ଗଜପତିରେ ଜିଲ୍ଲା ସ୍ତରୀୟ “ବିକାଶର ଧାରା-ଓଡ଼ିଶା ସାରା” ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଉପରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ..
ଗଜପତି(ଗଣେଶ କୁମାର ରାଜୁ)ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ବିକଶିତ ଭାରତ ବିକଶିତ ଓଡ଼ିଶା ଅନ୍ତର୍ଗତ ଜିଲ୍ଲା ସ୍ତରୀୟ “ବିକାଶର ଧାରା ଓଡ଼ିଶା ସାରା” ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ “ବିକାଶର ଧାରା ଓଡ଼ିଶା ସାରା” ଅଭିମୁଖ୍ୟରେ ଆୟୋଜିତ ଏହି ସମ୍ମିଳନୀ କାର୍ଯ୍ୟକ୍ରମରେ ମାନ୍ୟବର ଆଇନ , ଅବକାରୀ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସରକାରଙ୍କ ଗତ ଦୁଇ ବର୍ଷ ପୂର୍ତ୍ତିର ସଫଳତା , ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ ବିକାଶମୁଖୀ କାର୍ଯ୍ୟକ୍ରମ ଏବଂ ଅଗ୍ରଣୀ ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବା ସହ ଆଇନ ଜିବୀ , ବୁଦ୍ଧିଜୀବୀ , ବରିଷ୍ଠ ନାଗରୀକ ଓ ଗଣମାଧ୍ୟମ ପ୍ରତିନିଧିଗଣଙ୍କୁ ସମ୍ବୋଧନ କରିଥିଲେ।
ଉକ୍ତ ସମ୍ମିଳନୀକୁ ସମ୍ବୋଧନ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଥିଲେ ଯେ , ଆଗାମୀ ଦିନରେ ଗଜପତି ଜିଲ୍ଲା ସମସ୍ତ କ୍ଷେତ୍ରରେ ଉନ୍ନତ ଦିଗରେ ଅଗ୍ରସର ହେଉଅଛି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଭାଗ ବିକାଶ କ୍ଷେତ୍ରରେ ଆଗକୁ ବଢ଼ିବା ସହାୟକ ହେଉଛି। ଏଥି ସହିତ ଜିଲ୍ଲାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବାକୁ କହି ଶିକ୍ଷାର ଉନ୍ନତ ହେଲେ ଜିଲ୍ଲା ବିକାଶ ହୋଇପାରିବ ବୋଲି କହିଥିଲେ । ଯୋଗାଯୋଗ ଓ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରା ଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଜିଲ୍ଲାର ଏକ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ ପ୍ରକାଶ କରିଥିଲେ।
ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ସରକାରଙ୍କ ବିଭିନ୍ନ ଉଲ୍ଲେଖନୀୟ ତଥା ସଫଳ ଯୋଜନା ଯଥା- ସୁଭଦ୍ରା ଯୋଜନା , ଲକ୍ଷପତି ଦିଦି , ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା , ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା , ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା , ସାମାଜିକ ଭତ୍ତା ଯୋଜନା , ମଧୁବାବୁ ପେନସନ ଯୋଜନା , ଜାତୀୟ ସାମାଜିକ ସହାୟତା ଯୋଜନା (ବର୍ଦ୍ଧିତ ଭତ୍ତା) , ଜାତୀୟ ପରିବାର ସହାୟତା ଯୋଜନା , ବିବାହ ପ୍ରୋତ୍ସାହନ ରାଶି , ଇ-ରିକ୍ସା ପ୍ରଦାନ , ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା , ବିକଶିତ ଗାଁ-ବିକଶିତ ଓଡ଼ିଶା , ପ୍ରଧାନମନ୍ତ୍ରୀ ଆବାସ , ଅନ୍ତଦ୍ଵୟ ଗୃହ ଯୋଜନା , ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା , ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣା ଯୋଜନା ଏବଂ ପି ଏମ ଶ୍ରୀ ସ୍କୁଲ ଆଦି ସମ୍ପର୍କରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ। ପ୍ରକୃତ ହିତାଧିକାରୀ ଯେପରି ଏହି ସବୁ ଯୋଜନାର ଅଧିକରୁ ଅଧିକ ଫାଇଦା ପାଇପାରିବେ, ସେଥିପାଇଁ ଜନ ଭାଗିଦାରୀ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ଦିଗରେ ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲେ।
