ଉମରକୋଟ ୱାର୍ଡ ନମ୍ବର–୯ରେ ଝୁଲି ରହିଛି ଷ୍ଟ୍ରିଟ୍ ଲାଇଟ୍ ତାର, ଦୁର୍ଘଟଣା ଆଶଙ୍କାରେ ଶିବାଜୀନଗରବାସୀ….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ପୌରାଞ୍ଚଳର ଶିବାଜୀନଗର ୱାର୍ଡ ନମ୍ବର–୯ରେ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଦୁଇଟି ଷ୍ଟ୍ରିଟ୍ ଲାଇଟ୍ର ବିଦ୍ୟୁତ ତାର ଗତ ୧୦ ତାରିଖରୁ ଆଜି ପର୍ଯ୍ୟନ୍ତ ବିପଦଜନକ ଅବସ୍ଥାରେ ଝୁଲି ରହିଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଦୁର୍ଘଟଣା ଆଶଙ୍କା ବଢ଼ିବା ସହ ପ୍ରଶାସନର ଅବହେଳା ପ୍ରତି ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ ୧୦ ତାରିଖରେ ହୋଇଥିବା କାଳବୈଶାଖୀ ପରେ ଷ୍ଟ୍ରିଟ୍ ଲାଇଟ୍ର ତାର ଛିଣ୍ଡି ରାସ୍ତା ଉପରେ ଓ ଘର ନିକଟରେ ଝୁଲି ରହିଛି। ଏହି ସମସ୍ୟା ନେଇ ବାରମ୍ବାର ବିଦ୍ୟୁତ ବିଭାଗ ଏବଂ ପୌର ପରିଷଦ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଅଭିଯୋଗ ଅନୁଯାୟୀ, ବିଦ୍ୟୁତ କାର୍ଯ୍ୟାଳୟକୁ ଯାଇଥିବା ଲୋକଙ୍କୁ ପୌର ପରିଷଦକୁ ଯିବାକୁ କୁହାଯାଉଥିବା ବେଳେ ପୌର ପରିଷଦ ପକ୍ଷରୁ ଏହା ବିଦ୍ୟୁତ ବିଭାଗର କାମ ବୋଲି କୁହାଯାଉଛି। ଏହିଭଳି ଦୁଇ ବିଭାଗ ମଧ୍ୟରେ ଦାୟିତ୍ୱ ଠେଲାଠେଲି ଯୋଗୁଁ ସମସ୍ୟାର ସମାଧାନ ବିଳମ୍ବିତ ହେଉଥିବା ଅଭିଯୋଗ ହୋଇଛି।
ଏନେଇ ସମାଜ ପ୍ରତିନିଧି ବିଦ୍ୟୁତ ବିଭାଗର ଏସ୍ଡିଓଙ୍କ ସହ ଯୋଗାଯୋଗ କରିବାରୁ ସେ ପୌର ପରିଷଦକୁ ଅବଗତ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟପଟେ ପୌର ପରିଷଦର ଇଓ କହିଛନ୍ତି ଯେ, ଏନେଇ ବିଦ୍ୟୁତ ବିଭାଗକୁ ଅବଗତ କରାଯାଇଛି ଏବଂ ସେମାନଙ୍କ କର୍ମଚାରୀ ଆସି ତାରକୁ ସଜାଡ଼ିବେ। ତେବେ ଘଟଣାର ଏତେଦିନ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ବିଶେଷକରି ଘର ନିକଟରେ ଏବଂ ଲୋକଙ୍କ ଯାତାୟାତ ରାସ୍ତା ଉପରେ ତାର ଝୁଲି ରହିଥିବାରୁ ବର୍ଷା ସମୟରେ ବଡ଼ ଧରଣର ଅଘଟଣ ଘଟିବାର ଆଶଙ୍କା ରହିଛି। ତେଣୁ ଯଥାଶୀଘ୍ର ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଶିବାଜୀ ନଗରବାସୀ ଦାବି କରିଛନ୍ତି। ସେମାନଙ୍କ ପ୍ରଶ୍ନ, “ଯଦି କୌଣସି ଅଘଟଣ ଘଟେ, ତେବେ ଏହା ପାଇଁ ଦାୟୀ କିଏ ରହିବ?” ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି |
