June 12, 2026

କୋରାପୁଟ ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଭବ୍ୟ ଶୁଭାରମ୍ଭ; ହିତାଧିକାରୀ ପାଇବେ ଅତିରିକ୍ତ ମାଗଣା ଚାଉଳ..

IMG-20260612-WA0075
Share

– ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଲେ ଜିଲ୍ଲାବାସୀ

 

-ମାନ୍ୟବର ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ ରାଷ୍ଟ୍ର ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମଏସଏମଇ ଓଡିଶାଙ୍କ

କରକମଳରେ ଯୋଜନାର ଉଦ୍ଘାଟନ; ନୂତନ ରାସନ କାର୍ଡ ଓ ମହିଳାଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ

 

-ସରକାରଙ୍କ ସଫଳ ୨ ବର୍ଷ ପୂର୍ତ୍ତି ଅବସରରେ ୧୨୧ଟି ପ୍ରଗତିଶୀଳ ଯୋଜନା ସହ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ

 

 

କୋରାପୁଟ ୧୨/୦୬:* ରାଜ୍ୟର ପ୍ରତ୍ୟେକ ଗରିବ ଓ ଅଭାବୀ ପରିବାର ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଆଜି କୋରାପୁଟର ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜର ଅଡିଟରିୟମ ପରିସରରେ ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଭବ୍ୟ ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ଜିଲ୍ଲାବାସୀ ଓ ଅତିଥିବୃନ୍ଦ ଆଭାସି ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ। ଏହାପରେ ଜିଲ୍ଲାସ୍ତରୀୟ ଯୋଜନାର ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କିତ ବିଭିନ୍ନ ଷ୍ଟଲ୍ ଗୁଡ଼ିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

 

ଏହି ମହତ ଯୋଜନା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) – ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGAY) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅନ୍ତର୍ଗତ ସମସ୍ତ ଯୋଗ୍ୟ ରେସନ କାର୍ଡଧାରୀଙ୍କୁ ସେମାନଙ୍କ ନିୟମିତ ପ୍ରାପ୍ୟ ବ୍ୟତୀତ, ମାସିକ ହିତାଧିକାରୀ ପିଛା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ସମ୍ପୂର୍ଣ୍ଣ ବିନା ମୂଲ୍ୟରେ ବଣ୍ଟନ କରାଯିବ। ଚଳିତ ଏପ୍ରିଲ ମାସ ୨୦୨୬ ମସିହାରୁ ଏହି ଯୋଜନା ଲାଗୁ କରାଯାଇଥିବାରୁ, ହିତାଧିକାରୀମାନେ ଏକକାଳୀନ ଏପ୍ରିଲ, ମେ ଏବଂ ଜୁନ୍-୨୦୨୬ ଏହି ତିନି ମାସର କୋଟା ହିତାଧିକାରୀ ପିଛା ମାସିକ ୫ କିଲୋଗ୍ରାମ ହିସାବରେ ସର୍ବମୋଟ ୧୫ କିଲୋଗ୍ରାମ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ଏଥିପାଇଁ କୌଣସି ସ୍ୱତନ୍ତ୍ର ରେସନ କାର୍ଡର ଆବଶ୍ୟକତା ନାହିଁ, ଲୋକେ ନିଜର ନିକଟସ୍ଥ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରୁ ଏହା ସଂଗ୍ରହ କରିପାରିବେ।

 

ଉତ୍ସବ ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ହିତାଧିକାରୀଙ୍କୁ ୨୦ ଟି ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା। ଏଥିସହ ମହିଳା ଏବଂ ଶିଶୁ ବିକାଶ ବିଭାଗର ‘ପୋଷଣ ଯୋଜନା’ ଅଧୀନରେ ମହିଳାମାନଙ୍କୁ ସଶକ୍ତ ଓ ଡିଜିଟାଲ୍ ଦୁନିଆ ସହ ଯୋଡ଼ିବା ପାଇଁ ୧୦ ଟି ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଥିଲା।

 

ସୂଚନା ଯୋଗ୍ୟ ଯେ, ଆମ ଜିଲ୍ଲାର ତଥ୍ୟକୁ ଦେଖିବା, ତେବେ ସମଗ୍ର ଜିଲ୍ଲାରେ ସର୍ବମୋଟ ୩୪୧ଟି ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର କାର୍ଯ୍ୟ କରୁଛି ।

ସର୍ବମୋଟ ଭାବେ ଜିଲ୍ଲାରେ ୩୭୪୪୩୮ ଟି ରେସନ କାର୍ଡଧାରୀ ପରିବାରର ୧୧୪୧୦୧୩ ଜଣ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି | ଏହି ଗରିବ କଲ୍ୟାଣକାରୀ ଯୋଜନା ସମାଜର ଶେଷ ଧାଡ଼ିରେ ଥିବା ପ୍ରତ୍ୟେକ ଅଭାବୀ ପରିବାର ପାଖରେ ଖାଦ୍ୟ ସୁରକ୍ଷା ପହଞ୍ଚାଇବାରେ ଏକ ବଳିଷ୍ଠ ମାଇଲଖୁଣ୍ଟ ସଦୃଶ ହେବ।

 

 

 

କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି ଯେ, “ଆମ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଆମର ପ୍ରାଥମିକତା। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଜିଲ୍ଲାର କୌଣସି ଗରିବ ପରିବାରକୁ ଭୋକିଲା ରହିବାକୁ ଦେବ ନାହିଁ।”

 

କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ,କୋଟପାଡ଼ ବିଧାୟକ ରୁପୁ ଭତ୍ରା,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗବାନ ମୁଡୁଲି ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ Iକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed