ରଶାସନ,ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଖବରକୁ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟ ସମ୍ପାଦକ ଘୋଷଣା କରିଛନ୍ତି।

 

ଏହି ଅବସରରେ The Nabeen Newsର ବ୍ରହ୍ମପୁର ବ୍ୟୁରୋ ଚିଫ୍ ସପନ କୁମାର ସେଠୀ, ବ୍ରହ୍ମପୁର ପ୍ରତିନିଧି ସିଏଚ୍. ମୋହନ ରାଓ, (ସବ୍‌-ଏଡିଟର) ଉପ-ସମ୍ପାଦକ – ସୁଶାନ୍ତ କର , ସାମ୍ବାଦିକ ରାମକୃଷ୍ଣ ପାତ୍ର, ପବିତ୍ର କୁମାର ଚୌଧୁରୀ, ରଞ୍ଜନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 

‘ନବୀନ’ର ଏହି ନୂଆ ଡିଜିଟାଲ ଯାତ୍ରାର ମୁଖ୍ୟ ଆଭିମୁଖ୍ୟ ହେଉଛି ଜନସାଧାରଣଙ୍କ ସ୍ୱରକୁ ଗୁରୁତ୍ୱ ଦେବା। ଏଥିପାଇଁ “ସମସ୍ୟା ଆପଣଙ୍କର, ସ୍ୱର ଆମର” ଟ୍ୟାଗ୍‌ଲାଇନ୍‌କୁ ଆଧାର କରି ଲୋକଙ୍କ ବିଭିନ୍ନ ସମସ୍ୟାକୁ ଡିଜିଟାଲ ମାଧ୍ୟମରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନଜରକୁ ଆଣିବା ସହ ତାହାର ସମାଧାନ ଦିଗରେ ସାମ୍ବାଦିକତାର ଭୂମିକା ନିର୍ବାହ କରାଯିବ ବୋଲି କାର୍ଯ୍ୟକ୍ରମରେ ଆଶାବ୍ୟକ୍ତ କରାଯାଇଥିଲା।

 

ବର୍ତ୍ତମାନ ସମୟରେ ଖବର ପ୍ରସାରଣର ମାଧ୍ୟମ ଦ୍ରୁତ ଗତିରେ ବଦଳୁଥିବା ବେଳେ ପୁରାତନ ମୁଦ୍ରିତ ଗଣମାଧ୍ୟମର ଅଭିଜ୍ଞତା ସହ ଡିଜିଟାଲ ପ୍ଲାଟଫର୍ମର ସୁଯୋଗକୁ ଯୋଡ଼ିବା ‘ନବୀନ’ର ଏହି ପ୍ରୟାସକୁ ନୂଆ ଦିଗ ଦେବ ବୋଲି ମତପ୍ରକାଶ ପାଇଛି। ନିରପେକ୍ଷ, ତଥ୍ୟଭିତ୍ତିକ ଓ ଜନସ୍ୱାର୍ଥକୁ ଗୁରୁତ୍ୱ ଦେଇ ‘The Nabeen News’ ଆଗାମୀ ଦିନରେ ଡିଜିଟାଲ ଗଣମାଧ୍ୟମ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି।