ରାସ୍ତାକଡରୁ ହଟିଲା ଦୁଇ ବିପଦଜ୍ଜନକ ଶୁଖିଲା ଗଛ, ଲୋକଙ୍କ ଶଙ୍କା ହେଲା ଦୂର

ବୁଗୁଡ଼ା : ତା ୨୪/୦୬/ ୨୬: ବୁଗୁଡ଼ା-ପୋଲସରା ମୁଖ୍ୟ ସଡକ ଅନ୍ତର୍ଗତ ଗୋଲିଆ ଗାଁ ନିକଟସ୍ଥ କଣିଆପଲ୍ଲୀ ଛକ ଏବଂ ବାଘୁଆ ସେତୁ ନିକଟରେ ଦୁଇଟି ବିରାଟ ଶୁଖିଲା ଥୁଣ୍ଟା ଆମ୍ବ ଓ କାକପୋଇ ଗଛ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା । ସେହି ଗଛ ଦୁଇଟି ପବନରେ କେତେବେଳେ ଯେ ଭାଙ୍ଗି ପଡି ବିପଦ ସୃଷ୍ଟି କରିଥାନ୍ତା ତାହା କହି ହେଉନଥିଲା । ସେହି ମୁଖ୍ୟ ସଡକ ଦେଇ ଶହ ଶହ ଯାନବାହାନ ଚଳାଚଳ ସାଙ୍ଗକୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଯାତାୟାତ କରୁଥିଲା ବେଳେ ରାସ୍ତା କଡରେ ବିରାଟ ଶୁଖିଲା ଗଛଟି କୌଣସି କାରଣରୁ ଭାଙ୍ଗି ପଡିଲେ ଅଜାଣତରେ ଯିବା ଆସିବା କରୁଥିବା ଯାନବାହନ , ଛାତ୍ରଛାତ୍ରୀ ଓ ଜନସାଧାରଣ ବିପଦର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଥିଲା। ପ୍ରକାଶ ଥାଉ କି , ତଳ ଦିନେ ଶରଣକୁଳ ଅଞ୍ଚଳର ଏକ ଦମ୍ପତ୍ତି ବାଇକରେ ପୋଲସରାରୁ ନିଜ ଗାଁକୁ ଫେରୁଥିବା ବେଳେ ଉକ୍ତ ଥୁଣ୍ଟା ଆମ୍ବ ଗଛରୁ ଶୁଖିଲା ଛୋଟ ଡାଳଟିଏ ଖସି ସେମାନଙ୍କ ଉପରେ ପଡିଯିବାରୁ ଭାରସାମ୍ଯ ହରାଇ ରାସ୍ତାକଡକୁ ଚାଲିଯାଇ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ହେଁ ସେ ଦୁହେଁ ସାମାନ୍ୟ ଆହତ ହୋଇଥିଲେ । ଅନ୍ୟପକ୍ଷରେ ଏଇ କିଛି ମାସ ତଳେ ବାଘୁଆ ସେତୁ ନିକଟସ୍ଥ ସେହି ବିପଦଜ୍ଜନକ ଶୁଖିଲା କାକପୋଇ ଗଛ ତଳେ ଜମାଥିବା ଆବର୍ଜନାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ହୁତୁହୁତୁ ହୋଇ ଜଳି ଉଠିଥିଲା ଏବଂ ଏନେଇ ଖବର ପାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେବେଠାରୁ ସେହି ବକଳ ପୋଡା ଶୁଖିଲା ଗଛ ନିକଟ ଦେଇ ଯାତାୟାତ ବେଳେ ଲୋକେ ଆଶଙ୍କା ମଣୁଥିଲେ। ବିଶେଷକରି କାଳବୈଶାଖି ତାଣ୍ଡବ କାଳରେ ସେହି ଗଛ ଦ୍ବୟକୁ ଅତିକ୍ରମ ବେଳେ ଲୋକଙ୍କ ମନରେ ଜୀବନହାନୀର ଭୟ ଘାରୁଥିଲା । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଶୁଖିଲା ଆମ୍ବ ଗଛଟିକୁ ଲୋକେ ଏବଂ କାକପୋଇ ଗଛଟିକୁ ପ୍ରଶାସନ ଉଚ୍ଛେଦ କରିଥିବା ବେଳେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକଙ୍କ ଶଙ୍କା ଦୂର ହୋଇଥିବା ଜଣାଯାଇଛି।
