ଦଳିତ ଓ ଆଦିବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବାରେ ସରକାର ବିଫଳ

ଗଞ୍ଜାମ ଜିଲ୍ଲାରେ ଜାତିଗତ ଉତ୍ପୀଡ଼ନ ରୋକିବାରେ ସରକାର ବିଫଳ
୨ ଜୁନ୍ରେ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବେ ଦଳିତ ଓ ଆଦିବାସୀ
ଗଞ୍ଜାମ ଜିଲ୍ଲାରେ ଦଳିତ ଓ ଆଦିବାସୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୨୩% (ଦଳିତ – ୧୯.୫% ଓ ଆଦିବାସୀ – ୩.୫%) ହୋଇଥିଲେ ମଧ୍ୟ ସବୁ କ୍ଷେତ୍ରରେ ସେମାନେ ଅବହେଳିତ ହୋଇ ଆସିଛନ୍ତି। ସ୍ୱାଧୀନତା ପର ଠାରୁ ଏଯାଏଁ କ୍ରମାଗତ ସବୁ ସରକାରଙ୍କ ଶାସନ କାଳରେ ଜିଲ୍ଲାର ଦଳିତ ଓ ଆଦିବାସୀଙ୍କ ଦାରିଦ୍ର୍ୟ ଓ ପଶ୍ଚାଦପଦତା ଅବ୍ୟାହତ ରହିଛି। ଦଳିତ ଓ ଆଦିବାସୀଙ୍କ ପ୍ରତି ସରକାରଙ୍କ ଏହି ଅବହେଳା ଓ ସମ୍ୱେଦନଶୀଳତାର କାରଣରୁ ଆଜି ବି ଜିଲ୍ଲାର ଅଧିକାଂଶ ଦଳିତ ଓ ଆଦିବାସୀ ପରିବାର ଭୂମିହୀନ ଓ ଗୃହହୀନ ରହିଛନ୍ତି। ବର୍ଷ ବର୍ଷ ଧରି ସରକାରୀ ଜମିରେ ଚାଷ ଓ ବାସ କରି ରହୁଥିଲେ ମଧ୍ୟ ସରକାର ପ୍ରଶାସନ ପଟ୍ଟା ଦେଉନାହାଁନ୍ତି। ଏପରିକି ବର୍ତମାନର ବିଜେପି ଡ଼ବଲ ଇଂଜିନ୍ ସରକାର ରାଜ୍ୟର ସବୁ ଭୂମିହୀନଙ୍କୁ ୪ ଡ଼େସିମିଲ୍ ଜମି ଦେବାକୁ ଘୋଷଣା କରିଥିଲେ ମଧ୍ୟ ତାକୁ ଜିଲ୍ଲା ପ୍ରଶାସନ ଲାଗୁ କରୁନାହିଁ। ଗାଁରେ ଅଧିକାଂଶ ଦଳିତ ଭୂମିହୀନ ଓ ଗଅହହୀନ ଥିବା ବେଳେ ଗାଁରେ ଥିବା ସରକାରୀ ଜମିକୁ ପ୍ରାୟତଃ ସବର୍ଣ୍ଣ ସମ୍ପ୍ରଦାୟର ଧନୀ ଲୋକମାନେ କବ୍ଚା କରି ରଖିଛନ୍ତି। ପ୍ରଶାସନ ସେସବୁ ଜମିରୁ ଜବରଦଖଲ ହଟାଇ ଗରିବ ଦଳିତଙ୍କୁ ବାଂଟିବା ବଦଳରେ ଓଲଟି ଦଳିତମାନେ ଚାଷ କରୁଥିବା ସରକାରୀ ଜମିରୁ ସେମାନଙ୍କୁ ଉଚ୍ଛେଦ କରିବାକୁ ଉଦ୍ୟମ କରୁଛି। ବେଲଗୁଣ୍ଠା ତହସିଲର ବଡ଼ ଦୋଡ଼ଙ୍ଗାରେ ସବର୍ଣ୍ଣ ଲୋକେ ଶତାଧିକ ଭରଣ ସରକାରୀ ଜମିକୁ ଜବର ଦଖଲ କରିଥିବା ବେଳେ ସେଠାକାର ଭୂମିହୀନ ଗରିବ ଦଳିତଙ୍କୁ ସରକାରୀ ଜମିରୁ ହଟାଇବା ଦେଖାଯାଇଛି।
