October 19, 2026

ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚଳ ପ୍ରିଣ୍ଟର: ମୋବାଇଲକୁ ପଠାଯାଉଛି ପରୀକ୍ଷା ରିପୋର୍ଟ, ରୋଗୀ ହନ୍ତସନ୍ତ

IMG-20261018-WA0037
Share

 

 

ବଅଁରପାଳ (ଅନୁଗୋଳ):

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମୁଖ୍ୟାଳୟସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାବୋରେଟୋରୀର ପ୍ରିଣ୍ଟିଙ୍ଗ୍ ମେସିନ୍ ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ିରହିଥିବାରୁ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ଶହ ଶହ ଗରିବ ତଥା ସାଧାରଣ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତରଖାନାରେ ରକ୍ତ, ପରିସ୍ରା ଆଦି ବିଭିନ୍ନ ପାଥୋଲୋଜିକାଲ ପରୀକ୍ଷା କରାଯାଉଥିଲେ ମଧ୍ୟ ପ୍ରିଣ୍ଟର ଖରାପ ଥିବାରୁ ରୋଗୀଙ୍କୁ କାଗଜ ରିପୋର୍ଟ (ହାର୍ଡ କପି) ମିଳିପାରୁ ନାହିଁ। ବାଧ୍ୟ ହୋଇ କର୍ମଚାରୀମାନେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ମୋବାଇଲକୁ ଟେଷ୍ଟ ରିପୋର୍ଟ ପଠାଉଛନ୍ତି। ଫଳରେ ଯେଉଁ ଗରିବ, ବୃଦ୍ଧବୃଦ୍ଧା ତଥା ଅପହଞ୍ଚ ଇଲାକାର ଲୋକଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ କିମ୍ବା ଡିଜିଟାଲ୍ ସଚେତନତା ନାହିଁ, ସେମାନେ ରିପୋର୍ଟ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ି ବାନ୍ଧି ଛିଡ଼ା ହେବା ସହ ନାନା ହଇରାଣ ହେଉଛନ୍ତି। ଏପରିକି ଅନେକ ସମୟରେ ଡାକ୍ତରଙ୍କୁ ମୋବାଇଲରୁ ରିପୋର୍ଟ ଦେଖାଇବା ଏବଂ ବାହାରୁ ଟଙ୍କା ଖର୍ଚ୍ଚ କରି ପ୍ରିଣ୍ଟ ଆଣିବା ରୋଗୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।

ସ୍ଥାନୀୟ ବୁଦ୍ଧିଜୀବୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ଏ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ଏହି ସମସ୍ୟା ସମ୍ପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, “ପ୍ରିଣ୍ଟିଙ୍ଗ୍ ମେସିନରେ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି। ଖୁବ୍ ଶୀଘ୍ର ମେସିନ୍ ମରାମତି କରାଯାଇ ରୋଗୀମାନଙ୍କୁ ପୂର୍ବଭଳି ସଠିକ୍ ଭାବେ ରିପୋର୍ଟ ପ୍ରଦାନ ବ୍ୟବସ୍ଥା ସ୍ୱାଭାବିକ କରାଯିବ।”

ତେବେ କେବେ ସୁଦ୍ଧା ଏହି ମେସିନ୍ ସଜଡ଼ା ହେଉଛି ଏବଂ ସାଧାରଣ ଲୋକଙ୍କୁ ଏହି ଯନ୍ତ୍ରଣାରୁ ମୁକ୍ତି ମିଳୁଛି, ତାହା ଦେଖିବାକୁ ବାକି ରହିଲା।

You may have missed