July 21, 2026

ରଥଯାତ୍ରା ସୁପରିଚାଳନା କରିବାରେ ଅସମର୍ଥ ବିଜେପି ସରକାର: ବିଜେଡି

IMG-20260720-WA0069
Share

 

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ଦଳାଚକଟା ଘଟଣାକୁ ଚାପି ଦେବାକୁ ହେଉଛି ଉଦ୍ୟମ

 

ରାଜ୍ୟବାସୀଙ୍କୁ ମିଥ୍ୟା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ

 

ବିଜେପି ସରକାର ଓ ପ୍ରଶାସନିକ ଅଧିକାରୀଙ୍କ କଥାରେ ରହୁନି ତାଳମେଳ

 

ମହାପ୍ରଭୁଙ୍କ ଆଳ ନେଇ ଖସି ଯିବାକୁ ଉଦ୍ୟମ କରୁଛି ବିଜେପି ସରକାର

 

 

 

ବିଶ୍ୱ ପ୍ରସିଦ୍ଧ ପୁରୀର ଘୋଷଯାତ୍ରାକୁ ବିଜେପି ସରକାର ସଠିକ ଭାବରେ ପରିଚାଳନା କରି ନପାରିବାରୁ ଶ୍ରଦ୍ଧାଳୁଙ୍କ ପ୍ରାଣ ହାନି ହୋଇଛି। ଏ ବାବଦରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେପି ସରକାରକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି। ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଓ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ବିଜେପି ସରକାରକୁ ସମାଲୋଚନା କରିଛନ୍ତି।

ଉପସଭାପତି ଶ୍ରୀ ଦାସବର୍ମା କହିଛନ୍ତି ଯେ, ରଥଯାତ୍ରାରେ ଏହିପରି ଅଘଟଣ ଘଟିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ମର୍ମାହତ କରିଛି। ବିଜେଡି ପକ୍ଷରୁ ଉକ୍ତ ସମ୍ବେଦନଶୀଳ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। କିନ୍ତୁ ଏହା ପରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଉକ୍ତ ଘଟଣାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟବାସୀଙ୍କୁ ମିଥ୍ୟା କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ଯେ ଦଳା ଚକଟା ଯୋଗୁଁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇନାହିଁ। ଜଣକ ହୃଦଘାତ ଓ ଅନ୍ୟ ଜଣକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ଯାହାକି ସମ୍ପୂର୍ଣ୍ଣ ଭାବେ ମିଥ୍ୟା। ରଥଯାତ୍ରା ସମୟରେ କଣ ଘଟିଲା ତାହାକୁ ରାଜ୍ୟ ସରକାର ସାର୍ବଜନୀନ କରୁନାହାଁନ୍ତି। ଦଳାଚକଟାରେ କେତେ ଜଣ ମୃତ୍ୟୁ ଓ କେତେ ଜଣ ଆହତ ହୋଇଛନ୍ତି। ସେ ବାବଦରେ କୌଣସି ସରକାରୀ ତଥ୍ୟ ପ୍ରଦାନ କରାଗଲା ନାହିଁ। ଉକ୍ତ ଘଟଣାକୁ ମିଳିମିଶି ଚାପି ଦେବାକୁ ବିଜେପି ସରକାର ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀ ମାନଙ୍କ କଥାରେ ତାଳମେଳ ରହୁନି। ଦଳାଚକଟା ହୋଇ ୪ଜଣ ଅତି ଗୁରୁତର ଅବସ୍ଥାରେ ପୁରୀ ହସପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସେଥି ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଛି। ଏହାସହିତ ୩୫୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି ବୋଲି ସିଡିଏମଓ ଘୋଷଣା କରିଥିଲେ। କିନ୍ତୁ ପର୍ୟ୍ୟାୟକ୍ରମରେ ୨ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସରକାର କହିଥିଲେ। ଅନ୍ୟ ଜଣକ ମୃତ୍ୟୁ ବାବଦରେ ରାଜ୍ୟ ସରକାର ସୂଚନା ପ୍ରଦାନ ନକରି ନିରବ ରହିଛନ୍ତି। ୩ ଜଣକଙ୍କ ମୃତ୍ୟୁ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାର ତାହାକୁ ଲୁଚାଇବାରେ ଲାଗିଛନ୍ତି। ରଥ ଯାତ୍ରା ସୁପରିଚାଳନା ନେଇ ଡବଲ ଇଞ୍ଜିନ ସରକାର ବାରମ୍ୱାର ବୈଠକ କରୁଥିଲେ। କିନ୍ତୁ ତାଙ୍କର ଚରମ ବିଫଳତା ପାଇଁ ଆଜି ଓଡ଼ିଶା ସବୁଠି ନିନ୍ଦିତ ହୋଇଛି। ଡବଲ ଇଞ୍ଜିନ ସରକାରର ସାମଗ୍ରିକ ବିଫଳତା ପାଇଁ ଆଜି ଏହିପରି ଅଭାବନୀୟ ଘଟଣା ଘଟିଛି। ଯାହାକି ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି। ମନ୍ତ୍ରୀ ଦଳାଚକଟାରେ ଶ୍ରଦ୍ଧାଳୁ ମାନଙ୍କ ମୃତ୍ୟୁ ହୋଇଛି ବୋଲି ସ୍ଵୀକାର କରୁନଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟରେ ଦଳାଚକଟାରେ ମୃତ୍ୟୁ ହୋଇଛି ବୋଲି ଉଲ୍ଲେଖ କରାଯାଇଛି।

ଶ୍ରୀ ଦାସବର୍ମା ଆହୁରି ମଧ୍ୟ କହିଛନ୍ତି, ଅହଙ୍କାରୀ ବିଜେପି ସରକାରଙ୍କ ମନ୍ତ୍ରୀ ରାଜ୍ୟବାସୀଙ୍କୁ ମିଛ କହି ଭୂଆଁ ବୁଲାଇବାକୁ ପ୍ରଚେଷ୍ଟା କରୁଛନ୍ତି। ରଥ ଯାତ୍ରା ଦେଖିବା ପାଇଁ ଆସି ଶ୍ରଦ୍ଧାଳୁ ଘରକୁ ଶବ ହୋଇ ଫେରିଲେ। କିନ୍ତୁ ଏଥିପରେ ମଧ୍ୟ ରାଜ୍ୟ ସରକାର ନିଜ ଦୋଷ ତ୍ରୁଟିକୁ ସ୍ୱୀକାର କରିବାକୁ ରାଜି ନାହାଁନ୍ତି। ବ୍ୟବସ୍ଥାଗତ ତ୍ରୁଟିକୁ ଲୁଚାଇବା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମିଛ କହିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାଁନ୍ତି। ଯାହାକି ଅତି ନିନ୍ଦନୀୟ ଅଟେ। ମହାପ୍ରଭୁଙ୍କ ଆଳ ନେଇ ଖସି ଯିବାକୁ ବିଜେପି ସରକାର ଉଦ୍ୟମ କରୁଛନ୍ତି। ଉକ୍ତ ଘଟଣାର ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ କରି ରିପୋର୍ଟ ସାର୍ବଜନୀନ କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି। ପୂର୍ବର ରଥ ଯାତ୍ରା ସମୟରେ ଦଳା ଚକଟାରେ ମୃତ୍ୟୁ, ପହଣ୍ଡି ବିଜେ ବେଳେ ଚାରମାଲରୁ ପ୍ରଭୁ ବଳଭଦ୍ର ଖସି ପଡିବା ଘଟଣାର ତଦନ୍ତ ରିପୋର୍ଟ୍ ମଧ୍ୟ ଆଜି ପର୍ୟ୍ୟନ୍ତ ସାର୍ବଜନୀନ ହୋଇନି। ତାହାକୁ ସାର୍ବଜନୀନ କରିବାକୁ ମଧ୍ୟ ଦାବି କରାଯାଇଛି। ସୂର୍ୟ୍ୟାସ୍ତ ପରେ ରଥ ଟଣା ଯିବାର ନିୟମ ନଥିବା ବେଳେ କିପରି ନୀତିକାନ୍ତି ନିୟମ ନମାନି ସୂର୍ୟ୍ୟାସ୍ତ ପରେ ରଥ ଟଣା ଗଲା ସେନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ପ୍ରଦାନ କରନ୍ତୁ।

ସେହିପରି ଗଣମାଧ୍ୟମ ସଂଯୋଜକ ଡ଼ ମହାନ୍ତି କହିଛନ୍ତି ଯେ, ରଥ ଯାତ୍ରା ସମୟରେ ପୁରୀରେ ଦଳାଚକଟା ଘଟଣା ଘଟିଛି। ଯାହାକି ସମସ୍ତ ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଛି। କିନ୍ତୁ ବିଜେପି ସରକାର ନିଜ ଦୋଷ ତ୍ରୁଟିକୁ ଲୁଚାଇବା ପାଇଁ ଏହାକୁ ସ୍ବୀକାର କରୁନାହାଁନ୍ତି। ଦଳା ଚକଟାରେ ମୃତ୍ୟୁ ନେଇ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ବି ଅନ୍ୟ କାରଣରେ ଶ୍ରଦ୍ଧାଳୁ ମାନଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ଦଳା ଚକଟାରେ ମୃତ୍ୟୁକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବୀକାର କରୁନାହାଁନ୍ତି। ସରକାରୀ ତ୍ରୁଟି ଲୁଚାଇବାକୁ ଯାଇ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟବାସୀଙ୍କୁ ମିଛ କହୁଛନ୍ତି ବୋଲି ଜଣାପଡ଼ିଛି। ଅପାରଗ ସ୍ୱାସ୍ଥ୍ୟ ମନ୍ତ୍ରୀ ମିଛ କହିବାକୁ ଦୃଷ୍ଟତା କରିଛନ୍ତି। ମୃତ୍ୟୁ ପରେ ବି ଜଣେ ଶବକୁ ବିଜେପି ସରକାର ସମ୍ମାନ ଦେଉ ନାହିଁ। ଦଳା ଚକଟାରେ ୩ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ୨ଜଣଙ୍କ ପରିଚୟ ଦେଇ ଅନ୍ୟ ଜଣକ ନାମ ଲୁଚାଇବାକୁ ବିଜେପି ସରକାର କେଉଁ କାରଣରୁ ପ୍ରୟାସ କରୁଛି ବୋଲି ବିଜେଡ଼ି ଆଶ୍ଚର୍ୟ୍ୟ ପ୍ରକାଶ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ କଥା କହି ଖସି ଯିବାକୁ ଚେଷ୍ଟା କରୁଛନ୍ତି। ଏହିପର ଜଣେ ଅପାରଗ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟ ସରକାରଙ୍କ କ୍ୟାବିନେଟରେ ରହିବାର ଆବଶ୍ୟକତା ନାହିଁ। ତେଣୁକରି ଉକ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା। ଏହାସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ା ମୁକେଶ ମହଲିଙ୍ଗ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ କରିବା ପାଇଁ ଦାବି କରିଛନ୍ତି।

ଡ. ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ଗଠନ କରିବା ଠାରୁ ନିୟମିତ ଭାବେ ଗତ ୩ ବର୍ଷ ଧରି ରଥ ଯାତ୍ରାରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ରାଜ୍ୟ ସରକାର ସଠିକ ଭାବେ ପରିଚାଳନା ନକରି ପାରିବାରୁ ରଥ ଯାତ୍ରାରେ ଅଘଟଣ ଘଟି ପ୍ରାଣ ହାନି ହେଉଛି। ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ବିଜେପି ଓଡ଼ିଶାରେ ସରକାର ଗଠନ କରିଛନ୍ତି। କିନ୍ତୁ ଓଡ଼ିଆ ଅସ୍ମିତାର ପ୍ରତୀକ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ସେବା ଯୋଗାଇବାରେ ଅସମର୍ଥ ଅଟନ୍ତି। ଯାହାକି ସାରା ଓଡ଼ିଶାବାସୀଙ୍କ ସମ୍ମୁଖରେ ବିଜେପି ନିଜେ ଦେଖାଇ ଦେଇଛି ବୋଲି କହିଛନ୍ତି। ବିଜେପି ସରକାର ପାଇଁ ଓଡ଼ିଶା ଆଜି ସବୁଠି ନିନ୍ଦିତ ହୋଇଛି। ଆବଶ୍ୟକତା ଠାରୁ ଅନେକ ବେଶୀ ଲୋକଙ୍କୁ ପାସ ବଣ୍ଟନ କରିବା ସହ ଭିଆଇପି ଓ ଭିଭିଆଇପି ନୀତି ପାଇଁ ଦଳା ଚକଟା ପରି ପରିସ୍ଥିତ ସୃଷ୍ଟି ହୋଇଛି। ଓଡ଼ିଆ ମାନେ ସୁରୁଖୁରୁରେ ରଥ ଯାତ୍ରାରେ ମହାପ୍ରଭୂଙ୍କ ଦର୍ଶନ କରିପାରୁ ନାହାଁନ୍ତି। ଏଥିପାଇଁ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ ଅଟେ। ରାଜ୍ୟ ସରକାର ନିଜ ଦୋଷ ତ୍ରୁଟିକୁ ସ୍ୱୀକାର କରନ୍ତୁ ବୋଲି କହିଛନ୍ତି।