October 26, 2026

ରୁକ୍ମୁଣୀ ଲାଠ ବା ନିକେତନରେ ପ୍ରଭାବତୀ ଦେବୀଙ୍କ ତିରୋଧାନ ଦିବସ ପାଳିତ ଶିଶୁଙ୍କ ସୁରକ୍ଷା, ଶିକ୍ଷା ଓ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱାରୋପ

IMG-20261026-WA0054
Share

 

ଛଞ୍ଚାନପାଲି, ୨୬/୧୦: ଧମା ନିକଟସ୍ଥ ଛଞ୍ଚାନପାଲିସ୍ଥିତ ରୁକ୍ମୁଣୀ ଲାଠ ବାଲ ନିକେତନଠାରେ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ସମାଜସେଵୀ ତଥା ଶିଶୁ କଲ୍ୟାଣ ପାଇଁ ଜୀବନ ଉତ୍ସର୍ଗ କରିଥିବା ଡ଼ଃ ପ୍ରଭାବତୀ ଦେବୀଙ୍କ ୧୧୬ ତମ ଜୟନ୍ତୀ ଦିବସ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁଙ୍କ ଅଧିକାରର ସୁରକ୍ଷା, ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ଡ଼ଃ ପ୍ରଭାବତୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

 

କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡ଼ା. ରାଜାରାମ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମିତିର ଅନ୍ୟତମ ସଦସ୍ୟ ଦିଲ୍ଲୀପ କୁମାର ମୁଖୀ, ସମାଜସେବୀ ଦୀପକ ବିଶ୍ୱାଳ ଓ ଗୌରାଙ୍ଗ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

 

ମୁଖ୍ୟଅତିଥି ଡ଼ା. ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ ଶିଶୁମାନେ ଦେଶର ଭବିଷ୍ୟତ ଏବଂ ସେମାନଙ୍କ ଯତ୍ନ, ସୁରକ୍ଷା ଓ ଉପଯୁକ୍ତ ମାର୍ଗଦର୍ଶନ ସମାଜର ସାମୂହିକ ଦାୟିତ୍ୱ ବୋଲି ଉଲ୍ଲେଖ କରିଥିଲେ। ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀଙ୍କୁ କେବଳ ଆଶ୍ରୟ ଓ ଖାଦ୍ୟ ନୁହେଁ, ବରଂ ସ୍ନେହ, ମମତା, ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଆତ୍ମବିଶ୍ୱାସର ସହ ଜୀବନରେ ଆଗକୁ ବଢ଼ିବାର ସୁଯୋଗ ଦେବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ। ଡ଼ଃ ପ୍ରଭାବତୀ ଦେବୀଙ୍କ ଜୀବନ ଓ ଆଦର୍ଶରୁ ପ୍ରେରଣା ନେଇ ଅସହାୟ ଓ ଅବହେଳିତ ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ।

ଅନ୍ୟ ଅତିଥିମାନେ ମଧ୍ୟ ଶିଶୁଙ୍କ ପ୍ରତି ସମ୍ବେଦନଶୀଳ ଆଚରଣ, ମାନବିକ ମୂଲ୍ୟବୋଧ ଓ ସମାଜରେ ସମାନ ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ଉପରେ ମତ ରଖିଥିଲେ। ଶିଶୁମାନଙ୍କ ମଧ୍ୟରେ ଭଲ ମଣିଷ ହେବାର ଗୁଣ, ଶୃଙ୍ଖଳା, ସେବା ମନୋଭାବ ଓ ସାମାଜିକ ଦାୟିତ୍ୱବୋଧ ବିକଶିତ କରିବା ଦିଗରେ ଏଭଳି ସ୍ମୃତିସଭାର ଗୁରୁତ୍ୱ ରହିଛି ବୋଲି ସେମାନେ ମତ ଦେଇଥିଲେ।

 

ଅନୁଷ୍ଠାନର କୁନ୍ଦନ ରାଉତ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ଯତ୍ନ ଅନୁଷ୍ଠାନର ଶ୍ରୀକାନ୍ତ କୁମାର ମହାନ୍ତି, ହେମନ୍ତ ପ୍ରଧାନ, ଅଞ୍ଜୁ ସାହୁ ଓ ସୁଜାତା ମହାକୁଡ଼ ପ୍ରମୁଖ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସହଯୋଗ କରିଥିଲେ।ଡ଼ଃ ପ୍ରଭାବତୀ ଦେବୀଙ୍କ ସେବା, ତ୍ୟାଗ ଓ ମାନବିକତାର ଆଦର୍ଶକୁ ସ୍ମରଣ କରିବା ସହ ଶିଶୁଙ୍କ ସୁରକ୍ଷିତ ଓ ସମ୍ମାନଜନକ ଭବିଷ୍ୟତ ଗଠନ ପାଇଁ ସମାଜର ପ୍ରତ୍ୟେକ ବର୍ଗ ନିଜ ଦାୟିତ୍ୱ ନିର୍ବାହ କରିବା ଉଚିତ ବୋଲି ଏହି ସ୍ମୃତିସଭା ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥିଲା।

You may have missed