September 23, 2026

ସ୍ତନ କର୍କଟ ଚିହ୍ନଟ ପାଇଁ କାଗଜ ଆଧାରିତ ନାନୋସେନ୍ସର ଓଡ଼ିଆ ଗବେଷକଙ୍କ ଅଭିନବ ପ୍ରୟାସ

IMG-20260923-WA0046
Share

ଭୁବନେଶ୍ୱର ( ଦେବାଶିଷ ଦାଶ )

 ସ୍ତନ କର୍କଟର କୋଷ ରକ୍ତରେ ଅତ୍ୟନ୍ତ କମ୍ ସଂଖ୍ୟାରେ ଥିବାରୁ ସେଗୁଡ଼ିକୁ ଶୀଘ୍ର ଚିହ୍ନଟ କରିବା ବୈଜ୍ଞାନିକମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ। ଏହି ଦିଗରେ ଆଇଆଇଟିର ଗବେଷକମାନେ ‘ପାପ୍ଟୋସେନ୍ସ’ (Paptosense) ନାମକ ଏକ କମ୍ ଖର୍ଚ୍ଚର, ସହଜରେ ବହନଯୋଗ୍ୟ ଓ କାଗଜ ଆଧାରିତ ନାନୋସେନ୍ସର ବିକଶିତ କରିଛନ୍ତି।

ଏହି ଗବେଷଣାରେ ଓଡ଼ିଆ ଗବେଷକ ଜୟଦୀପ କାନୁନ୍‌ଗୋଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଆଇଆଇଟି ଗାନ୍ଧୀନଗରର ପୂର୍ବତନ ଏମ୍.ଟେକ୍ ଛାତ୍ର ଜୟଦୀପ ବର୍ତ୍ତମାନ ସିଟି ୟୁନିଭର୍ସିଟି ଅଫ୍ ହଂକଂରେ ପିଏଚ୍.ଡି. ଗବେଷଣା କରୁଛନ୍ତି। ଏହି ପ୍ରଯୁକ୍ତିର ବିକାଶରେ ସେ ସ୍କ୍ରିନ୍-ପ୍ରିଣ୍ଟେଡ୍ ପେପର୍ ମ୍ୟାଟ୍ରିକ୍ସ ଏବଂ ଇଲେକ୍ଟ୍ରୋକେମିକାଲ୍ ସେଲ୍ ଟ୍ରାକିଂ ପ୍ରଣାଳୀର ବିକାଶରେ କାର୍ଯ୍ୟ କରିଛନ୍ତି। ଏହି ଉପକରଣରେ MAMB1 ଆପ୍ଟାମର୍ ନାମକ ଏକ କ୍ଷୁଦ୍ର DNA ଶୃଙ୍ଖଳା ବ୍ୟବହାର କରାଯାଇଛି। ଏହା ସ୍ତନ କର୍କଟ ସହ ସମ୍ପର୍କିତ Mammaglobin-A ପ୍ରୋଟିନକୁ ଚିହ୍ନଟ କରିଥାଏ। କର୍କଟ କୋଷ ଆପ୍ଟାମର୍ ସହ ସଂଯୁକ୍ତ ହେଲେ MXene ନାନୋମ୍ୟାଟେରିଆଲ୍ ସେହି ପ୍ରତିକ୍ରିୟାକୁ ଏକ ମାପଯୋଗ୍ୟ ବିଦ୍ୟୁତ୍ ସଙ୍କେତରେ ପରିଣତ କରେ। ଏହି ସଙ୍କେତକୁ ଏକ ହ୍ୟାଣ୍ଡହେଲ୍ଡ ରିଡର୍ ମାଧ୍ୟମରେ ଚିହ୍ନଟ କରାଯାଏ।

ପରୀକ୍ଷାଗାର ପରୀକ୍ଷଣରେ ଏହି ପ୍ରୋଟୋଟାଇପ୍ ସେନ୍ସର ପ୍ରତି ମିଲିଲିଟର୍ ସିରମ୍‌ରେ ୪ଟି ପର୍ଯ୍ୟନ୍ତ ସ୍ତନ କର୍କଟ କୋଷ ଚିହ୍ନଟ କରିବାର କ୍ଷମତା ପ୍ରଦର୍ଶନ କରିଛି।

କମ୍ ଖର୍ଚ୍ଚ, ସହଜ ବ୍ୟବହାର, ପୋର୍ଟେବଲ୍ ଡିଜାଇନ୍ ଏବଂ ଉଚ୍ଚ ସମ୍ବେଦନଶୀଳତା ଏହି ନୂତନ ପ୍ରଯୁକ୍ତିର ପ୍ରମୁଖ ବିଶେଷତା।

ଗବେଷଣାର ଏହି ପ୍ରାରମ୍ଭିକ ଫଳାଫଳ ଭବିଷ୍ୟତରେ ସ୍ତନ କର୍କଟର ପ୍ରାରମ୍ଭିକ ଚିହ୍ନଟ ପାଇଁ ଅଧିକ ସୁଲଭ ଓ ସରଳ ପ୍ରଯୁକ୍ତି ବିକାଶରେ ସହାୟକ ହେବ ।