ନେହା ଟେଲରିଂ ଟ୍ରେନିଂ ସେଣ୍ଟର ଓ ଗୁଣୁପୁରର ସାଇ ସଂବୃଦ୍ଧି ସ୍ୱୟଂ ସହାୟକ ଗୋଷ୍ଠୀର ମିଳିତ ଆନୁକୂଲ୍ୟରେ ଗୁଣୁପୁରର ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପରେ ଏକ ଆକର୍ଷଣୀୟ ଫ୍ୟାସନ ଡିଜାଇନ ଟେଲେଣ୍ଟ ପ୍ରତିଯୋଗିତା ଭବ୍ୟ ଭାବେ ଅନୁଷ୍ଠିତ ହୋଇଥିଲା।
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ନେହା ଟେଲରିଂ ଟ୍ରେନିଂ ସେଣ୍ଟର ଓ ଗୁଣୁପୁରର ସାଇ ସଂବୃଦ୍ଧି ସ୍ୱୟଂ ସହାୟକ ଗୋଷ୍ଠୀର ମିଳିତ ଆନୁକୂଲ୍ୟରେ ଗୁଣୁପୁରର ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପରେ ଏକ ଆକର୍ଷଣୀୟ ଫ୍ୟାସନ ଡିଜାଇନ ଟେଲେଣ୍ଟ ପ୍ରତିଯୋଗିତା ଭବ୍ୟ ଭାବେ ଅନୁଷ୍ଠିତ ହୋଇଥିଲା।
ଗୁଣୁପୁର ସହରରେ ପ୍ରଥମ ଥର ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ ହେବାରୁ ସମଗ୍ର ସହରରେ ଉତ୍ସାହ, ଆନନ୍ଦ ଓ ଆଗ୍ରହର ଏକ ଅଦ୍ଭୁତ ପରିବେଶ ସୃଷ୍ଟି ହୋଇଥିଲା।
ଏହି ଅବସରରେ ଗୁଣୁପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ବଂଶଧାରା ସାହିତ୍ୟ ସମାଜର ସଭାପତି ଶ୍ରୀ ପ୍ରଭାତ କୁମାର ଶତପଥୀ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ନାରୀ ସଶକ୍ତିକରଣ ଓ ଆତ୍ମନିର୍ଭରତା ବିଷୟରେ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ।
ସେ କହିଥିଲେ ଯେ, ପୋଷାକ ଡିଜାଇନ ଭଳି ସୃଜନଶୀଳ କ୍ଷେତ୍ରରେ ନାରୀମାନେ ନିଜ ପ୍ରତିଭାକୁ ଉନ୍ନତ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ। ଏହା ସହିତ ସେ ସୁନ୍ଦର ଓ ଆକର୍ଷଣୀୟ ପୋଷାକ ତିଆରି ପାଇଁ ଆବଶ୍ୟକ କୌଶଳ ଓ ପ୍ରଣାଳୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।
ଏହି ଅବସରରେ ସମାଜସେବୀ ଶ୍ରୀମତୀ ଅମ୍ବିକା ରାଣୀ ମହାପାତ୍ର, ସଂଗୀତା ପଟନାୟକ, ଶାନ୍ତିଲତା ରଥ ଓ ମଞ୍ଜୁଳା ପଟନାୟକ ମଞ୍ଚରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଅଧିକ ଗରିମାମୟ କରିଥିଲେ।
ନେହା ଟେଲରିଂ ଟ୍ରେନିଂ ସେଣ୍ଟରରେ ମୁଖ୍ୟ ରଞ୍ଜିତା ପଟନାୟକଙ୍କ ନେତୃତ୍ୱରେ ଏପରି ଡିଜାଇନ ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଓ ଶିକ୍ଷା ପ୍ରଦାନ କରାଯାଉଛି। ତାଙ୍କ ଅଦମ୍ୟ ପ୍ରୟାସ ଓ ନିଷ୍ଠାର ଫଳରେ ଏହିପରି ସୃଜନଶୀଳ ପ୍ରୟାସ ସଫଳ ହେଉଛି ବୋଲି ଛାତ୍ରଛାତ୍ରୀମାନେ ମତ ପ୍ରକାଶ କରିଥିଲେ।
ଏହି ପ୍ରତିଯୋଗିତାରେ ମୋଟ ୧୨୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥିରୁ ସୁଜାତା କୁମ୍ଭାର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରୁଚି ପଟନାୟକ ଓ କମଳା ମାଣ୍ଡାଙ୍ଗି ଯୁଗଳଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ କସ୍ତୁରୀ ମୋହଙ୍କୁଡ଼ ତୃତୀୟ ସ୍ଥାନ ଅର୍ଜନ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ଶ୍ରୀ ତପନ ସୁନାମୁଦିଙ୍କ ଦ୍ୱାରା କରାଯାଇଥିଲା। ଶେଷରେ, ଉତ୍ସାହ ଓ ଆନନ୍ଦର ମଧ୍ୟରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।
