September 6, 2026

ଶହେ ଷାଠିଏ ବସ୍ତା ଗଞ୍ଜେଇ ଜବତ। ଚାରି ଗିରଫ

IMG-20260906-WA0050
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ମଦନପୁର ରାମପୁର ବ୍ଲକର ନିଘଞ୍ଚ ଜଙ୍ଗଲ ମଧ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷ ବର୍ଷ ଧରି ହଜାର ହଜାର ଗଛ କାଟି ଚୋରାରେ ଗଞ୍ଜେଇ ଚାଷ କରାଯିବା ସହ ସୀମାନ୍ତ କନ୍ଧମାଳ, ବୌଦ ଓ ବଲାଙ୍ଗୀର ଜିଲ୍ଲା ଦେଇ ଅବାଧରେ ଗଞ୍ଜେଇ ଚୋରା ବେପାର ଚାଲି ଆସୁଥିବାବେଳେ, କଳାହାଣ୍ଡି ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗ ତରଫରୁ ବ୍ଲକର ବିଭିନ୍ନ ଅଞ୍ଚଳ ଗୁଡିକରେ ଗୋଟିଏ ପରେ ଗୋଟିଏ ଅନେକ ଥର ଚଢ଼ାଉ କରାଯାଇ ଗଞ୍ଜେଇ ଜବତ ସହ ହଜାର ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଳାଣ କରାଯାଇଥିଲେ ମଧ୍ୟ ଏହି ଅଞ୍ଚଳ ଗୁଡିକରେ ଗଞ୍ଜେଇ ଚାଷ ବନ୍ଦ ହୋଇପାରୁନାହିଁ।ଏହି କ୍ରମରେ କଳାହାଣ୍ଡି ପୋଲିସକୁ ଆଉ ଗୋଟିଏ ବଡ଼ ସଫଳତା ମିଳିଛି।ସୂଚନା ଅନୁଯାୟୀ, ମ. ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଫାଣ୍ଡି ଅଧୀନରେ ଆସୁଥିବା ଦେଢ଼ଶୁଲି ପଞ୍ଚାୟତ ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଗଞ୍ଜେଇ ଚାଷ କରାଯାଇ, ଚାଳାଣ କରାଯିବା ସକାଶେ ବିପୁଳ ପରିମାଣରେ ଗଞ୍ଜେଇ ଗଦା ହୋଇ ରହିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମ. ରାମପୁର ଥାନା ଅଧିକାରୀଣୀ ସଂଯୁକ୍ତା ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ତରଫରୁ ଚଢ଼ାଉ କରାଯିବା ସହ ଶହେ ଷାଠିଏ ଗୋଟି ଜରି ବସ୍ତା (୨ ଟନ ୮O କେ.ଜି) ଗଞ୍ଜେଇ ଜବତ କରାଯାଇଛି ଏବଂ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ଦିଆଯାଇଛି। ଏଥିସହ ଏଥିରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଚାରି ଜଣ ଅଭିଯୁକ୍ତ ହେଲେ, ଦେଢ଼ଶୁଲି ଗ୍ରାମର ନାଏବ ହରିଜନ, ଜିତେନ୍ଦ୍ର ହରିଜନ ଏବଂ ଜାମୁଲି ଗ୍ରାମର ଗଲନ ମାଝୀ ଓ କିଜୋ ମାଝୀ। ଗିରଫ ଚାରି ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ମ. ରାମପୁର ଥାନାରେ ଏକ ମାମଲା (୨୨୧/୨O୨୬) ୠଜ୍ଜୁ କରାଯାଇ ଏହି ଚୋରା କାରବାରର ଚେର କେତେଦୂର ଲମ୍ବିଛି ସେନେଇ ପୋଲିସ ପକ୍ଷରୁ ବର୍ତ୍ତମାନ ଅଧିକ ତଦନ୍ତ ଜାରି ରହିଛି।