ଚଳିତ ବର୍ଷ ଶଙ୍କର ପ୍ରସାଦ ଦତ୍ତ ପାଇବେ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ ..
– ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ୧୪ ତମ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ରେ ଦିଆଯିବ ସମ୍ମାନ।
ସମ୍ବଲପୁର, ୨୨।୭
ଜୀବନ ସାରା ସୁମଧୁର କଣ୍ଠର ଯାଦୁରେ ବିମୋହିତ କରିବା ସହିତ ସମ୍ବଲପୁରୀ ଲୋକସଂଗୀତ କୁ ଉଚ୍ଚ ସୋପାନ ରେ ପହଞ୍ଚାଇ ଥିବା ଶଙ୍କର ପ୍ରସାଦ ଦତ୍ତ ଙ୍କୁ ଆଗାମୀ ଅଗଷ୍ଟ ଏକ ତାରିଖରେ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ରେ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନିତ କରାଯିବ। ବୁଧବାର ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସମ୍ବଲପୁରୀ ସଂସ୍କୃତିର ପୁରୋଧା ଗୁରୁ ସତ୍ୟନାରାୟଣ ବହିଦାର ଙ୍କର ଜନ୍ମଦିନ ଅଗଷ୍ଟ ଏକ ତାରିଖରେ ପାଳନ କରାଯାଉଥିବା ୧୪ ତମ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ଅବସରରେ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଏହି ସମ୍ମାନ ପ୍ରଦାନ କରାଯିବ।
ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ ବାପା ସ୍ବର୍ଗତ ବିଭୂତି ଭୂଷଣ ଦତ୍ତ ଓ ମା ମିନତା ରାଣୀ ଦତ୍ତଙ୍କଠାରୁ ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିଲେ। ବାପା ମାଁ ଙ୍କ ଠାରୁ ପ୍ରାରମ୍ଭିକ ସଂଗୀତ ଶିକ୍ଷା ପରେ ଉତ୍ପାଦ ସ୍ବର୍ଗତ ରଫିକ୍ ଖାନ, ଗୁରୁ ସ୍ବର୍ଗତ ଚିତ୍ତରଞ୍ଜନ ମହାନ୍ତି, ସ୍ବର୍ଗତ ଅଶୋକ ପଟ୍ଟନାୟକ ଓ ସ୍ବର୍ଗତ ବିଭୁତେନ୍ଦ୍ର ସିଂଦେଓ, ଗୁରୁ ଅରୁଣ ପ୍ରସନ୍ତ ସେଠ, ସ୍ବର୍ଗତ ଫକୀର ମୋହନ ପଟ୍ଟନାୟକ, ସ୍ବର୍ଗତ ପ୍ରଭୁଦତ୍ତ ପ୍ରଧାନଙ୍କ ଠାରୁ ସଂଗୀତ ଶିକ୍ଷା କରିଥିଲେ । ଏହାସହ ସ୍ବର୍ଗତ ପ୍ରଦୀପ ପାତ୍ର, ପ୍ରଫୁଲ୍ଲ କରଙ୍କ ସାନିଧ୍ୟ ଲାଭ କରିଥୁଲେ ।
୧୯୭୩ ସାଲେ ଆକାଶବାଣୀ ସମ୍ବଲପୁର ରୁ ସମ୍ବଲପୁରୀ ଲୋକସଂଗୀତ ଏବଂ ୧୯୮୭ ମସିହାରେ ଆକାଶବାଣୀ କଟକରୁ ସୁଗମ ସଂଗୀତ ପାଇଁ ଗାୟକ ଭାବେ ସ୍ଵୀକୃତି ପାଇଥିଲେ ।
ସମ୍ବଲପୁର ଗୀତ ମାଲିକେ ମୋର ଆନୁଅଛେ ଜର ଭମରା, ବଏଁଶୀଟା କିଏ ନେଇଗଲାରେ, ଗୁଡ଼ର ପଏଁରୀ ବାଜେ ରାଇଁଝାଇଁରେ, ଜୁଡେ ମାଏଝୀର ଘୃଣା, ଶଶୁରଘ ରକେ ଜଏଁଗଲା ନୂଆଁଖାଇ, ବାଏର ତରେ
ତରେ ଗଲାରେ ଭାଲୁ ଖସଖସ, ନାଇଁ ବଜା ବେନୁ ଆରୁ କାହ୍ନୁରେ ପ୍ରଭୃତି ପ୍ରାୟ ୩୦୦୦ ଗୀତ ଶଙ୍କର ପ୍ରସାଦ ଦତ୍ତ ଗାଇଛନ୍ତି । ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ପ୍ରତିବର୍ଷ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ଏବଂ ଆଜୀବନ ସାଧନା ପାଇଁ ଜଣକୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇ ଆସୁଛି। ଏହିକ୍ରମରେ ୨୦୧୩ ରୁ ସ୍ବର୍ଗତ ମଙ୍ଗଳୁ ଚରଣ ବିଶ୍ବାଳ, ଗୁରୁ ଅରୁଣ ପ୍ରସନ୍ନ ସେଠ, ଲାଲ୍ ରତ୍ନାକର ସିଂହ, ପଦ୍ମଶ୍ରୀ ବିନୋଦ ପଶାୟତ, ବାନ୍ଧଶିଲ୍ପୀ ଭଗବାନ ମେହେର, ଅଟଲ ବିହାରୀ ପଣ୍ଡା, ଗୁରୁ ରଣଜିତ ନାଗ, ନାଟ୍ୟ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ, ଅମୃତଲାଲ ସାହୁ , ଗୁରୁ ଭାଗବତ ପ୍ରଧାନ, ସମ୍ବଲପୁରୀ ବହିର ପ୍ରଚାରକ ଶୀବ ଶଙ୍କର ପୂଜାରୀ, ଆର ଗଲା ବଛରେ ଅଭିନେତା ଭୁବନ ଭୋଇଙ୍କୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ ପ୍ରଦାନ କରାଯାଇ ଥିବା ମଞ୍ଚର ଆବାହକ ଭବାନୀଶ ଭୋଇ ଏବଂ ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି।
