May 26, 2026

ଲୁହାଗାଁରେ ପାନୀୟ ଜଳର ଉତ୍କଟ ସମସ୍ୟା। ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନି

IMG-20260525-WA0009
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ବ୍ଲକ ଅନ୍ତର୍ଗତ କଣାଗାଁ ପଞ୍ଚାୟତ ଅଧିନସ୍ଥ ଲୁହାଗାଁ ବାସି ବର୍ତ୍ତମାନର ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ସଙ୍କଟ ଯୋଗୁଁ ଡହଳ ବିକଳ ହେଉଛନ୍ତି। ଧର୍ମଗଡ଼ ସହର ଠାରୁ ମାତ୍ର ୧୫ କି. ମି ଦୂରରେ ଅବସ୍ଥିତ ଏହି ଲୁହାଗାଁ ଏବଂ ଏହି ଗ୍ରାମର ବର୍ତ୍ତମାନ ଜନସଂଖ୍ୟା ହାରାହାରି ୨୨OO ରୁ ଉର୍ଦ୍ଧ ହେବ।ଏହି ଗ୍ରାମରେ ଅନେକ ବର୍ଷରୁ ପାନୀୟ ଜଳ ସଙ୍କଟ ଦେଖାଦେଇ ଆସୁଥିବାରୁ, ଗ୍ରାମବାସୀଙ୍କ ଦ୍ୱାରା ସ୍ଥାନୀୟ ସରପଞ୍ଚ, ଜନ ପ୍ରତିନିଧି ତଥା ଜିଲ୍ଲା ପ୍ରଶାସନ ନିକଟରେ ଅନେକ ଥର ଲିଖିତ ଓ ମୌଖିକ ଭାବରେ ଜଣାଇଆସିବା ପରେ, ବିଗତ ସରକାରଙ୍କ ଅମଳରେ ଗ୍ରାମରେ ୮ ଗୋଟି ନଳ କୂପ ଖନନ କରାଯିବାସହ, ପ୍ରାୟ ୭ ବର୍ଷ ପୂର୍ବେ ସରକାରଙ୍କ ବସୁଧା ଯୋଜନା ଜରିଆରେ ପ୍ରତି ଘରକୁ ଜଳ ଯୋଗାଣ ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ଗ୍ରାମର ୮ ଗୋଟି ନଳକୂପରୁ ୭ ଗୋଟି ନଳକୂପରୁ ବଡ କଷ୍ଟରେ ପାଣି ବାହାରୁ ଥିବାବେଳେ, ତାହା ମଧ୍ୟ କୌଣସି ପ୍ରକାରେ ପିଇବା ଯୋଗ୍ୟ ନୁହଁ। ତେଣୁ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ତାତିରେ ମଧ୍ୟ ସମଗ୍ର ଗ୍ରାମବାସୀ ଗୋଟିଏ ନଳକୂପ ଉପରେ ଭରସା କରି ପାଣି ପାଇଁ ଘଣ୍ଟା ଘଣ୍ଟା ଟାଣ ଖରାରେ ଠିଆ ହେବାପାଇଁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ବସୁଧା ଯୋଜନାର କାର୍ଯ୍ୟ ହାତକୁ ନେଇଥିବା ଠିକା ସଂସ୍ଥା ଦ୍ୱାରା କେବଳ ଗାଁ ନିକଟ ଦେଇ ବୋହିଯାଇଥିବା ନଦୀରେ କେବଳ ସିଙ୍କ ନିର୍ମାଣ କରିବା ସହ ପାଇପ ଲାଇନ ବିଛାଇ ସାରିଥିବାବେଳେ, ଅସଲ ଓଭର ହେଡ଼ ଟେଙ୍କ ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ସମ୍ପୂର୍ଣ କରିନପାରିବାରୁ ପ୍ରକଳ୍ପଟି ଆଜି ପର୍ଯ୍ୟନ୍ତ ଅଧାରେ ରହିଯାଇଛି। ପ୍ରକାଶ ଥାଉକି ଏହି ଓଭର ହେଡ଼ ଟେଙ୍କ ନିର୍ମାଣ ପାଇଁ ମୋଟ ୧O ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସରକାର ବଦଳିଲେ ତା’ସହ ଏହି ଅଞ୍ଚଳର ସରପଞ୍ଚ ମଧ୍ୟ ବଦଳିଲେ। ଏହି ସମସ୍ୟା ନେଇ ବର୍ତ୍ତମାନର ସରପଞ୍ଚଙ୍କ କହିବା ଅନୁଯାୟୀ, ଏହି ପ୍ରକଳ୍ପଟି ଦୀର୍ଘ ବର୍ଷର ଏବଂ ଠିକା ସଂସ୍ଥା ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଚାୟତକୁ ଏହି ପ୍ରକଳ୍ପଟି ହସ୍ତାନ୍ତର କରାଯାଇନାହିଁ ଏବଂ ଓଭର ହେଡ଼ ଟେଙ୍କ ବାବଦରେ ସେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି।ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେବା ସହ ବର୍ତ୍ତମାନ ପ୍ରବଳ ଦାବି କରିଛନ୍ତି ଯେ’ଗ୍ରାମର ସମସ୍ତ ନଳକୂପ ଗୁଡିକୁ ଅତିଶୀଘ୍ର ମରାମତି କରିବା ସହ ବସୁଧା ଯୋଜନା ପ୍ରକଳ୍ପର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ଓ ଯଥା ଶୀଘ୍ର ଓଭର ହେଡ଼ ଟେଙ୍କ ନିର୍ମାଣ କରାଯାଇ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉ।ଏଥିରେ ଯଦି ବିଭାଗୀୟ କର୍ତୃପକ୍ଷ ଆହୁରି ଅଧିକ ବିଳମ୍ବ କରନ୍ତି ତାହାହେଲେ ଗ୍ରାମବାସୀ ଆଗକୁ ଆନ୍ଦୋଳଣାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନି ଦେଇଛନ୍ତି।