ପିପୁଲ୍ସ କଲେଜରେ ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ, ପ୍ରତିଭାଧାରୀ ଅଧ୍ଯାପକ ଓ ଅଧ୍ୟାପିକା ସମ୍ବର୍ଦ୍ଧିତ

ବୁଗୁଡା : ତା ୨୬/୧୨/୨୫ : ସ୍ଥାନୀୟ ପିପୁଲ୍ସ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକଦିବସୀୟ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ପ୍ରଜ୍ଞାଦୀପ୍ତ ପାଠଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚଶିକ୍ଷା ଉପନିର୍ଦ୍ଦେଶକ ପ୍ରଫେସର ଡ.ସିଦ୍ଧାର୍ଥ ଶଙ୍କର ପାଢୀ, ମୁଖ୍ୟ ବକ୍ତା ଭାବେ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ବିଶ୍ବଭାରତୀ, ଶାନ୍ତିନିକେତନର ପ୍ରଫେସର ଡ.ଶରତ କୁମାର ଜେନା ଯୋଗ ଦେଇ ପାଠଚକ୍ରର ପ୍ରସଙ୍ଗ “ଦକ୍ଷିଣ ଓଡ଼ିଶାର ଲୋକନୃତ୍ୟ ଓ ସାଂସ୍କୃତିକ ମୂଲ୍ଯବୋଧ” ସମ୍ପର୍କରେ ଆଲୋକପାତ କରିଥିଲା ବେଳେ ଇଂରାଜୀ ବିଭାଗ ମୁଖ୍ୟ ଅଧ୍ଯାପକ ଆତ୍ମପ୍ରକାଶ ନାୟକ ସଂଚାଳକ ଦାୟିତ୍ବ ନିର୍ବାହ କରିଥିଲେ। ଏ ଅବସରରେ ଅତିଥିମାନଙ୍କ ଦ୍ବାରା ସ୍ମରଣିକା “କାଠ କୋଣାର୍କ”ର ଉନ୍ମୋଚନ ହୋଇଥିଲା ବେଳେ ନିବନ୍ଧ “ଦି ଟେମ୍ପୁଲ ଅଫ୍ ଲର୍ଡ ଜଗନ୍ନାଥ ଅଫ୍ ପୁରୀ ଅଣ୍ଡର ଦି ମୋଗଲସ୍”ର ଗବେଷକ ତଥା ପିପୁଲ୍ସ କଲେଜ ଇତିହାସ ବିଭାଗ ଅଧ୍ଯାପକ ଡ.ପ୍ରଦୀପ କୁମାର ଦାଶଙ୍କୁ ଏବଂ ନିବନ୍ଧ “ଫକ୍ କଲଚର୍ ଅଫ୍ ସାଉଥ୍ ଓଡିଶା : ଏ ଷ୍ଟଡି ଅନ୍ ସୋସିଓ କଲଚୁରାଲ ଆସପେକ୍ଟସ୍ “ର ଗବେଷିକା ତଥା ପିପୁଲ୍ସ କଲେଜର ଇତିହାସ ବିଭାଗ ଅଧ୍ଯାପିକା ଡ.ରଶ୍ମିତା କୁମାରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ କଲେଜ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଆଲୋଚକ ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପ୍ରଫେସର ଡ.ସମୀର ଭୋଇ, ସମ୍ମାନିତ ଅତିଥି ଭାବେ ପିପୁଲ୍ସ କଲେଜ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ଅଧ୍ଯାପକ ଡ.ପ୍ରଶାନ୍ତ କୁମାର ମହାପାତ୍ର ଯୋଗ ଦେଇ” ଦକ୍ଷିଣ ଓଡ଼ିଶାର ଲୋକନୃତ୍ୟ ଓ ଏହାର ମୂଲ୍ଯବୋଧ” ପ୍ରସଙ୍ଗରେ ବ୍ଯାପକ ଆଲୋଚନା କରିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ.ହିମାଂଶୁ ଶେଖର ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ଯାପକ କିଶୋର କୁମାର ଶବର ଓ ଦୁଷ୍ମନ୍ତ ପ୍ରଧାନ ସକ୍ରିୟ ସହଯୋଗ କରିଥିଲେ । ଏହି ଜାତୀୟ ପାଠଚକ୍ର କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ବହୁ ଅଧ୍ଯାପକ-ଅଧ୍ଯାପିକା ତଥା ବିଷୟ ବିଶାରଦ ଯୋଗଦେଇ ଆଲୋଚ୍ଯ ବିଷୟ ସମ୍ପର୍କେ ସ୍ବ ସ୍ବ ପ୍ରବନ୍ଧ ଉପସ୍ଥାପନ କରିଥିଲା ବେଳେ ପରିଶେଷରେ ସହ-ସଂଯୋଜକ ଅଧ୍ଯାପକ ସଞ୍ଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
