ସିଜିମାଳି ରେ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ବାତିଲ୍ କର: ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍. ଏ. ପି. ଏମ୍)*
*ସିଜିମାଳି ରେ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ବାତିଲ୍ କର: ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍. ଏ. ପି. ଏମ୍)*
ଭୁବନେଶ୍ୱର, ତା୨୮/୦୫/୨୬: ସିଜିମାଳିରେ ବେଦାନ୍ତ କମ୍ପାନୀ ଦ୍ୱାରା ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ସୁପାରିଶକୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଗ୍ରହଣ ନ କରିବାକୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ଵୟ( ଏନ୍.ଏ.ପି.ଏମ୍.) ଦାବି କରିଛି। ଲୋହିଆ ଏକାଡେମୀ ସଭାଗୃହରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ନ୍ୟାସନାଲ ଆଲିଆନ୍ସ ଅଫ୍ ପିପୁଲ୍ସ ମୁଭମେଣ୍ଟ (ଏନ୍.ଏ.ପି.ଏମ୍) ପକ୍ଷରୁ ପ୍ରଫୁଲ୍ଲ ସାମନ୍ତରା ଓ ନରେନ୍ଦ୍ର ମହାନ୍ତି
ସିଜିମାଳିରେ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ସୁପାରିଶ କୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଗ୍ରହଣ ନ କରିବାକୁ ନିବେଦନ କରିଛନ୍ତି ଏବଂ ରାଜ୍ୟସରକାର ଖଣି ଲିଜ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।
ଗତ ୧୫ ତାରିଖରେ କେନ୍ଦ୍ରର ପରିବେଶ ମନ୍ତ୍ରାଳୟ ର ବିଭିନ୍ନ ପ୍ରକଳ୍ପପାଇଁ ଗଠିତ ସମୀକ୍ଷା କମିଟି ପ୍ରଭାବିତ ଲୋକଙ୍କ ଆପତ୍ତି ଓ ସିଜିମାଳିରେ ଥିବା ଜଳ,ଜଙ୍ଗଲ ଓ ଜୈବବିବିଧତା ପ୍ରତି ଆଖିବୁଜି ଦେଇ ପରିବେଶ ମଞ୍ଜୁରୀ ଦେବାକୁ ସୁପାରିଶ କରିଛି । ଯାହାକୁ ସ୍ଥାନୀୟ ଜନତା, ଯେଉଁମାନେ ଏହା ବିରୋଧରେ ଜୀବନ ମରଣ ପଣ କରି ଲଢ଼ୁଛନ୍ତି, ସେମାନେ ଏହାକୁ କଦାପି ଗ୍ରହଣ କରିପାରିବେ ନାହିଁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ଭାବେ ମତବ୍ୟକ୍ତ କରାଯାଇଛି।
ବକ୍ସାଇଟ ଶେଷ ହୋଇଗଲାପରେ ସେଠାରୁ ଜନ୍ମନେଇଥିବା ପାନିଛିଡା -ଶୁଆଗଡ ନଦୀ ସହ ରାଣୀଝୋଲା,ଜାମୁ, ଗୁରୁଙ୍ଗିଝୋଲା ସମେତ ଶତାଧିକ ଚିରସ୍ରୋତା ଝରଣା ଲୋପ ପାଇଯିବ ।ଏହି ଝରଣାଗୁଡ଼ିକରୁ ଅନେକ ଝରଣା ନାଗାବଳୀ ନଦୀକୁ ଜଳ ଯୋଗାଉଛନ୍ତି। ଏଥିସହ ପର୍ବତରେ ଥିବା ଜଳ ପ୍ରପାତ ଓ ଝରଣା ଦ୍ଵାରା ଅନେକ କ୍ଷୁଦ୍ର ଶସ୍ୟ ଦାନା (ମିଲେଟ୍) ଚାଷ ହେଉଛି ଓ ସେହି ଅଞ୍ଚଳରେ ବିଭିନ୍ନ ପ୍ରକାରର କୃଷିଜାତ ସାମଗ୍ରୀ ଅମଳ ହେଉଛି।ଏସବୁର ଅନ୍ତ ହୋଇଯିବା ଦ୍ଵାରା ଆଦିବାସୀ ଦଳିତ ଲୋକଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇଯିବ ଏବଂ ବ୍ୟାପକ ପରିବେଶ ସଙ୍କଟ ସୃଷ୍ଟି ହେବ। ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ପୂଜିତ ହେଉଥିବା ତିଜି ରାଜା ପୂଜା ବ୍ୟାହତ ହେଲେ ସେମାନଙ୍କର ଧାର୍ମିକ ଅଧିକାର ମଧ୍ୟ ବ୍ୟାହତ ହେବ। ତେଣୁ ଏହା ଆଦିବାସୀ ଦଳିତଙ୍କ ଆର୍ଥିକ ,ସାମାଜିକ ଓ ଧାର୍ମିକ ସ୍ୱାଧୀନତାକୁ ବିପର୍ଯ୍ୟସ୍ତ କରିବା ସହ ବ୍ୟାପକ ପରିବେଶୀୟ କ୍ଷୟକ୍ଷତି ରାଜ୍ୟର ଜଳବାୟୁ ଉପରେ ପ୍ରଭାବ ପକାଇବ।
ଆଇନଗତ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଉଲ୍ଲଂଘନ କରି ମିଥ୍ୟା ଗ୍ରାମ ସଭା ଜରିଆରେ ଜଙ୍ଗଲ ଜମି ହସ୍ତାନ୍ତର ଓ ଜମି ଅଧିଗ୍ରହଣ ଜବରଦସ୍ତ କରାଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଙ୍କ ଖଣ୍ଡପୀଠ ମିଥ୍ୟା ଗ୍ରାମସଭା ଅଭିଯୋଗର ସତ୍ୟତା ପ୍ରତି ଜଙ୍ଗଲ ପରିବେଶ ମନ୍ତ୍ରାଳୟ ବିଚାରକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହାକୁ ବିଚାରକୁ ନେବାପାଇଁ ସ୍ୱତନ୍ତ୍ରଭାବେ ଶ୍ରୀ ପ୍ରଫୁଲ୍ଲ ସାମନ୍ତରା ଏକ ତଥ୍ୟଭିତ୍ତିକ ଆବେଦନ ପତ୍ର ଜରିଆରେ କମିଟି ଅଧ୍ୟକ୍ଷଙ୍କୁ ପ୍ରେରଣ କରିଥିଲେ। ଏହାସତ୍ତ୍ୱେ କମିଟି ବେଦାନ୍ତ କମ୍ପାନୀକୁ ଅନୁଗ୍ରହ ଦେଖାଇ ପରିବେଶ ମଞ୍ଜୁରୀ ପାଇଁ ସୁପାରିଶ କରିବା ଅଗଣତାନ୍ତ୍ରିକ ଏବଂ ଅନ୍ୟାୟପୂର୍ଣ୍ଣ ଅଟେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସେମାନେ ଅଭିଯୋଗ କରିଛନ୍ତି।
ଆଦିବାସୀ ଓ ଦଳିତ ସମାଜ ପୋଲିସର ଲାଠି ,ଗୁଳି ଖାଇ ଏହି ପ୍ରକଳ୍ପ ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନ କରୁଛନ୍ତି ଏବଂ ଏବେ ମଧ୍ୟ ୧୨ ଜଣ ଗ୍ରାମବାସୀ ତିନିମାସ ଧରି ଜେଲରେ ଅଛନ୍ତି।
ରାଜ୍ୟର ସମସ୍ତ ରାଜନୈତିକ ଦଳର ନେତୃମଣ୍ଡଳୀ ପୋଲିସର ବର୍ବର ଦମନଲୀଳା ପରେ ଲୋକଙ୍କ ପାଖକୁ ଯାଇଛନ୍ତି ଏବଂ ସିଜିମାଳି ରେ ଖଣି ନିଷେଧ କରିବାକୁ ଲୋକଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି। ତେଣୁ କେନ୍ଦ୍ରର ପରିବେଶ ମନ୍ତ୍ରାଳୟ ଏହି ମଞ୍ଜୁରୀ ତଥା ସୁପାରିଶକୁ ଅଗ୍ରାହ୍ୟ କରିବା ପାଇଁ ସେମାନେ ଦାବି କରିଛନ୍ତି। ସେହିପରି ରାଜ୍ୟ ସରକାର ଏହି ଜୀବନ ଜୀବିକା ଓ ପରିବେଶ ଧ୍ୱଂସକାରୀ ଖଣି ଲିଜ ପ୍ରତ୍ୟାହାର କରିବାକୁ ସେମାନେ ସରକାରଙ୍କୁ ଆହ୍ୱାନ କରିଛନ୍ତି। ନଚେତ ଏହା ବିରୋଧରେ ଜନ ଆନ୍ଦୋଳନ ବ୍ୟାପକ ହେବା ଅପରିହାର୍ଯ୍ୟ ବୋଲି ମା ମାଟି ମାଳି ସୁରକ୍ଷା ମଞ୍ଚ ର ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଆନ୍ଦୋଳନକୁ ସଂହତି ଜଣାଉଥିବା ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍) ପକ୍ଷରୁ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରା ଓ ନରେନ୍ଦ୍ର ଶ୍ରୀ ମହାନ୍ତି କହିଛନ୍ତି।
