October 26, 2026

“କୁମାର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ” ବୋଲଗଡ଼ରେ ଉଛୁଳିଲା କୁମାରୀଙ୍କ ହସ…

IMG-20261025-WA0091
Share

 

 

ବୋଲଗଡ଼,୨୫/୧୦ (ଉପାନ୍ତ ଖବର): ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା। ଶରତର ମୁକ୍ତ ଆକାଶରେ ଜହ୍ନ ହସୁଛି ଧଳା ଧଳା। ଏହି ଜ୍ୟୋତ୍ସ୍ନା ପ୍ଳାବିତ ସନ୍ଧ୍ୟାରେ ଆଜି ବୋଲଗଡ଼ର ପ୍ରତି ପୁରପଲ୍ଲୀ ଝିଅଙ୍କ ହସରେ ଉଛୁଳି ଉଠିଛି। ଏହା କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଆ କନ୍ୟାର ସୌନ୍ଦର୍ଯ୍ୟ, ସ୍ୱପ୍ନ ଓ ସଂସ୍କାରର ପର୍ବ କୁମାର ପୂର୍ଣ୍ଣିମା। ଆଜି ସନ୍ଧ୍ୟାରେ ବୋଲଗଡ଼ ଅଞ୍ଚଳର ପ୍ରତ୍ୟେକ ଘର ଅଗଣାରେ କୁମାରୀ କନ୍ୟାମାନେ ନବ ବସ୍ତ୍ର ପରିଧାନ କରି, କଜ୍ୱଳ ପାଉଁଜିରେ ସଜ୍ଜିତ ହୋଇ ତୁଳସୀ ଚଉରା ମୂଳେ ବସିଛନ୍ତି। ହାତରେ ଫୁଲ, ଚନ୍ଦନ, ମୁହଁରେ ଲାଜ, ଆଉ କଣ୍ଠରେ ସେହି ଚିର ପରିଚିତ ଗୀତ “କୁମାର ପୁନେଇଁ ଜହ୍ନ ଗୋ ଫୁଲ ବଉଳ ବେଣୀ…”

 

ଏହି ସନ୍ଧ୍ୟାରେ ପୁରପଲ୍ଲୀର ଆକାଶ ବି ଅଲଗା ଲାଗେ। ଧାନ କ୍ଷେତରୁ ଆସୁଥିବା ନୂଆ ଧାନର ବାସ୍ନା, ତୁଳସୀ ଚଉରା ମୂଳେ ଦୀପର ଆଲୁଅ, ଆଉ କୁମାରୀ ମାନଙ୍କ ହସ ଖିଲଖିଲା ସବୁ ମିଶି ବୋଲଗଡ଼କୁ ଆଜି ଗୋଟେ ସ୍ୱର୍ଗ ପରି ଲାଗୁଛି। ଏହି ହସ, ଏହି ଲାଜ ହିଁ ଆମ ଓଡ଼ିଆ ପରମ୍ପରାରେ ଅସଲ ସୌନ୍ଦର୍ଯ୍ୟ।

 

ଏହି ପୂଜା ଭିତରେ ଅଛି ଗୋଟିଏ ସୁନ୍ଦର କାମନା। କେବଳ ସୁନ୍ଦର ସ୍ୱାମୀ ନୁହେଁ, କୁମାର ପରି ସୁନ୍ଦର ମନର ସ୍ୱାମୀ। ସୁଖର ସଂସାର। ଆମ ଓଡ଼ିଆ ସଂସ୍କୃତି ଝିଅକୁ ଶିଖାଏ ସୌନ୍ଦର୍ଯ୍ୟ ଦେହରେ ନୁହେଁ, ମନରେ। ତେଣୁ ସେ କୁମାରଙ୍କୁ ପୂଜା କରେ।

 

ବର୍ତ୍ତମାନ ସମୟରେ ଯେତେବେଳେ ରିଲ୍ସ, ଇନଷ୍ଟାଗ୍ରାମର ଅଶ୍ଳୀଳ ଚମକରେ ଆମ ଝିଅମାନେ ହଜି ଯାଉଛନ୍ତି, ଏହି କୁମାର ପୂର୍ଣ୍ଣିମା ସେମାନଙ୍କୁ ମନେ ପକାଏ ତୁ ଓଡ଼ିଆ ଝିଅ, ତୁ ଲକ୍ଷ୍ମୀ। ତୋର ଲାଜ ହିଁ ତୋର ଭୂଷଣ, ତୋର ସଂସ୍କାର ହିଁ ତୋର ପରିଚୟ।

 

ଅନ୍ୟପଟେ ଆଜିଠାରୁ ବୋଲଗଡ଼ ବ୍ଲକର ବାଙ୍କୋଇ,ଜରିପଡା, ସାନପଦରର ସ୍କୁଲ୍ ସାହି, ଗଡ଼ସାହି ଓ ଧଳାପଥର ଅଞ୍ଚଳରେ ମା’ ଗଜଲକ୍ଷ୍ମୀ ପୂଜା ମହା ଆଡମ୍ବରରେ ଆରମ୍ଭ ହୋଇଛି। ଗଜଲକ୍ଷ୍ମୀ ହେଉଛନ୍ତି ଧନ, ଧାନ୍ୟ ଓ ସୌଭାଗ୍ୟର ଦେବୀ। କୁମାର ପୂର୍ଣ୍ଣିମା ଯଦି କନ୍ୟାର ପର୍ବ, ଗଜଲକ୍ଷ୍ମୀ ପୂଜା ହେଉଛି ସମୃଦ୍ଧିର ପର୍ବ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed