ଗଜପତି:- ଜିଲ୍ଲାସ୍ତରୀୟ ୬୬ ତମ ପୋଲିସ ଶହୀଦ ସ୍ମୃତି ଦିବାସ -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ..
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ବେତାଗୁଡ଼ା ସ୍ଥିତ ସଶସ୍ତ୍ର ରିଜର୍ଭ ପୋଲିସ ପଡିଆ ଠାରେ ଆଜି ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୬୬ ତମ ପୋଲିସ ଶହୀଦ ସ୍ମୃତି ଦିବସ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ କର୍ତ୍ତବ୍ୟ ସମୟରେ ଯେଉଁ ପୋଲିସ ଭାଇ ମାନେ ଉଗ୍ରବାଦୀ ଓ ମାଓବାଦୀ ମାନଙ୍କ ଶିକାର ହୋଇ ନିଜ ଜୀବନକୁ ଉତ୍ସର୍ଗ କରି ଦେଶମାତୃକା ପାଇଁ ପ୍ରାଣବଳିି ଦେଇ ଯାଇଛନ୍ତି , ପ୍ରତିବର୍ଷ ଆଜିର ଦିନରେ ସେମାନଙ୍କ ସ୍ମୃତିଚାରଣ କରାଯିବା ସହ ପୋଲିସ ସହିଦ ସ୍ମୃତି ଦିବସ ପାଳନ କରାଯାଇ ଆସୁଅଛି ।
ଆମ ପୋଲିସ କର୍ମଚାରୀ ମାନେ ବିଭିନ୍ନ କ୍ଷେତ୍ରରେ ଯେ କୌଣସି ବିପଦ ଆପଦ ହେଉ କିମ୍ବା ଉଗ୍ରବାଦୀ କି ମାଓବାଦୀ କାର୍ଯ୍ୟକଳାପ ହେଉ , ସବୁଥିରେ ତାର ଉଚିତ୍ ମୁକାବିଲା କରିବା ପାଇଁ ଯଥେଷ୍ଟ ସମର୍ଥ ଅଛନ୍ତି ବୋଲି କହି ସବୁବେଳେ ନିରବଚ୍ଛିନ୍ନ ଓ ନିର୍ଭୀକ ଭାବେ ସେବା ପ୍ରଦାନ କରିବା ସହ ଜନସାଧାରଣଙ୍କ ସମସ୍ତ ଆଶା ପୁରଣ କରିବା ଦିଗରେ ଆସ୍ଥାଭାଜନ ହେବା ପାଇଁ ଉପସ୍ଥିତ ପୋଲିସ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଆହ୍ବାନ କରିଥିଲେ ।
ଏହି ଅବସରରେ ମୁଖ୍ୟଅତିଥି ଏସପି: ଶ୍ରୀ ପଣ୍ଡା ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପଠାଇଥିବା ବାର୍ତ୍ତା ପାଠ କରିବା ସହ କର୍ତ୍ତବ୍ୟ ସମୟରେ ଦେଶମାତୃକା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ବୀରଗତି ପ୍ରାପ୍ତ ହୋଇ ସହିଦ ହୋଇଥିବା ଭାରତ ବର୍ଷର ୧୯୧ ଜଣ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ନାମ ପାଠ କରିବା ସହ ପୋଲିସ ସହୀଦ ସ୍ମୃତିସ୍ତମ୍ଭ ଠାରେ ସେମାନଙ୍କ ଉଦ୍ଦେଶ୍ୟରେ ପୁଷ୍ପଗୁଚ୍ଛ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ସେହିଭଳି ଉପସ୍ଥିତ ପୋଲିସ ଅଧିକାରୀ ମାନେ ମଧ୍ୟ ସହିଦ ସ୍ମୃତିସ୍ତମ୍ଭ ଠାରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିବା ବେଳେ ପ୍ୟାରେଡ଼ ଦଳର ସମସ୍ତ ପୋଲିସ କର୍ମଚାରୀ ମାନେ ମଧ୍ୟ ନିଜର ସଶସ୍ତ୍ର ସହ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଏହି ଅବସରରେ ଗଜପତି ଜିଲ୍ଲାର ସହିଦ ହୋଇଥିବା ଦୁଇ ପୋଲିସ କର୍ମଚାରୀ ସିମାଞ୍ଚଳ ପ୍ରଧାନ ଏବଂ ବିଶ୍ୱଜିତ ଜେନାଙ୍କ ପରିବାର ତଥା ସେମାନଙ୍କ ପତ୍ନୀଙ୍କୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
କାର୍ଯ୍ୟକ୍ରମ ଅବସରରେ ଶେଷରେ ପୋଲିସ ଝଣ୍ଡାକୁ ସଶସ୍ତ୍ର ସଲାମୀ ସେଲ୍ୟୁଟ ଜଣାଇବା ପରେ କାର୍ଯ୍ୟକ୍ରମର ସମାପନ ପ୍ୟାରେଡ଼ ସମ୍ପନ୍ନ ହୋଇଥିଲା ।
ଏହି ସହିଦ ସ୍ମୃତି ଦିବସ ପାଳନ କାର୍ଯ୍ୟକ୍ରମରେ ପୋଲିସର ୨ ଟି ଦଳ ଯଥା:- ଜିଲ୍ଲା ପୋଲିସ କଣ୍ଟୀଜେଣ୍ଟ ଏବଂ ୩ୟ ବାଟାଲିୟନ କଣ୍ଟିଜେଣ୍ଟ ଭାଗ ନେଇଥିବା ବେଳେ ଏହାକୁ ରିଜର୍ଭ ଇନ୍ସପେକ୍ଟର (ଆର:ଆଇ:) ଶ୍ରୀ ନିରଞ୍ଜନ ନାୟକ ଏବଂ ସର୍ଜେଣ୍ଟ ଶ୍ରୀ ଖୁସିରାମ ଭୋଇ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଏସଏପି: ୩ ୟ ବାଟାଲିୟନ କମାଣ୍ଡେଣ୍ଟ ଶ୍ରୀ ଅଶୋକ କୁମାର ମହାନ୍ତି ମଞ୍ଚାସିନ ଥିବା ବେଳେ ଏସଡିପିଓ: ଶ୍ରୀ ମାଧବା ନନ୍ଦ ନାୟକଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ଅଧିକାରୀଙ୍କ , ଅବସରପ୍ରାପ୍ତ ପୋଲିସ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
————————————————-
