October 9, 2026

ପଡ଼ିଆବାହାଲ ଶାରଦୀୟ ଉତ୍ସବରେ ରାମଲୀଳା ମୁଖ୍ୟ ଆକର୍ଷଣ

IMG-20261009-WA0015
Share

 

 

ଶ୍ରୀରାମଙ୍କ ଭୂମିକା ପାଇଁ ଡ. ତୋଷଧର ବାରିକ (ତୁଷାର)ଙ୍କୁ ବରଣ କଲା ଦୁର୍ଗାପୂଜା କମିଟି

 

ସମ୍ବଲପୁର /ପଡ଼ିଆବାହାଲ, ୦୯. ୧୦: ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଅନନ୍ୟ ସମନ୍ୱୟ ହେଉଛି ରାମଲୀଳା। ଏହି ପରମ୍ପରାକୁ ଅବ୍ୟାହତ ରଖି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପଡ଼ିଆବାହାଲ ଦୁର୍ଗାପୂଜା କମିଟି ପକ୍ଷରୁ ଶାରଦୀୟ ଉତ୍ସବରେ ରାମଲୀଳା ମଞ୍ଚସ୍ଥ ହେବ। ଏଥିପାଇଁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିବାକୁ ଡ. ତୋଷଧର ବାରିକ (ତୁଷାର)ଙ୍କୁ କମିଟି ସଦସ୍ୟମାନେ ବରଣ କରିଛନ୍ତି।

 

ଏହି ଅବସରରେ କମିଟିର ସାଂସ୍କୃତିକ ସମ୍ପାଦକ ଝସକେତନ ନାଏକ, ସହସମ୍ପାଦକ ଆକାଶ ବେହେରା, କମିଟି ସହସମ୍ପାଦକ ପ୍ରବୀଣ ସୁପକାର ଏବଂ କମିଟି ସଦସ୍ୟ ତଥା ମହାଲକ୍ଷ୍ମୀ ବ୍ୟବସାୟୀ ସଂଘର ସଭାପତି ବେଣୁଧର ତ୍ରିପାଠୀ ଉପସ୍ଥିତ ରହି ଶ୍ରୀ ବାରିକଙ୍କୁ ବରଣ କରିଥିଲେ।

 

ପ୍ରକାଶ ଥାଉକି, ୧୯୯୭ ମସିହାରୁ ପଡ଼ିଆବାହାଲର ଶାରଦୀୟ ଉତ୍ସବରେ ରାମଲୀଳା ଏକ ବିଶେଷ ଆକର୍ଷଣ ଭାବେ ଦର୍ଶକଙ୍କ ମନ ଜିଣି ଆସୁଛି। ଦୀର୍ଘ ବର୍ଷ ଧରି ଏହି ଧାର୍ମିକ ଓ ସାଂସ୍କୃତିକ ପରମ୍ପରା ଜନମାନସରେ ଭକ୍ତିଭାବ ଜାଗ୍ରତ କରିବା ସହ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ, ସତ୍ୟ, ଧର୍ମ ଓ ନ୍ୟାୟର ବାର୍ତ୍ତା ପ୍ରସାର କରିଆସୁଛି।

 

ରାମଲୀଳା କେବଳ ଏକ ନାଟ୍ୟାଭିନୟ ନୁହେଁ, ବରଂ ଏହା ଆମ ସମାଜର ଧାର୍ମିକ ବିଶ୍ୱାସ, ସାଂସ୍କୃତିକ ଚେତନା ଓ ପିଢ଼ି ପରେ ପିଢ଼ିକୁ ଯୋଡ଼ି ରଖୁଥିବା ଏକ ଜୀବନ୍ତ ପରମ୍ପରା। ପଡ଼ିଆବାହାଲ ଦୁର୍ଗାପୂଜା କମିଟିର ଏହି ପ୍ରୟାସ ଅଞ୍ଚଳର ସାଂସ୍କୃତିକ ଗୌରବକୁ ଆହୁରି ସମୃଦ୍ଧ କରିବା ସହ ଶାରଦୀୟ ଉତ୍ସବର ଆକର୍ଷଣ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।