ଜଙ୍ଗଲ ଜମିରେ ଦଶକ ଦଶକ ଧରି ଚାଷ ଓ ବାସ କରି ଆସୁଥିବା ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ଦେବା ପାଇଁ ଜଙ୍ଗଲ ଅଧିକାରଆଇନ – ୨୦୦୬ ପ୍ରଣୟନ ହୋଇଥିଲେ ବି ଜିଲ୍ଲାର ଅଧିକାଂଶ ଆଦିବାସୀ ପରିବାର ଜଙ୍ଗଲ ଅଧିକାର ଶିରୋନାମା ପାଇବାରୁ ବଂଚିତ ଅଛନ୍ତି। ଏପରିକି ଯାହା ବି ଶିରୋନାମା ଦିଆଯାଇଛି, ତା’କୁ ବି ଚିହ୍ନଟ ନକରିବା ଫଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଜଙ୍ଗଲ ଜମିରେ ଅଧିକାର ନ ପାଇବା ଫଳରେ ସେମାନଙ୍କୁ ଜଙ୍ଗଲ ବିଭାଗ କର୍ମଚାରୀମାନଙ୍କ ଜୁଲୁମର ଶିକାର ହେବାକୁ ପଡୁଛି। ସରକାରୀ ଅବହେଳା ଯୋଗୁଁ ଆଜି ଜିଲ୍ଲାର ଅନେକ ଆଦିବାସୀ ଗ୍ରାମ ରାସ୍ତା, ବିଦ୍ୟୁତ୍ ଓ ପାନୀୟ ଜଳ ପରି ସର୍ବନିମ୍ନ ଆବଶ୍ୟକତାରୁ ବଂଚିତ ରହିଛନ୍ତି।
ଅନ୍ୟପଟେ ରାଜ୍ୟର ଅପେକ୍ଷାକୃତ ଏକ ରୁଢିବାଦୀ ଜିଲ୍ଲା ଭାବେ ଆମ ଜିଲ୍ଲାରେ ଆମ ଦଳିତ ଓ ଆଦିବାସୀଙ୍କ ପ୍ରତି ଜାତିଆଣ ଭେଦଭାବ ଓ ସାମାଜିକ ବାସନ୍ଦ ତଥା ଜାତିଗତ ହିଂସା ଏବେ ବି ଅବ୍ୟାହତ ରହିଛି। ଜିଲ୍ଲାରେ କୌଳିକ ଭାବେ ହାଟରେ ଗୋ ବ୍ୟବସାୟ କରୁଥିବା ଦଳିତ ସମ୍ପ୍ରଦାୟର ଛୋଟ ବ୍ୟବସାୟୀ, ସାଧାରଣ ଚାଷି ଏବଂ ଗୋପାଳକଙ୍କ ଉପରେ ଗୋ ସୁରକ୍ଷା ନାଁରେ କିଛି ସାମ୍ପ୍ରଦାୟିକ ସଂଗଠନର ଅସାମାଜିକ ଲୋକଙ୍କ ତରଫରୁ ଲଗାତାର ଆକ୍ରମଣ ଚାଲିଛି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏଭଳି ସାମ୍ପ୍ରଦାୟିକ ଓ ଜାତିଗତ ହିଂସାରେ ଆଖିଦୃଶିଆ ବୃଦ୍ଧି ଦେଖାଯାଇଛି।
ଜିଲ୍ଲାର ଅଧିକାଂଶ ଗାଁରେ ଦଳିତ ଓ ଆଦିବାସୀଙ୍କ ପ୍ରତି ଛୁଆଁ ଅଛୁଆଁ ଭେଦଭାବ ସମେତ ଜାତିଗତ ନିର୍ଯ୍ୟାତନା ଅବ୍ୟାହତ ରହିଛି। ଅଧିକାଂଶ ଗାଁରେ ଦଳିତମାନଙ୍କ ମନ୍ଦିର ପ୍ରବେଶ, ପୋଖରୀ ତୁଠରେ ପ୍ରବେଶ ଓ ଗାଁ ଦାଣ୍ଡରେ ବିବାହ ପଟୁଆର ନେବା ଉପରେ ବାରଣ ଓ ପ୍ରତିବନ୍ଧକ ରଖାଯାଇଛି। ଏପରିକି ଆଜି ବି କିଛି ଗାଁରେ ହୋଟେଲମାନଙ୍କରେ ଦଳିତ ଓ ଆଦିବାସୀଙ୍କ ପାଇଁ ଅଲଗା ଗିଲାସର ବ୍ୟବସ୍ଥା ବା ପରମ୍ପରା ରହିଛି। ଯେଉଁଠି ଆଦିବାସୀ କିମ୍ବା ଦଳିତ ଲୋକେ ଏଭଳି ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ସେମାନଙ୍କ ଉପରେ ହିଂସା ଓ ଆକ୍ରମଣ ହେଉଛି। ଗତ ମାସ ୨୬ ତାରିଖରେ ସୋରଡ଼ା ଥାନା ବଡ଼ ବଦାଙ୍ଗୀରେ ଦଳିତ ଲୋକେ ଗାଁର ସର୍ବସାଧାରଣ ରାସ୍ତାରେ ଏକ ବିବାହ ଶୋଭାଯାତ୍ରାରେ ଯାଉଥିବା ବେଳେ ସବର୍ଣ୍ଣ ସମ୍ପ୍ରଦାୟର କିଛି ଲୋକ ଠେଙ୍ଗାବାଡ଼ିରେ ମରଣାତ୍ମକ ଆକ୍ରମଣ କରିଥିଲେ। ସେଥିରେ ଅନେକ ଦଳିତ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ ବି ପୋଲିସ ତରଫରୁ ଏଯାଏଁ ଜଣେ ବି ଆକ୍ରମଣକାରୀଙ୍କୁ ଗିରଫ କରାଯାଇନି। ଓଲଟା ପୋଲି ପକ୍ଷରୁ ଆକ୍ରମଣକାରୀଙ୍କ ସହ ବୁଝାମଣା କରିବାକୁ ପୀଡ଼ିତ ଦଳିତ ଲୋକଙ୍କ ଉପରେ ଚାପ ପକାଯାଉଛି। ଅନେକ ଗୁଡ଼ିଏ ଜାତି ନିର୍ଯ୍ୟାତନା ମାମଲାରେ ପୋଲିସ ଖୋଲାଖୋଲି ଭାବେ ଦଳିତଙ୍କ ବିରୋଧରେ ଆକ୍ରମଣକାରୀଙ୍କ ସପକ୍ଷରେ କାମ କରିବା ଦେଖିବାକୁ ମିଳୁଛି।
ଏଭଳି ପରିସ୍ଥିତିରେ ଜିଲ୍ଲାର ଦଳିତ ଓ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ଅବହେଳା, ନିର୍ଯ୍ୟାତନା ବିରୁଦ୍ଧରେ ତଥା ସେମାନଙ୍କୁ ଜମି ତଥା ଜଙ୍ଗଲ ଉପରେ ଅଧିକାର ଏବଂ ରାସ୍ତା, ପିଇବା ପାଣି ଓ ବିଦ୍ୟୁତ୍ ପରି ମୌଳିକ ସୁବିଧା ସୁଯୋଗ ଯୋଗାଇବା ଦାବିରେ ଜିଲ୍ଲାର ଆଦିବାସୀ ଓ ଦଳିତ ଲୋକଙ୍କ ଅଧିକାର ପାଇଁ ସଂଗ୍ରାମରତ ଏଆଇକେଏମ୍ଏସ୍, ଓଡିଶା ଦଳିତ ମହାସଭା ଓ ଅଲ୍ ଇଣ୍ଡିଆ ଟ୍ରାଇବଲ ଫୋରମ୍ ପକ୍ଷରୁ ମିଳିତ ଭାବେ ଆସନ୍ତା ଜୁନ୍ ୨ ତାରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବାକୁ ଡାକରା ଦେଉଛୁ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକ୍ର ବହୁ ୁ ଆଦିବାସୀ ଓ ଦଳିତମାନେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଯାଉଛନ୍ତି।
