ନନ୍ଦିପଦା ପୋଲିସ ଚଢ଼ାଉ, ୬ବାଲି ବୋଝେଇ ଟ୍ରାକ୍ଟର ଜବତ
ହାଟଡିହି ତା ୪/୯(ମନମୋହନ ନାୟକ) : ବେଆଇନ ବାଲି ପରିବହନ ଉପରେ ନନ୍ଦିପଦା ପୋଲିସ ପକ୍ଷରୁ ଜୋରଦାର ଚଢାଉ ଆରମ୍ଭ କରାଯାଉଛି। ଗତ କାଲି ୪ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିବା ବେଳେ ଆଜି ୬ଟି ଟ୍ରାକ୍ଟର ଜବଦ କରିବାରେ ସଫଳ ହୋଇଛି। ଆଜି ପୋଲିସ ପେଟ୍ରୋଲିଙ୍ଗ ବେଳେ ଅଣା – ସମଣା ରାସ୍ତାର ଟୁକୁଣା ନିକଟରେ ବେଆଇନ ଭାବେ ବାଲି ବୋଝେଇ କରି ଆସୁଥିବା ୬ଟି ଟ୍ରାକ୍ଟରକୁ ପୋଲିସ ଜବତ କରିଥିବା ଜଣାପଡ଼ିଛି। ବିନା ଅନୁମତିରେ ବାଲି ପରିବହନ କରାଯାଉଥିବା ସନ୍ଦେହରେ ପୋଲିସ ଏହି ଚଢ଼ଉ କରିଥିଲା। ଜବତ ହୋଇଥିବା ଟ୍ରାକ୍ଟରଗୁଡ଼ିକୁ ନନ୍ଦିପଦା ଥାନାକୁ ନିଆଯାଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏନେଇ ନନ୍ଦିପଦା ଥାନାରେ କେସ୍ ନମ୍ବର ୩୩୭, ୩୩୮, ୩୩୯, ୩୪୦, ୩୪୧ ଓ ୩୪୨/୨୦୨୬ରେ ୬ଟି ପୃଥକ ମାମଲା ରୁଜୁ ହୋଇଛି। ବେଆଇନ ବାଲି ଚାଲାଣ ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ବର୍ତ୍ତମାନ ସମୟରେ ବୈତରଣୀ ନଦୀରେ ବନ୍ୟଜଳ କୂଳ ଖାଉଥିବା ବେଳେ ବାଲି ଉତ୍ତୋଳନ ହୋଇ ପାରୁନି। ତେଣୁ ଏହି ବାଲି କେଉଁଠୁ ଆସୁଛି। ତେଣୁ ନିଶ୍ଚିତ ଭାବେ ନଦୀ ପଠା ମାନଙ୍କରେ ବାଲି ଗଛିତ ରଖାଯାଇ ପ୍ରତିଦିନ ଶହ ଶହ ଟ୍ରାକ୍ଟର ବାଲିକୁ ଏବେ ପରିବହନ କରା ଯାଉଛି। ଯଦି ବାଲି ଗଛିତ ରଖା ଯାଇଛି ତେବେ ଖଣି ବିଭାଗ କରୁଛି କଣ। ଗଛିତ ବାଲିକୁ ଜବଦ କରାଯାଇ ନିଲାମ କରାଯିବା ଦାୟିତ୍ୱ ଖଣି ବିଭାଗର। ତେଣୁ ଖଣି ବିଭାଗ ବାଲି ଜବଦ କରିବା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