ସେହିପରି ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରିରେ ନୂତନ ବିକାଶ ମୁଖୀ ପ୍ରକଳ୍ପ ଆରମ୍ଭ କରିବା ପାଇଁ ରାଜ୍ଯ ସରକାର ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଓ ସେହିପରି ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ମାନ୍ୟବର ମନ୍ତ୍ରୀ କହିଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ , ମାନ୍ୟବର ବିଧାୟକ ମୋହନା ଶ୍ରୀ ଦାଶରଥି ଗମାଙ୍ଗ , ଜିଲ୍ଲାପରିଷଦ ସଭାପତି ଶ୍ରୀ ଜି.ତିରୁପତି ରାଓ , ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାଇ ମୀନା , ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ. ନାଗାରାଜୁ , ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ କାମଦେବ ବଡ଼ନାୟକ , ପାରଳା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ ଓ ବ୍ରହ୍ମପୁର ସାଂସଦ ପ୍ରତିନିଧି ଶ୍ରୀ ଡି.ରାଜେଶ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ବିଭିନ୍ନ ବିଭାଗର ସଫଳତା ଭାବରେ ପାରିଦର୍ଧିତା ଲାଭ କରି କାର୍ଯ୍ୟ କରୁଥିବା ଆଶା , ଅଙ୍ଗନୱାଡି କର୍ମୀ, ଚାଷୀ ଓ ସଫଳ ଉଦ୍ୟୋଗୀ ମାନଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା।
ପରେ ସ୍ଥାନୀୟ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସର ଠାରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ବିକାଶର ଧାରା ଓଡ଼ିଶା ସାରା ପ୍ରଦର୍ଶନୀକୁ ଶୁଭ ଉଦ୍ଘାଟନ କରିଥିଲେ ଓ ସେହିପରି ଉକ୍ତ ସ୍ଥାନରେ ଏକ ପେଡ୍ ମା କେ ନାମ ଅଭିଯାନର ବୃକ୍ଷ ରୋପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , ଅଞ୍ଚଳର ଜନପ୍ରତିନିଧି ଏବଂ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତିମାନେ ସାମିଲ ହୋଇ ସରକାରଙ୍କ ବିକାଶମୁଖୀ ଯୋଜନା ଉପରେ ଆଲୋଚନା କରିଥିଲେ। ଏହା ସହିତ ସରକାରଙ୍କ ଏହି ଦୁଇ ବର୍ଷର ସଫଳତାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ କହିଥିଲେ।
ଶେଷରେ ଶ୍ରମ ବିଭାଗ ପକ୍ଷରୁ ଶିକ୍ଷା ସହାୟତା ରାଶି , କୃଷି ବିଭାଗ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ , ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୁଷ୍ମାନ କାର୍ଡ ଏଭଳି ଭାବେ ବିଭିନ୍ନ ବିଭାଗ ମାନଙ୍କ ପକ୍ଷରୁ ହିତାଧିକାରୀ ମାନଙ୍କୁ ସହାୟତା ରାଶି ଓ କାର୍ଡ ବଣ୍ଟନ କରା ଯାଇଥିଲା ।
ଶେଷରେ ସଙ୍ଗୀତ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଜିଲ୍ଲାସ୍ତରୀୟ “ବିକାଶର ଧାରା ଓଡ଼ିଶା ସାରା” ମେଳା କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ ର ବିକାଶ ଉପରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ୩୦ ରୁ ଅଧିକ ପ୍ରଦର୍ଶନୀ ଷ୍ଟଲ ଖୋଲା ଯାଇଥିଲା।
