ବୁଢ଼ାରଜାରେ ଆର୍ଏସ୍ଏସ୍ର ବିଜୟା ଦଶମୀ ଉତ୍ସବ ସାମାଜିକ ସମରସତା, ନାଗରିକ କର୍ତ୍ତବ୍ୟ ଓ ବ୍ୟକ୍ତିତ୍ୱ ବିକାଶ ଉପରେ ଗୁରୁତ୍ୱ
ସମ୍ବଲପୁର, ୧୮।୧୦ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍), ବୁଢ଼ାରଜା ନଗରର ସନ୍ଥ ଭୀମଭୋଇ ଶାଖା ପକ୍ଷରୁ ପବିତ୍ର ବିଜୟା ଦଶମୀ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ସ୍ଥାନୀୟ ପାର୍କଠାରେ ଆୟୋଜିତ ଏହି ସମାରୋହରେ ବହୁ ସଂଖ୍ୟାରେ ଜନସାଧାରଣ ଓ ସ୍ୱୟଂସେବକ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଭାରତୀୟ ଯୋଗ ସଂସ୍ଥାନର ଉପସଭାପତି ପ୍ରାଣବନ୍ଧୁ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ଏହାପରେ ସ୍ୱୟଂସେବକମାନଙ୍କ ପକ୍ଷରୁ ଆକର୍ଷଣୀୟ ଶାରୀରିକ ପ୍ରଦର୍ଶନ କରାଯାଇଥିଲା। ରାଜକୁମାର ଶର୍ମା ସାମୂହିକ ଗୀତ, ଓମ୍ପ୍ରକାଶ ମହାକୁଡ଼ ଅମୃତ ବଚନ ଏବଂ ଗଗନ କୁମାର ଶବର ବ୍ୟକ୍ତିଗତ ଗୀତ ପରିବେଷଣ କରିଥିଲେ।
ସମ୍ବଲପୁର ମହାନଗର ବୌଦ୍ଧିକ ପ୍ରମୁଖ ସୂର୍ଯ୍ୟ ଲେଙ୍କା ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଜୟା ଦଶମୀର ଐତିହାସିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସଂଘର ଛଅଟି ପ୍ରମୁଖ ଉତ୍ସବ ମଧ୍ୟରୁ ବିଜୟା ଦଶମୀ ଅନ୍ୟତମ। ୧୯୨୫ ମସିହା ବିଜୟା ଦଶମୀ ଦିନ ନାଗପୁରଠାରେ ପରମ ପୂଜନୀୟ ଡା. କେଶବ ବଳିରାମ ହେଡଗେୱାରଙ୍କ ଦ୍ୱାରା ସଂଘର ସ୍ଥାପନା ହୋଇଥିଲା। ତେଣୁ ଏହି ଦିନଟି ସ୍ୱୟଂସେବକମାନଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ଓ ଗୌରବ ବହନ କରେ।
ବିଜୟା ଦଶମୀରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ସହ ପାରମ୍ପରିକ ଶସ୍ତ୍ର ପୂଜନର ମହତ୍ତ୍ୱ ସମ୍ପର୍କରେ ମଧ୍ୟ ସେ ବ୍ୟାଖ୍ୟା କରିଥିଲେ। ଦେବୀ ଦୁର୍ଗା ଦୁଷ୍ଟଶକ୍ତିର ବିନାଶ କରି ଧର୍ମ ଓ ନ୍ୟାୟର ପ୍ରତିଷ୍ଠା କରିଥିବା ପୌରାଣିକ ପ୍ରସଙ୍ଗ ଉଲ୍ଲେଖ କରି ସମାଜରୁ ଭୟ, ଅସ୍ଥିରତା ଓ ଅନ୍ୟାୟ ଦୂର କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ସ୍ୱୟଂସେବକମାନେ ନିୟମିତ ଶାଖା ମାଧ୍ୟମରେ ବ୍ୟକ୍ତିତ୍ୱର ବିକାଶ କରିବା ସହ ସମାଜରେ ପ୍ରଚଳିତ କୁପ୍ରଥା, ଜାତିଭେଦ ଓ ଉଚ୍ଚନୀଚ ମନୋଭାବ ଦୂର କରିବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ। ନାଗରିକ କର୍ତ୍ତବ୍ୟ, ପରିବେଶ ସୁରକ୍ଷା, ସ୍ୱ-ଜାଗରଣ, ସାମାଜିକ ସମରସତା ଓ କୁଟୁମ୍ବ ପ୍ରବୋଧନକୁ ପ୍ରାଥମିକତା ଦେଇ ସଂଘ ନିଜର ଶତାବ୍ଦୀ ବର୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି ବୋଲି ସେ ପ୍ରକାଶ କରିଥିଲେ।
ଏହି ଉତ୍ସବରେ ମହାନଗର ସହ-କାର୍ଯ୍ୟବାହ ଜ୍ୟୋତି ରଞ୍ଜନ ପ୍ରଧାନ ଓ ବୁଢ଼ାରଜା ନଗର କାର୍ଯ୍ୟବାହ ବ୍ୟୋମକେଶ ସାହୁଙ୍କ ସମେତ ନଗରର ବହୁ ସ୍ୱୟଂସେବକ ଉପସ୍ଥିତ ଥିଲେ। ଶେଷରେ ‘ଜୟ ମା’ ଭାରତୀ’ ଧ୍ୱନି ସହ ଉତ୍ସବର ସମାପନ ହୋଇଥିଲା।
