ତାରାତାରିଣୀ ଯାତ୍ରାରେ ତ୍ରାଣକର୍ତ୍ତା ସାଜିଲେ ସ୍ବେଚ୍ଛାସେବୀ

ସକାଳୁ ପାଣିପାଗ ଅନୁକୂଳ ଥିବାରୁ ଚଇତି ଯାତ୍ରାର ତୃତୀୟ ପାଳିରେ ମା’ ତାରାତାରିଣୀଙ୍କ ପାଖରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। କିନ୍ତୁ ଦିନ ବଢିବା ସହ ପ୍ରବଳ ରୌଦ୍ରତାପରେ ଅସ୍ତବ୍ୟସ୍ତ ହୋଇଉଠିଥିଲେ ଲକ୍ଷାଧିକ ଭକ୍ତ ତଥା କୁନି କୁନି ଶିଶୁ। ସେତେବେଳେ ଦେବଦୂତ ସାଜି ସନାତନ ମହାରଣା, ଲକ୍ଷ୍ମୀ ନାରାୟଣ ପ୍ରଧାନ, ନାରାୟଣ ସାହୁଙ୍କ ନେତୃତ୍ୱାଧୀନ ଦଳ ଲିଓରା ଫାଉଣ୍ଡେସନ ସହାୟତାରେ ଲକ୍ଷାଧିକ ଭକ୍ତଙ୍କୁ ଗ୍ଲୁକୋଜ ପାଣି ବାଣ୍ଟିଥିଲେ।
ସେହିପରି ଭିଡ଼ ମଧ୍ୟରେ ହଜିଯାଇଥିବା କୁନି ଶିଶୁଙ୍କୁ ବି. ବୈରାଗୀ ଓ ଓକିଲ ମନୋଜ ପାଣିଗ୍ରାହୀଙ୍କ ସହାୟତାରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ଓ ଅନ୍ୟ ହଜିଯାଇଥିବା ପରିବାର ସଦସ୍ୟଙ୍କୁ ସେମାନଙ୍କ ପରିବାର ସହ ମିଶାଇବା ପାଇଁ ଯଥାର୍ଥ ପ୍ରଚେଷ୍ଟା କରାଯାଇଥିଲା। ସେହିପରି ଗହଳି ସମୟରେ ସମାଜସେବୀ ଶିବ ପ୍ରସାଦ ବେହେରା, ବିକାଶ ମହାରଣା ଏବଂ ଏସ. ରବି ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ଦିବ୍ୟାଙ୍ଗଙ୍କ ପାଇଁ ସୁଚାରୁ ଦର୍ଶନ ବ୍ୟବସ୍ଥା କରିଥିଲେ । ସେହିପରି ଏହି ସେବା ଦଳରେ ସାମିଲ ହୋଇଥିବା ଡ଼ଃ ପ୍ରିୟବ୍ରତ ଶତପଥୀ ଓ ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ଦ୍ଵାରା ଅଂଶୁଘାତ ତଥା ବିଭିନ୍ନ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କର ଚିକିତ୍ସା କରାଯାଇଥିଲା। ଏହି ସମସ୍ତ ସେବା କାର୍ଯ୍ୟ ଶ୍ରୀତମ ପଟ୍ଟନାୟକ, ଆଦିତ୍ୟ ଦାସ, ରାଜେଶ ପାତ୍ର ତଥା ଆଇ.ଆର.ଇ. ରେ କାର୍ଯ୍ୟରତ ଟୁଟୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଥିଲା।
ସୂଚନାଯୋଗ୍ୟ, ମାଆ ତାରାତାରିଣୀଙ୍କ ଯାତ୍ରା କିପରି ସୁରୁଖୁରୁରେ ହେବ ସେ ନେଇ ଚିନ୍ତା କରି ଗଜପତି ଜିଲ୍ଲା ସ୍ଥିତ ପାରଳାଖେମୁଣ୍ଡି ଜିଲ୍ଲା କୋର୍ଟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱାଧୀନ ବିଭିନ୍ନ ଜିଲ୍ଲାର ଏହି ୭୦ଜଣିଆ ସ୍ବେଚ୍ଛାସେବୀ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଭୋର ୪ଟା ସମୟରେ ମା’ଙ୍କ ପୀଠରେ ପହଞ୍ଚି ଭକ୍ତଙ୍କୁ ଧାଡିରେ ଛିଡା କରାଇବା ସହିତ ଶୃଙ୍ଖଳିତ ଦର୍ଶନ କରାଇବାରେ ପ୍ରଶାସନକୁ ଯଥାସମ୍ଭବ ସହାୟତା କରିଥିଲେ। ଏହି ସେବା ଦଳର ସବୁ ସମୟର ଭୂମିକାକୁ ନେଇ ପ୍ରଶଂସା କରିଥିଲେ ଛତ୍ରପୁରର ଉପଜିଲ୍ଲାପାଳ ତଥା ଅନ୍ୟ ପ୍ରଶାସନିକ ଅଧିକାରୀ ଓ ଆଗକୁ ଏ ଭଳି କାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।
