କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଧାରଣା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା
ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ ଗାନ୍ଧୀ-
Dharmendra Pradhan
ଆଲୋଚନାର ସୁଯୋଗ ଥିଲେ ବି କଂଗ୍ରେସ ଓ ରାହୁଲ ଗାନ୍ଧୀ କେବଳ ଶିରୋନାମା ସାଉଁଟିବାକୁ ହଟଚମଟ ସୃଷ୍ଟି କରୁଛନ୍ତି
ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଇ ସୁରକ୍ଷା ନିୟମ ଭଙ୍ଗ କରିବା ସହ ସାଧାରଣ ଜନତାଙ୍କ ଅସୁବିଧା କରାଯାଉଛି
ସଂସଦୀୟ ଆଲୋଚନା ପାଇଁ ସରକାର ୧୦୦% ପ୍ରସ୍ତୁତ, ନିଟ୍ ପ୍ରସଙ୍ଗ ଓ ଯୁବବର୍ଗଙ୍କ ସମସ୍ୟା ଉପରେ ଗୃହରେ ସମ୍ପୂର୍ଣ୍ଣ ଚର୍ଚ୍ଚା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ
ଯୁବବର୍ଗ ନାରାବାଜି ଓ ବିଶୃଙ୍ଖଳା ବଦଳରେ ସ୍ଥିରତା, ସମାଧାନ ଏବଂ ଦାୟିତ୍ୱବାନ ଆଚରଣ ପାଇବାର ହକ୍ଦାର
କେବଳ ଆକ୍ରୋଶ ନୁହେଁ, ଛାତ୍ରଛାତ୍ରୀଙ୍କୁ ସଠିକ୍ ଉତ୍ତର, ପରୀକ୍ଷା ପ୍ରଣାଳୀରେ ସଂସ୍କାର ଓ ସ୍ୱଚ୍ଛତା ଦେବାକୁ ସରକାର କାର୍ଯ୍ୟ କରୁଛନ୍ତି
ଭୁବନେଶ୍ୱର,( ଦେବାଶିଷ ଦାଶ )
ସଂସଦର ମୌସୁମୀ ଅଧିବେଶନ ସମୟରେ କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ହାତବାରିସି ଭାବେ ବ୍ୟବହାର କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ ପୋଷ୍ଟରେ କହିଛନ୍ତି।
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଇ ସୁରକ୍ଷା ନିୟମ ଭଙ୍ଗ କରିବା ସହ ସାଧାରଣ ଜନତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ବିରୋଧୀଙ୍କ କେବଳ ଏକ ରାଜନୈତିକ ନାଟକବାଜି । ସରକାର ନିଟ୍ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟା ଉପରେ ସଂସଦରେ ସମ୍ପୂର୍ଣ୍ଣ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ସତ୍ତ୍ୱେ କଂଗ୍ରେସ ଗଣତାନ୍ତ୍ରିକ ଚର୍ଚ୍ଚା ବଦଳରେ କେବଳ ଗଣମାଧ୍ୟମରେ ଶିରୋନାମା ସାଉଁଟିବାକୁ ଚେଷ୍ଟା କରୁଛି ।
ନିଟ୍ ପରୀକ୍ଷା ଏବଂ ଯୁବବର୍ଗଙ୍କ ପ୍ରତ୍ୟେକ ଯୁକ୍ତିଯୁକ୍ତ ଚିନ୍ତା ପ୍ରକାଶ କରିବା ପାଇଁ ସରକାର ଗୃହରେ ସମ୍ପୂର୍ଣ୍ଣ ଚର୍ଚ୍ଚା କରିବାକୁ ୧୦୦% ପ୍ରତିଶ୍ରୁତିବଦ୍ଧ। ଦେଶର ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ବଦଳରେ ସ୍ଥିରତା, ନାରାବାଜି ବଦଳରେ ସମାଧାନ ଏବଂ ବିଶୃଙ୍ଖଳା ବଦଳରେ ଦାୟିତ୍ୱବାନ ଆଚରଣ ପାଇବାର ହକ୍ଦାର। ସରକାର ସବୁପ୍ରକାର ଚର୍ଚ୍ଚା ପାଇଁ ଦ୍ୱାର ଖୋଲା ରଖିଥିଲେ ସୁଦ୍ଧା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ କେବଳ ବିବାଦ ଓ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି। କେବଳ ଆକ୍ରୋଶ ପ୍ରକାଶ ନକରି ଛାତ୍ରଛାତ୍ରୀଙ୍କୁ ସଠିକ୍ ଉତ୍ତର, ପରୀକ୍ଷା ପ୍ରଣାଳୀରେ ଆବଶ୍ୟକୀୟ ସଂସ୍କାର ଯୋଗାଇଦେବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି।
ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ପାଇଁ ଏହା ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ନୁହେଁ, ବରଂ ନିଜ ରାଜନୈତିକ ଫାଇଦା ପାଇଁ କଳିଝଗଡ଼ା ସୃଷ୍ଟି କରିବାର ଏକ ମାଧ୍ୟମ। ଆମ ସରକାର ଯୁବବର୍ଗଙ୍କ ଭବିଷ୍ୟତ ସହ କୌଣସି ବୁଝାମଣା ନକରି ସେମାନଙ୍କୁ ସ୍ୱଚ୍ଛତା, ସଂସ୍କାର ଏବଂ ନ୍ୟାୟ ଦେବା ପାଇଁ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
