June 12, 2026

ବାଇକ୍ ଦୁର୍ଘଟଣାରେ ମହିଳା ଗୁରୁତର 

IMG-20250828-WA0034
Share

ବୁଗୁଡା : ତା ୨୮/୦୮/୨୫ : ବୁଗୁଡ଼ା-ମୋଟାବାଡି ରାସ୍ତାରେ କାଞ୍ଜିଆପଲ୍ଲୀ ରାଇସ୍ ମିଲ୍ ନିକଟସ୍ଥ ବୁଲାଣି ରାସ୍ତାରେ ଦୁଇଟି ବାଇକର ମୁହାଁମୁହିଁ ଧକ୍କାରେ ଜନୈକା ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତର ମହିଳା ଜଣକ ହେଲେ ପୋଲସରା ବ୍ଲକ ଅନ୍ତର୍ଗତ ସାବିତ୍ରୀଭଗଡା ଗ୍ରାମର ପୁଷ୍ପା ପ୍ରଧାନ (୪୫)। ପ୍ରକାଶ ଯେ,ଆଜି ଅପରାହ୍ନରେ ନାଗିରି ଗ୍ରାମର ଧ୍ରୁବଚରଣ ପ୍ରଧାନ ତାଙ୍କର ମାଉସୀ ପୁଅ ଭାଇ ଓ ମାଉସୀ ପୁଷ୍ପାଙ୍କୁ ବାଇକରେ ବସାଇ ସାବିତ୍ରୀ ଭଗଡା ଗ୍ରାମରେ ଛାଡିବାକୁ ଯାଉଥିଲେ। ଏହି ସମୟରେ ସାମନା ପଟୁ ବାଲିସାହି ଗ୍ରାମର ସମ୍ବିଦ୍ ପ୍ରଧାନ(୨୨) ଓ ତାଙ୍କର ଜଣେ ସାଥୀ ପଲସର୍ ବାଇକରେ ଦ୍ରୁତ ଗତିରେ ଆସି କାଞ୍ଜିଆପଲ୍ଲୀ ରାଇସ୍ ମିଲ୍ ନିକଟସ୍ଥ ବୁଲାଣି ରାସ୍ତାରେ ସାମନା ପଟୁ ତାଙ୍କ ବାଇକକୁ ଧକ୍କା ଦେଇଥିଲେ। ଫଳରେ ସମ୍ବିତ ଓ ତାଙ୍କର ସାଥୀ ଗାଡି ସହ ରାସ୍ତାକଡ ଲଟାବୁଦା ମଧ୍ୟକୁ ଫୋପାଡି ହୋଇପଡିଥିଲେ ଏବଂ ପୁଷ୍ପାଙ୍କ ଉପରେ ସେ ବସିଥିବା ବାଇକଟି ଲଦି ହୋଇଯାଇଥିଲା। ଦୁର୍ଘଟଣାରେ ସମ୍ବିଦଙ୍କ ଥୋଡି ଫାଟି ଯାଇଥିବା ବେଳେ ପୁଷ୍ପାଙ୍କ ଡାହାଣ ହାତ ଭାଙ୍ଗିଯିବା ସହ ମୁଣ୍ଡ ଓ ଅଣ୍ଟାରେ ଆଘାତ ଲାଗିଥିଲା। ଆହତ ଦ୍ବୟଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଅଣାଯାଇଥିଲା ।ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ପୁଷ୍ପାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।