April 27, 2026

ବହିଷ୍କୃତ ହେଲେ ଭାମଶ୍ଯାଳି ପଞ୍ଚାୟତର ଯୋଗାଣ ସହାୟକ           

IMG-20241022-WA0049
Share

 

ବୁଗୁଡ଼ା : ତା ୨୨/୧୦/୨୪ : ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ହିତାଧିକାରୀମାନଙ୍କ ଇ-କେଓ୍ବାଇସି କରିବା ପାଇଁ ମେସିନ ଧରି ସୁରତ ଯାଇଥିବା ବୁଗୁଡ଼ା ବ୍ଲକ ଭାମଶ୍ଯାଳି ପଞ୍ଚାୟତର ଯୋଗାଣ ସହାୟକ ମିଥୁନ ବିଶ୍ୱାଳଙ୍କୁ ଚାକିରୀ ହରାଇବାକୁ ପଡିଛି l ପ୍ରାପ୍ତ ସୂଚନା ଅନୁସାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହେଉଥିବା ହେରଫେରକୁ ରୋକିବା ପାଇଁ ରାଜ୍ୟ ସରକାର ହିତାଧିକାରୀମାନଙ୍କ ପାଇଁ ଇକେଓ୍ବାଇସି କରିବା ବାଧ୍ୟତାମୂଳକ କରିଥିଲେ l ଫଳରେ ରାସନ କାର୍ଡଧାରୀ ହିତାଧିକାରୀମାନେ ଇ-ପୋସ ମେସିନ ମାଧ୍ୟମରେ ନିଜ ନିଜର ଟିପ ଚିହ୍ନ ଦେଇ ଆଗକୁ ରାସନ କାର୍ଡ ଜରିଆରେ ମାଗଣା ରାସନ ପାଇ ପାରିବେ ବୋଲି ନିୟମ ହେଲା l ତେବେ ଭାମଶ୍ଯାଳି ପଞ୍ଚାୟତର ଯୋଗାଣ ସହାୟକ ମିଥୁନ ବିଶ୍ୱାଳ ନିଜ ପଞ୍ଚାୟତରେ ଅଧିକାଂଶ ହିତାଧିକାରୀଙ୍କ ଇକେଓ୍ବାଇସି କରି ବଳକା ହିତାଧିକାରୀ ଯେଉଁମାନେ ସୁରତରେ ରହୁଛନ୍ତି ସେମାନଙ୍କ ଟିପ ଚିହ୍ନ ନେବା ପାଇଁ ଇ-ପୋସ ମେସିନ ଧରି ଗତ ମାସରେ ସୁରତ ଯାଇଥିଲେ l ସେଠାରେ ରହୁଥିବା ଭାମଶ୍ଯାଳି ପଞ୍ଚାୟତର ହିତାଧିକାରୀମାନଙ୍କଠାରୁ ଜଣ ପିଛା ୨ ଶହରୁ ୩ ଶହ ଟଙ୍କା ନେଇ ସେମାନଙ୍କ ଇ-କେଓ୍ବାଇସି କରିଥିଲେ l ଏ ନେଇ ଭିଡିଓ ଫୁଟେଜ ସହ ଅଭିଯୋଗ ହେବା ପରେ ବିଡିଓ ଏହାର ତଦନ୍ତ କରି ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପରେ ଯୋଗାଣ ସହାୟକଙ୍କୁ ବହିଷ୍କାର କରିବା ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ଭାମଶ୍ଯାଳି ସରପଞ୍ଚଙ୍କୁ ଚିଠି କରିଥିଲେ। ତେବେ ସରପଞ୍ଚ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୭୭୮୬, ତା ୧୮-୧୦-୨୪ ରିଖ ପ୍ରକାରେ ସମ୍ପୃକ୍ତ ଯୋଗାଣ ସହାୟକଙ୍କୁ ବହିଷ୍କୃତ କରି ୩ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ବୁଗୁଡ଼ା ବିଡ଼ିଓଙ୍କୁ କହିବା ପରେ ଯୋଗାଣ ସହାୟକ ମିଥୁନ ବିଶ୍ୱାଳଙ୍କୁ ଗତକାଲି ବହିଷ୍କୃତ କରାଯାଇଥିବା ନେଇ ବିଡ଼ିଓ ଦାଇତ୍ୱରେ ଥିବା ସ୍ଥାନୀୟ ତହସିଲଦାର ତାପସ ରାଉତ ସୂଚନା ଦେଇଛନ୍ତି l