May 10, 2026

ବସ୍-ବାଇକ୍ ମୁହାଁମୁହିଁ ଧକ୍କା ,ପ୍ରଧାନ ଶିକ୍ଷକ ମୃତ..

hand
Share

 

 

ଦିଗପହଣ୍ଡି —ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ସହ ମୁହାଁମୁହିଁ ଧକ୍କା ହେଲା ବାଇକ୍। ଫଳରେ ପ୍ରଧାନ ଶିକ୍ଷକ ମୃତ । ତେବେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଦିଗପହଣ୍ଡି -ଘୋଡ଼ାହାଡ଼ ରାସ୍ତାର କଇଠଖଣ୍ଡି ନିକଟରେ ଏହି ଘଟଣା ଘଟିଛି। ତେବେ ମୃତ ପ୍ରଧାନ ଶିକ୍ଷକ କୁରେଶୁ ପାତ୍ର ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ ଆଜି ସକାଳୁ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ମଧୁବନ ପ୍ରାଇମେରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁରେଶୁ ପାତ୍ର ବାଇକ ଯୋଗେ ବିଦ୍ୟାଳୟକୁ ଯାଉଥିଲେ। ଏହି ସମୟରେ କଇଠଖଣ୍ଡି ଗ୍ରାମ ନିକଟସ୍ଥ ବୁଲାଣି ରାସ୍ତାରେ ଦିଗପହଣ୍ଡି ଅଭିମୁଖେ ଆସୁଥିବା ନୀଳକଣ୍ଠ ନାମକ ଏକ ଘରୋଇ ବସ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଦୁଃଖଦ ଘଟଣାକୁ ନେଇ ବ୍ଲକ ଶିକ୍ଷକ ମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ବ୍ଲକ ଶିକ୍ଷକ ସଂଘର ସଭାପତି ରାଜେନ୍ଦ୍ର କୁମାର ଗୌଡ଼ଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ମୃତ ଶିକ୍ଷକଙ୍କ ଶେଷ ଦର୍ଶନ କରିଛନ୍ତି । ଏଥିସହ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି। ଅନ୍ୟପଟେ ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରୁଥିବା ଆଇ.ଆଇ.ସି. ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।