April 29, 2026

କିଲୋଗ୍ରାମ ପିଛା ୩୫ ଟଙ୍କାରେ ବିକ୍ରି ହେଲା ପିଆଜ: ରାଜଧାନୀ ଭୁବନେଶ୍ୱରରେ ନାଫେଡ ନେଲା ଦାୟିତ୍ୱ, ପ୍ରଶ୍ନ ଉଠିଲା ଅନ୍ୟଠି କେବେ?

IMG-20240928-WA0000
Share

 

ଭୁବନେଶ୍ୱର:(ରାଜାରାମ ଷଡ଼ଙ୍ଗୀ):ଓଡ଼ିଶାରେ ପିଆଜର ମୂଲ୍ୟ ବୃଦ୍ଧି ପାଉଥିବା ଦୃଷ୍ଟିରୁ ନାଫେଡ୍‌ ମାଧ୍ୟମରେ ସରକାର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେଉଛନ୍ତି । ଗତ ଦୁଇଦିନ ଧରି ନାଫେଡ୍‌ ଦ୍ୱାରା ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଖାଉଟିମାନଙ୍କୁ ନାଫେଡ୍‌ ଦ୍ୱାରା ପିଆଜ ବଣ୍ଟନ କରାଯାଉଛି । ଜଟଣୀ, ମଙ୍ଗଳପୁର, ନିଆଳି, ଫୁଲନଖରା, ଡମଣା, ପିପିଲି, ନିମାପଡ଼ା, ବାଲିଅନ୍ତା, ବାଲିପାଟଣା, ରଘୁନାଥପୁର, ବାରଙ୍ଗ, ୟୁନିଟ୍‌-୪, ଲକ୍ଷ୍ମୀସାଗର, କଳ୍ପନା ଛକ, ରୂପାଲି ଛକ, ନାଫେଡ଼୍‌ କାର୍ଯ୍ୟାଳୟ, ମଞ୍ଚେଶ୍ୱର ଆଦି ଅଞ୍ଚଳରେ ଖାଉଟିମାନଙ୍କୁ କିଲୋଗ୍ରାମ ପ୍ରତି ୩୫ ଟଙ୍କାରେ ପିଆଜ ବିକ୍ରୟ କରାଯାଇଛି । ଏଥି ନିମନ୍ତେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦରଦାମ ନିୟନ୍ତ୍ରଣ କରିବା ନିମନ୍ତେ ବିଭାଗୀୟ ଅଧିକାରୀ, ସଂପୃକ୍ତ ବ୍ୟବସାୟୀ, ମଣ୍ଡି ମାଲିକ ଓ ଖୁଚୁରା ବେପାରୀ ମାନଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଥିଲେ । ଫଳସ୍ୱରୂପ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଏହି ପିଆଜ ବିକ୍ରୟ କରାଯାଉଛି । ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମକୁ ରୋକିବା ନିମନ୍ତେ ସରକାର ଖାଉଟିମାନଙ୍କ ନିକଟରେ ସୁଲଭ ମୂଲ୍ୟରେ ସାମଗ୍ରୀ ପହଞ୍ଚାଇବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ ନାଫେଡ୍‌ ମାଧ୍ୟମରେ ଆଳୁ ଓ ପିଆଜ ସଂଗ୍ରହ କରି ଖାଉଟମାନଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ । ଆଗାମୀ ଦିନରେ ବିଭିନ୍ନ ଅଞ୍ଚଳକୁ ନାଫେଡ୍‌ ମାଧ୍ୟମରେ ପିଆଜ ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଥିଲେ ମଧ୍ୟ ଏହାର କୌଣସି ଟାଇମ ଲାଇନ ନାହିଁ। ଫଳରେ ୩୦ ଜିଲ୍ଲାରେ ସାଧାରଣ ଖାଉଟି ବ୍ୟବସାୟୀ କବଳରେ ସେମିତି ଘାଣ୍ଟି ହେବେ ସିନା ପ୍ରଶାସନ ମଧ୍ୟ୍ୟ ଏହି ବ୍ୟବସାୟୀ ମାନଙ୍କୁ କିଛି କରିପାରିବ ଏଭଳି କିଛି ଆଶା କରାଯାଉନି।