ସରିଲା ପାରାଦୀପ ବନ୍ଦର ର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା..
ସରିଲା ପାରାଦୀପ ବନ୍ଦର ର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା | ସରିଲା ପାରାଦ୍ଵୀପ ବନ୍ଦର ର ପ୍ରସିଦ୍ଧ ବିଶ୍ଵକର୍ମା ପୂଜା। ପାରାଦ୍ଵୀପ ରେ ଦିର୍ଘ ୭ ଦିନ ଧରି ବିଛିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଝକ୍ ମକ୍ ଲାଇଟ୍ ସାଙ୍ଗକୁ ଚଟପଟି ଖାଦ୍ୟ,ସୁଉଚ୍ଚ ତୋରଣ ଲକ୍ଷାଧିକ ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି। ଲଘୁଚାପ ଜନିତ ବର୍ଷା ଯୋଗୁଁ ଶେଷ ଦିନରେ ଲୋକଙ୍କ ସମାଗମ କମ୍ ରହିଥିଲେ ମଧ୍ୟ ଭଲ ଗହଳି ହୋଇଥିଲା।
ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା କୁ ନେଇ ସଜେଇ ହୋଇଥିଲା ବନ୍ଦର ନଗରୀ ପାରାଦ୍ଵୀପ। ଗୋଟିଏ ସ୍ଥାନରେ ୧୮ ଉର୍ଦ୍ଧ୍ୱ ସୁଉଚ୍ଚ ତୋରଣ, ଚଟପଟି ଖାଦ୍ୟ, ଘରକରଣା ସାମଗ୍ରୀ ସହିତ ରାଜ୍ୟ ଓ ରାଜ୍ୟ ବାହାରର ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଏପରିକି ଗୋଟିଏ ଦିନରେ ଏକ ସମୟରେ ୭ ରୁ ଉର୍ଦ୍ଧ୍ୱ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମସ୍ତଙ୍କୁ ଆମୋଦିତ କରିଥିଲା। ଏହାର ମଜା ନେବାପାଇଁ ଦିର୍ଘ ୭ ଦିନ ଧରି ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା ପାରାଦ୍ଵୀପ ରେ । ଶହ ଶହ ବ୍ୟବସାୟୀ ନିଜର ପସରା ମେଲାଇ ଥିଲେ ତ ବିଶ୍ଵକର୍ମା ପୂଜା ରେ। ତେବେ ଏହି ଯାତ୍ରା ରେ ଳିମିଳିତ ସମନ୍ୱୟ କମିଟି ଟ୍ରେଲର ସଂଘ ପକ୍ଷରୁ ମେଢ଼ ବୁଲିବା କୁ ଆସିଥିବା ଲୋକଙ୍କ ବିଶ୍ରାମ, ଚାହା, ଥଣ୍ଡା ଓ ପାଣିର ବ୍ୟବସ୍ଥା କରାଯାଇଥିଲା । ଯାହା ସମସ୍ତ ବୟସ୍କ ଓ ଛୋଟ ପିଲାମାନଙ୍କ ପାଇଁ ସବୁଠାରୁ ବଡ଼ ଉପାଦେୟ ସାବ୍ୟସ୍ତ ହୋଇଥିଲା। ସଂଘ ପକ୍ଷରୁ ଯାତ୍ରୀ ମାନଙ୍କ ବସିବା ପାଇଁ ଚେୟାର, ଫ୍ୟାନ ଓ କୁଲର ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଯାହାକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।
ଚଳିତ ବର୍ଷ ପାରାଦ୍ଵୀପ ର ବିଭିନ୍ନ ସ୍ଥାନରେ ୩୮ ରୁ ଉର୍ଦ୍ଧ୍ୱ ସ୍ଥାନରେ ବିଶ୍ଵକର୍ମାଙ୍କ ପୂଜା ଓ ମେଢ ତିଆରି ହୋଇଥିବା ବେଳେ ଜୟଦେବ ସଦନ ନିକଟରେ କେବଳ ୧୮ ଟି ସୁଉଚ୍ଚ ତୋରଣ ନିର୍ମାଣ କରାଯାଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଲୋକଙ୍କ ସମାଗମ କୁ ନେଇ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ, ୧୬ ରୁ ଉର୍ଦ୍ଧ୍ୱ ଅଫିସର ୮୩ ରୁ ଉର୍ଦ୍ଧ୍ୱ ସିସିଟିଭି କ୍ୟାମେରା ଲଗାଯିବା ସହିତ ୪ ଟି କଣ୍ଟ୍ରୋଲ ରୁମ୍ କରାଯାଇଥିଲା। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ତୋରଣ , ଥିମ୍, ଲାଇଟ୍ ଶୃଙ୍ଖଳା କୁ ନେଇ ପ୍ରଶାସନ ପକ୍ଷରୁ ଶ୍ରେଷ୍ଠ କମିଟି ଗୁଡିକୁ ପୁରସ୍କୁତ କରାଯାଇଛି। ଚଳିତ ବର୍ଷ ତୋରଣରେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ପ୍ରଥମ, ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ଦ୍ବିତୀୟ, ପାରାଦ୍ଵୀପ ଟ୍ରକ୍ ମାଲିକ ସଂଘ ତୃତୀୟ ହୋଇଛନ୍ତି। ସେହିପରି ଭିତର ସାଜସଜ୍ଜା ରେ ପାରାଦ୍ଵୀପ ଟ୍ରକ୍ ମାଲିକ ସଂଘ ପ୍ରଥମ, ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ଦ୍ବିତୀୟ ଓ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ତୃତୀୟ ହୋଇଛନ୍ତି। ଭାରତୀୟ ବନ୍ଦର ମଜଦୁର ସଂଘ ଲାଇଟ୍ ଡେକୋରେସନ ଓ ଡିସିପ୍ଲିନ ରେ ତୃତୀୟ ସ୍ଥାନ ହାସଲ କରିଛି। ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ମ୍ୟୁନିସିପାଲଟି ଅଧ୍ୟକ୍ଷ ବସନ୍ତ ବିଶ୍ବାଳ ବିଜୟୀ ସଂଘ କୁ ଟ୍ରଫି ସହିତ ପୁରସ୍କୁତ କରିଛନ୍ତି।
ଦିର୍ଘ ୭ ଦିନ ଧରି ଚଳଚଞ୍ଚଳ ଥିବା ବନ୍ଦର ନଗରୀ ପାରାଦ୍ଵୀପ ରେ ବୁଧବାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଛି। ଘଣ୍ଟ ଘଣ୍ଟା, ମୃଦଙ୍ଗ, ମାଦଳ , ଢୋଲ, ମହୁରୀ ର ତାଳେ ତାଳେ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କୁ ବିଦାୟ ଦେଇଛନ୍ତି ପାରାଦ୍ଵୀପ ବାସୀ । ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
