ସାମ୍ବାଦିକ ସନ୍ତୋଷ ପାଢ଼ୀଙ୍କ ସ୍ମୃତିରେ ଶୋକ ସଭା
ଛତ୍ରପୁର. ତା ୨୩/୧୦/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ପ୍ରେସ କ୍ଳବ ପରିସରରେ ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀ ର ଛତ୍ରପୁର ପ୍ରତିନିଧି, ବରିଷ୍ଠ ସାମ୍ବାଦିକ, ଛତ୍ରପୁର ପ୍ରେସ କ୍ଳବର ପୂର୍ବତନ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀଙ୍କ ସ୍ମରଣରେ ଏକ ଶୋକସଭାର ଆୟୋଜିତ ହୋଇଥିଲା। ପ୍ରେସ କ୍ଳବ ସଭାପତି ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ସମସ୍ତ ସଦସ୍ୟମାନେ ଯୋଗ ଦେଇ ସ୍ବର୍ଗତ ପାଢ଼ୀଙ୍କ ଫୋଟ ଚିତ୍ରରେ ପୁଷ୍ପାଞ୍ଜଳୀ ପ୍ରଦାନ କରିବା ସହ ସ୍ମୃତି ଚାରଣ କରିଥିଲେ। ୧୯୮୦ ମସିହା ଜୁଲାଇ ୧ ତାରିଖ ଦିନ ସୁନାବେଡାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ପାଢୀ ୨୦୦୫ ମସିହାରୁ ଛତ୍ରପୁର ରୁ ସାମ୍ବାଦିକ ଜୀବନ ଧରିତ୍ରୀ ର ଛତ୍ରପୁର ପ୍ରତିନିଧି ଭାବେ ଆରମ୍ଭ କରି ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ କରୁଥିଲେ। ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିଲେ। ବେଗୁନିଆପଡ଼ା ବ୍ଲକ କୋଦଳା ନିକଟସ୍ଥ ବେରୁଆବାଡିର ମୂଳ ନିବାସୀ ସ୍ଵର୍ଗତ ପାଢୀ ଅବିବାହିତ ଥିବା ସହ କାଳିଆବାଲି ସ୍ଥିତ ପୈତୃକ ବାସ ଭବନରେ ଚିକିତ୍ସାଧୀନ ଅବସ୍ଥାରେ ଚଳିତ ଅକ୍ଟୋବର ମାସ ୨୦ ତାରିଖ ଦିନ ମାତ୍ର ୪୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ଶେଷକୃତ୍ୟ ପୁରୀର ସ୍ଵର୍ଗଦ୍ଵାରରେ ସମ୍ପନ୍ନ ହୋଇଥିଲା ଓ ତାଙ୍କ ସାନ ଭାଇ ମୁଖାଗ୍ନୀ ଦେଇଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
