May 10, 2026

ରାମନବମୀ ଓ ହନୁମାନ ଜୟନ୍ତୀ ୨୦୨୫ ପାଳନ ପରିପ୍ରେକ୍ଷୀରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

IMG-20250326-WA0021
Share

 

 

ବାଲେଶ୍ୱର(ଶେଖ୍ ନଜିମ୍):ଆସନ୍ତା ୫ ଓ ୬ ତାରିଖରେ ପାଳନ ହେବାକୁ ଥିବା ରାମ ନବମୀ ଓ ୧୪ ତାରିଖରେ ପାଳନ ହେବାକୁ ଥିବା ହନୁମାନ ଜୟନ୍ତୀ ଉତ୍ସବକୁ ଦୃଷ୍ଟିରେ ରଖି ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ, ଭାରପ୍ରାପ୍ତ ଉପଜିଲ୍ଲାପାଳ ଡ଼. ମଧୁସ୍ମିତା ସାମନ୍ତରାୟ, ଅତିରିକ୍ତ ଏସପି ଦେବଜ୍ୟୋତି ଦାସ ଓ ଆଇପିଏସ ପ୍ରୋବେସନର ଅର୍ଚିତା ମିତ୍ତଲ ପ୍ରମୁଖ ମଞ୍ଚାସୀନ ଥିଲେ I ଏଥି ସହିତ ପାନୀୟଜଳ, ସ୍ୱାସ୍ଥ୍ୟ, ପୋଲିସ, ବିଦ୍ୟୁତ, ସ୍ୱାସ୍ଥ୍ୟ ବିଭାଗ, ସ୍ଥାନୀୟ ଧାର୍ମିକ ଏବଂ ଗୋଷ୍ଠୀଙ୍କ ପ୍ରତିନିଧି ଏବଂ ଅନ୍ୟାନ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ପୂଜା ପାର୍ବଣ ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସଦର ମହକୁମାକୁ ଆସୁଥିବା ଭକ୍ତଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବିକାଶ ମତ ପ୍ରକାଶ କରିଥିଲେ I ଅନୁରୂପ ଭାବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ଉପରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରସାଦ ଗୁରୁତ୍ୱାରୋପ କରିଥିଲେ I ରାମନବମୀ ଉପଲକ୍ଷେ ଆସନ୍ତା ୫ ତାରିଖରେ ହେବାକୁ ଥିବା ମୋଟର ସାଇକଲ ରାଲି ନିମନ୍ତେ ଅପରାହ୍ନ ୩ ଘଟିକାରୁ ୬ ଘଟିକା ପର୍ଯ୍ୟନ୍ତ ସମୟ ନିର୍ଧାରଣ କରାଯାଇଛି I ସେହି ଭଳି ଆସନ୍ତା ୬ ତାରିଖରେ ପଦଯାତ୍ରା ଚୂଡାନ୍ତ କରାଯାଇଛି I ମୋଟର ସାଇକଲ ରାଲି ଓ ପଦଯାତ୍ରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ଏବଂ ଡି.ଜେ ମୁ୍ୟଜିକ ସିଷ୍ଟମ ଉପରେ ସମ୍ପୂର୍ଣ କଟକଣା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଝାଙ୍କିର ଉଚ୍ଚତା ଭୂମିପୃଷ୍ଠରୁ ୮ ଫୂଟ ମଧ୍ୟରେ ରହିବ I ଯାତ୍ରା ବେଳେ କୌଣସି ପ୍ରକାରର ତୀକ୍ଷ୍ଣ ଧାରଯୁକ୍ତ ଖଣ୍ଡା, ଅସ୍ତଶସ୍ତ୍ର ବ୍ୟବହାର ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି I ଉକ୍ତ ସମୟରେ ମାଦକ ଦ୍ରବ୍ୟ ଓ ମଦ ବିକ୍ରୟ ଉପରେ କଟକଣା ଲଗାଯିବା ନେଇ ସ୍ଥିର କରାଯାଇଥିଲା I ଗ୍ରୀଷ୍ମ ପ୍ରବାହ ସମୟରେ ଉପସ୍ଥିତ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଜଳ କେନ୍ଦ୍ର ଏବଂ ଚିକିତ୍ସା ସୁବିଧାର ବ୍ୟବସ୍ଥା କରାଯିବାର ସୂଚନା ଦିଆଯାଇଥିଲା। ଟ୍ରାଫିକ୍ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣକୁ କଡ଼ାକଡ଼ି ଲାଗୁ କରିବା ପାଇଁ ପୁଲିସ ବିଭାଗ ସହ ସମନ୍ୱୟ ରକ୍ଷା କରାଯିବ। ଆସନ୍ତା ପର୍ବଗୁଡିକୁ ଆନନ୍ଦ ଉଲ୍ଲାସ ତଥା ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ବିକାଶ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।