September 25, 2026

ବନ୍ୟା ବିପତ୍ତି ମଧ୍ୟରେ ସଞ୍ଜୀବନୀ ସାଜିଲା ଜିଲ୍ଲା ପ୍ରଶାସନ: ଓଡ୍ରାଫ୍‌ର ସାହସିକ ଅଭିଯାନ, ମାଲକାନଗିରିରେ ନବଜାତକଙ୍କ ସୁରକ୍ଷିତ ଜନ୍ମ

IMG-20260925-WA0123
Share

 

 

ମାଲକାନଗିରି,୨୫ /୦୯: ସାମୁଦ୍ରିକ ଝଡ଼ ଅର୍ଣ୍ଣବର ପ୍ରଭାବରେ ସମଗ୍ର ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ପ୍ରମୁଖ ଜଳସ୍ରୋତ ଓ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବିଭିନ୍ନ ସ୍ଥାନରେ ଯୋଗାଯୋଗ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହିଭଳି ଏକ ସଙ୍କଟଜନକ ଓ ସଂବେଦନଶୀଳ ସମୟରେ ମାଲକାନଗିରି ଜିଲ୍ଲା ପ୍ରଶାସନର କର୍ତ୍ତବ୍ୟନିଷ୍ଠା, ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ମାନବୀୟ ସମ୍ବେଦନଶୀଳତାର ଏକ ଅନନ୍ୟ ଉଦାହରଣ ପ୍ରକାଶ ପାଇଛି। ଜିଲ୍ଲାରେ ଜିରୋ କାଜୁଆଲିଟି ବା ଶୂନ୍ୟ ଜୀବନହାନି ନୀତିକୁ କଠୋରଭାବେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ପ୍ରତ୍ୟକ୍ଷ ମନିଟରିଂ ଓ ନିର୍ଦ୍ଦେଶକ୍ରମେ ଜିଲ୍ଲା ଜରୁରୀକାଳୀନ ବିଭାଗ ୨୪ ଘଣ୍ଟା ସକ୍ରିୟ ରହିଛି। ଏହି ପରିପ୍ରେକ୍ଷୀରେ, କାଲିମେଳା ବ୍ଲକ୍‌ ଅନ୍ତର୍ଗତ ପାଡ଼େୱାଡ଼ା ଗ୍ରାମର ମୁକ୍ତା କାବାସୀଙ୍କ ଗର୍ଭବତୀ ପତ୍ନୀ ଅନିତା କାବାସୀ (୨୭)ଙ୍କ ପ୍ରସବ ବେଦନା ତୀବ୍ର ହେବାରୁ ତାଙ୍କୁ ତୁରନ୍ତ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ଜରୁରୀ ହୋଇପଡ଼ିଥିଲା। ମାତ୍ର ମୁଖ୍ୟ ରାସ୍ତା ଉପରେ ବନ୍ୟା ଜଳର ପ୍ରଖର ସ୍ରୋତ ପ୍ରବାହିତ ହେଉଥିବାରୁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ସ୍ଥଗିତ ରହିଥିଲା। ସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ପ୍ରଥମ ଆଇଆରବି ବାଟାଲିୟନ (କୋରାପୁଟ)ର ଇନ୍ସପେକ୍ଟର ଶଙ୍କର ପ୍ରସାଦ ବେହେରାଙ୍କ ନେତୃତ୍ୱରେ ଓଡ୍ରାଫ୍ ଟିମ୍‌ ତୁରନ୍ତ ଅଭିଯାନ ଆରମ୍ଭ କରିଥିଲେ। ଯବାନମାନେ ଜୀବନକୁ ବାଜି ଲଗାଇ, ପ୍ରଖର ବନ୍ୟା ଜଳ ମଧ୍ୟରେ ଚାଲି ଚାଲି ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚର ମାଧ୍ୟମରେ ସୁରକ୍ଷିତ ଭାବେ ବିପଦପୂର୍ଣ୍ଣ ଜଳସ୍ରୋତ ପାର କରାଇଥିଲେ। ପ୍ରଶାସନିକ ସମନ୍ୱୟ ଓ ତ୍ୱରିତ ପଦକ୍ଷେପ ଯୋଗୁଁ ମହିଳାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ଭୋର ପ୍ରାୟ ୪ଟା ସମୟରେ ଡାକ୍ତରୀ ଦଳଙ୍କ ଦ୍ୱାରା ଅସ୍ତ୍ରୋପଚାର (ସିଜରିଆନ୍) ମାଧ୍ୟମରେ ସଫଳ ପ୍ରସବ କରାଯାଇଛି। ବର୍ତ୍ତମାନ ମା ଓ ନବଜାତକ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଓ ସୁରକ୍ଷିତ ଥିବା ନେଇ ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଜିଲ୍ଲାପାଳଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ଜିଲ୍ଲା ପ୍ରଶାସନର ସମୟୋପଯୋଗୀ ନିଷ୍ପତ୍ତି ଏବଂ ଓଡ୍ରାଫ୍ ଯବାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏକ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରିଥିବାରୁ ଏହା ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି।

You may have missed