ଚାରି ଲେନ ରାସ୍ତାକୁ ନେଇ ସରକାରୀ ନୀତିକୁ ଗ୍ରାମବାସୀଙ୍କ ପ୍ରବଳ ବିରୋଧ..

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲାର ସର୍ବାଧିକ ବ୍ୟସ୍ତବହୁଳ ଏବଂ ଦୁର୍ଘଟଣା ପ୍ରବଣ କେସିଙ୍ଗା ଠାରୁ ଭବାନୀପାଟଣା ଦେଇ ଜୁନାଗଡ଼ ପର୍ଯ୍ୟନ୍ତ ରାସ୍ତାକୁ ଚାରି ଲେନ ବିଶିଷ୍ଟ କରିବାପାଇଁ ସରକାରଙ୍କ ଦ୍ୱାରା ଅନୁମୋଦିତ କରାଯାଇ ତରବରିଆ ଭାବରେ ଜାଗା ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇସାରିଥିବାବେଳେ, ଭବାନୀପାଟଣା ସହର ନିକଟରେ ଥିବା ତଥା କେସିଙ୍ଗା ସି.ଡ଼ି ବ୍ଲକ ଅଧୀନରେ ଆସୁଥିବା ପାଷ୍ଟିକୁଡ଼ି ଗ୍ରାମରେ ଏହାର ଜୋରଦାର ବିରୋଧ କରାଯାଇଛି। ରାସ୍ତା କାମକୁ ବିରୋଧ କରିବାର କାରଣ ଦର୍ଶାଇ ଗ୍ରାମର ବୁଦ୍ଧିଜୀବୀ ମାନେ କହିଛନ୍ତି ଯେ’ କିଛି ମାସ ପୂର୍ବରୁ କିଛି ସରକାରୀ ଅଧିକାରୀ ଗ୍ରାମକୁ ଆସିଥିଲେ ଏବଂ ରାସ୍ତା ତିଆରି ବାବାଦରେ ଜଣାଇଥିଲେ ଏବଂ ବିସ୍ଥାପିତ ହେବାକୁ ଥିବା ହିତାଧିକାରିଙ୍କୁ ଏକ ସପ୍ତାହ ମଧ୍ୟରେ କ୍ଷତିପୂରଣ ବାବଦରେ ଟଙ୍କା ପଡ଼ିଯିବ ଏବଂ ବିସ୍ଥାପିତଙ୍କୁ ଥଇଥାନ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ।ଏହି ଚାରି ଲେନ ବିଶିଷ୍ଟ ରାସ୍ତା କାମକୁ ଗ୍ରାମବାସି ମାନେ ମଧ୍ୟ ସ୍ୱାଗତ ଜଣାଇଥିଲେ।ଇତି ମଧ୍ୟରେ ପ୍ରାୟ ତିନି ମାସ ବିତିଯାଇଥିବା ବେଳେ, ଗ୍ରାମର ଅଧେ ହିତାଧିକାରିଙ୍କୁ କ୍ଷତିପୂରଣ ମିଳିସାରିଥିବାବେଳେ, ଅଧେ ହିତାଧିକାରୀ ଏପର୍ଯ୍ୟନ୍ତ କ୍ଷତିପୂରଣ ପାଇ ନାହାନ୍ତି। ଏଥିରେ ମଧ୍ୟ ଯେଉଁ ସବୁ ଗ୍ରାମବାସୀ କ୍ଷତିପୂରଣ ପାଇଛନ୍ତି, ତାହା ମଧ୍ୟ ଗ୍ରହଣ ଯୋଗ୍ୟ ନୁହଁ। କାହାକୁ ୧ ଡେସିମିଲ ପିଛା ୩ ଲକ୍ଷ ଟଙ୍କା, କାହାକୁ ଡେସିମିଲ ପିଛା ୨ ଲକ୍ଷ ଟଙ୍କା ତ କାହାକୁ ଦେଢ଼ ଲକ୍ଷ ଟଙ୍କା ଦିଆଯାଇଛି।ଏଭଳି ସ୍ଥିତିରେ କିଛି ଦିନ ତଳେ ହଠାତ ସରକାରି ନୋଟିସ ଜାରି କରାଯାଇ ଗ୍ରାମବାସୀଙ୍କୁ ତାଗିଦ କରାଗଲା ଯେ’ ମାତ୍ର ସାତ ଦିନ ମଧ୍ୟରେ ଗ୍ରାମବାସି ନିଜର ଘର, ଦୋକାନ ଇତ୍ୟାଦି ଖାଲି କରିଦିଅନ୍ତୁ, ନଚେତ ଜୋରଜବରଦସ୍ତି ବୁଲଡୋଜର ଲଗାଇ ଭାଙ୍ଗିଦିଆଯିବ।ଗ୍ରାମର ପ୍ରାୟ ଅର୍ଦ୍ଧେକ ବିସ୍ଥାପିତଙ୍କୁ କ୍ଷତିପୂରଣ ଏପର୍ଯ୍ୟନ୍ତ ମିଳିନଥିବାବେଳେ ଘର, ଦୋକାନ ଗୁଡିକୁ ଖାଲି କରିବାପାଇଁ ସରକାରଙ୍କ ତରଫରୁ ମାତ୍ର ସାତ ଦିନ ସମୟ ଦେବା ଏବଂ ଆଗକୁ ଅସଲ ବର୍ଷା ଦିନ ଆସୁଥିବାବେଳେ, ଗ୍ରାମବାସୀଙ୍କ ମୁଣ୍ଡରେ ଚଡକ ପଡିଛି। ତେଣୁ ବାଧ୍ୟହୋଇ ଗ୍ରାମବାସି ରାଜରାସ୍ତା କୁ ଓଲ୍ହାଇ ଏହାର ପ୍ରବଳ ବିରୋଧ କରିବା ସହ,ଦୃଢ଼ ଦାବି ଜଣାଇଛନ୍ତି ଯେ’ ସରକାର ପ୍ରଥମେ ସମସ୍ତ ହିତାଧିକାରିଙ୍କୁ ଉଚିତ କ୍ଷତିପୂରଣ ଦେଇ ଥଇଥାନର ବନ୍ଦୋବସ୍ତ କରନ୍ତୁ କିମ୍ବା ଗ୍ରାମବାସୀଙ୍କୁ ଅତିକମରେ ୬ ମାସ ସମୟ ଦିଅନ୍ତୁ। ନଚେତ ଆଗକୁ ଆହୁରି ଦୃଢ଼ ବିରୋଧ କରାଯିବ। ଅନ୍ୟପଟେ,ଘଟଣା ସ୍ଥଳରେ ଉପସ୍ଥିତ ଥିବା କେସିଙ୍ଗା ଅତିରିକ୍ତ ତହସିଲଦାର ଗଣମାଧ୍ୟମକୁ କେବଳ ଏତିକି ଜଣାଇଛନ୍ତି ଯେ’ ଗ୍ରାମବାସୀଙ୍କ ଦାବି ଗୁଡିକୁ ଉପରିସ୍ଥ ଅଧିକାରିଙ୍କୁ ଜଣାଇଦିଆଯାଇଛି ଏବଂ ସେମାନଙ୍କ ନିଷ୍ପତ୍ତି କ୍ରମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।
