ଏସବିଆଇ ଏଲଡିଏମଙ୍କ ଦ୍ୱାରା ରେଙ୍ଗାପଡ଼ାଠାରେ ‘ଖେତ ବଞ୍ଚାଅ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ
ସମ୍ବଲପୁର,୧୨. ୦୬: ଆଜି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅଧୀନ ରେଙ୍ଗାପଡ଼ା ଗ୍ରାମଠାରେ ଖେତ ବଞ୍ଚାଅ ଅଭିଯାନ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସମ୍ବଲପୁର ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଦେବକିଶୋର ନାୟକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ନାବାର୍ଡ, ସମ୍ବଲପୁର ଜିଲ୍ଲା ବିକାଶ ପ୍ରବନ୍ଧକ ଧୀରେନ୍ଦ୍ର କୁମାର ଦାଶ, ଅବସରପ୍ରାପ୍ତ କୃଷି ଓଭରସିୟର ଓ ପ୍ରଖ୍ୟାତ ପ୍ରାକୃତିକ ଚାଷ ପରାମର୍ଶଦାତା ରଘୁମଣି ହୋତା ଏବଂ ସାର୍କର ସଚିବ ଅଶୋକ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ। ନାବାର୍ଡ ଦ୍ୱାରା ପୃଷ୍ଠପୋଷିତ ଏବଂ ସାର୍କ ଦ୍ୱାରା ପ୍ରୋତ୍ସାହିତ ଚାରମାଲ ଭେଜିଟେବୁଲ ପ୍ରୋଡ୍ୟୁସର କମ୍ପାନୀ, ଏକ କୃଷକ ଉତ୍ପାଦକ ସଂଗଠନ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପାଖ ଗ୍ରାମର ଅନେକ ଏଫପିଓ ସଦସ୍ୟ ଓ ଚାଷୀ ଏଥିରେ ଯୋଗଦେଇଥିଲେ।
ସମାବେଶକୁ ସମ୍ବୋଧିତ କରି ରଘୁମଣି ହୋତା ଚାଷ ଜମିକୁ କ୍ଷୟକ୍ଷତିରୁ ରକ୍ଷା କରିବା ପାଇଁ ପ୍ରାକୃତିକ ସାମଗ୍ରୀ ଓ ଭର୍ମି କମ୍ପୋଷ୍ଟ ବ୍ୟବହାର କରିବା ସହିତ ଅଧିକ ଉତ୍ପାଦନ ଓ ଉତ୍ତମ ମୂଲ୍ୟ ପ୍ରାପ୍ତି ପାଇଁ ଦେଶୀ ବିହନର ବ୍ୟବହାର ବଢ଼ାଇବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ।
ଦେବକିଶୋର ନାୟକ, ଏଲଡିଏମ, ଏସବିଆଇ ସମ୍ବଲପୁର ସ୍ୱଳ୍ପକାଳୀନ ଚାଷ ଆର୍ଥିକ ଆବଶ୍ୟକତା ପାଇଁ କିଷାନ କ୍ରେଡିଟ କାର୍ଡ ସହାୟତା ଉପରେ ଆଲୋକପାତ କଲେ ଏବଂ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଅନ୍ୟାନ୍ୟ କୃଷି ଓ ସାମାଜିକ ସୁରକ୍ଷା ଯୋଜନା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ।
ଧୀରେନ୍ଦ୍ର କୁମାର ଦାଶ, ଡିଡିଏମ, ନାବାର୍ଡ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କହିଲେ ଏବଂ ମଣିଷ ଓ ଚାଷ ଜମିର ଦୀର୍ଘକାଳୀନ ଲାଭ ସହ ରପ୍ତାନୀ ଉପଯୋଗୀ ଗୁଣବତ୍ତା ଉତ୍ପାଦନ ପାଇଁ ଚାଷୀମାନଙ୍କୁ ପ୍ରାକୃତିକ ଚାଷ ପଦ୍ଧତି ଅନୁସରଣ କରିବାକୁ ଅନୁରୋଧ କରିଥିଲେ।
ଅଶୋକ କୁମାର ପାଣିଗ୍ରାହୀ, ସଚିବ, ସାର୍କ ଚାଷୀମାନଙ୍କୁ ଏଫପିଓ ମାଧ୍ୟମରେ ଗୁଣବତ୍ତା କୃଷି ଉତ୍ପାଦର ଏକାତ୍ରୀକରଣ ପାଇଁ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଇ , ଯାହା ଦ୍ୱାରା ଦର ଦରଦାମ କ୍ଷେତ୍ରରେ ସେମାନଙ୍କର ଆଲୋଚନା କ୍ଷମତା ଓ ଉତ୍ତମ ମୂଲ୍ୟ ପ୍ରାପ୍ତି ବଢ଼ିବ ସେ ବିଷୟରେ ବୁଝାଇଥିଲେ।
ଚାରମାଲ ଭେଜିଟେବୁଲ ପ୍ରୋଡ୍ୟୁସର କମ୍ପାନୀ ଏଫପିଓର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି କାର୍ଯ୍ୟକ୍ରମର ସମନ୍ୱୟ କରିଥିଲେ। ହିତାଧିକାରୀମାନେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ପର୍ଯ୍ୟାୟକ୍ରମେ ଓ ସକରାତ୍ମକ ଭାବେ ପ୍ରାକୃତିକ ଚାଷ ପଦ୍ଧତି ଆପଣାଇବାକୁ ଶପଥ ଗ୍ରହଣ କରିଥିଲେ।
