ରାସ୍ତା ପାଲଟିଛି ମରଣଯନ୍ତା, ଗ୍ରାମବାସୀ ହନ୍ତସନ୍ତ , ପ୍ରତିକାର ନ ହେଲେ ଭୋଟ ବର୍ଜନ ଚେତାବନୀ , ରାସ୍ତା ନିର୍ମାଣ କାର୍ଯ୍ଯ ଯଥାଶୀଘ୍ର ବୋଲି ବିଡିଓଙ୍କ ଆଶ୍ବାସନା
[ରାସ୍ତା ପାଲଟିଛି ମରଣଯନ୍ତା, ଗ୍ରାମବାସୀ ହନ୍ତସନ୍ତ , ପ୍ରତିକାର ନ ହେଲେ ଭୋଟ ବର୍ଜନ ଚେତାବନୀ , ରାସ୍ତା ନିର୍ମାଣ କାର୍ଯ୍ଯ ଯଥାଶୀଘ୍ର ବୋଲି ବିଡିଓଙ୍କ ଆଶ୍ବାସନା
ବୁଗୁଡ଼ା : ତା ୨୮/୦୮/୨୩ : ସ୍ବଧୀନତାର ଦୀର୍ଘ ୭୬ ବର୍ଷ ପରେ ବି ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମବାସୀମାନେ ନାହିଁ ନଥିବା ହନ୍ତସନ୍ତ ହେଉଥିବା ବେଳେ ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁନଥିବା ଭଳି ଦୁର୍ଭାଗ୍ଯଜନକ ସ୍ଥିତି ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତରେ ଦେଖିବାକୁ ମିଳୁଛି । ଗୋଲିଆ ପଞ୍ଚାୟତର ତାଳସର , ଡାହାଣୀପଲ୍ଲୀ, ମରେଇପଲ୍ଲୀ ଆଦି ଗାଁ ଗୁଡିକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି । ଏହି ଗାଆଁଗୁଡିକର ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ଗୋଲିଆ ହାଇସ୍କୁଲକୁ ଏବଂ ଲୋକେ ଭତ୍ତା ଟଙ୍କା ଓ ରାସନ ପାଇଁ ପଞ୍ଚାୟତ ଅଫିସକୁ ଯିବା ଆସିବା କରିବାରେ ରାସ୍ତା ସମସ୍ଯା ଯୋଗୁଁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି । ବିପଦ ସମୟରେ ଆମ୍ବୁଲାନ୍ସ ମରେଇପଲ୍ଲୀ ଗାଁ ପାଖକୁ ଯାଇପାରୁଥିବା ବେଳେ ଅନ୍ଯ ଗାଁ ଗୁଡିକୁ ଯାଇ ପାରୁନଥିବାରୁ ଲୋକେ ରୋଗୀକୁ ଆମ୍ବୁଲାନ୍ସ ପାଖକୁ ଆଣିବାକୁ ପଡୁଛି। ଏ ନେଇ ସମ୍ପୃକ୍ତ ଗ୍ରାମଗୁଡ଼ିକର ଅଧିବାସୀମାନେ ଜନପ୍ରତିନିଧିଙ୍କ ନିକଟରେ ଗୁହାରି କଲେ ମଧ୍ଯ ପ୍ରତିଶ୍ରୁତି ଛଡା କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ତେବେ ଆଜି ସମ୍ପୃକ୍ତ ଗାଁ ଗୁଡିକର ବହୁ ମହିଳା ଓ ପୁରୁଷ ଉକ୍ତ ସମସ୍ଯା ସମ୍ପର୍କିତ ଏକ ଅଭିଯୋଗ ପତ୍ର ନେଇ ବିଡିଓ ବାସୁଦେବ ନାୟକଙ୍କୁ ପ୍ରଦାନ କରି ପ୍ରତିକାର ବ୍ଯବସ୍ଥା ପାଇଁ ଦାବି କରିଥିଲେ । ଅନ୍ଯପକ୍ଷରେ ଯଦି ରାସ୍ତା ସମସ୍ଯାର କୌଣସି ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ଗ୍ରାମବାସୀ ସମୂହ ଭୋଟ ବର୍ଜନ କରିବା ଚେତାବନୀକୁ ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ। ତେବେ ବିଡିଓ ସେମାନଙ୍କ ଅଭିଯୋଗକୁ ହୃଦୟଙ୍ଗମ କରି ଆସନ୍ତା କାଲି ସେଠାକୁ ଯାଇ ରାସ୍ତାର ଅବସ୍ଥା ଦେଖି ମୋରମ କିମ୍ବା କ୍ରସର ଗୁଣ୍ଡ ପକାଇ କିଛି ଗୋଟାଏ ବ୍ଯବସ୍ଥା କରିବାକୁ ପ୍ରତିଶ୍ରୁତି ଦେବା ସହ ସେହି ରାସ୍ତାଟିକୁ ଗ୍ରାମ୍ଯ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଛି ଏବଂ ପକ୍କା ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଥିବାରୁ ଯଥାଶୀଘ୍ର ତାହା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଆଶ୍ଵାସନା ଦେଇଥିଲେ ।