June 18, 2026

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଓ ସାମୁହିକ ଟେବୁଲ ଟପ୍ ଏକ୍ସରସାଇଜ ଅଭ୍ୟାସ ଅନୁଷ୍ଠିତ..

IMG-20260618-WA0035
Share

 

ପାରଳାଖେମୁଣ୍ଡି,

 

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ଏବଂ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଓ ବନ୍ୟା-ବାତ୍ୟା ସମୟରେ ଜନସାଧାରଣଙ୍କୁ କିପରି ସୁରକ୍ଷିତ ବାବେ ଉଦ୍ଧାର କରାଯାଇ ପାରିବ ସେନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଟେବୁଲ ଟପ୍ ଏକ୍ସରସାଇଜ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏସପିସି ଶ୍ରୀ ସୁବୋଧ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ମୁନିଦ୍ର ହୋନନାଗା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ଡେପୁଟି ଏସପି ଶ୍ରୀ ମାଧବ ନନ୍ଦ ନାୟକ, ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ଧୀରେନ କୁମାର ଦାସ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ବିନାୟକ ରାଉଳଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ବନ୍ୟା, ବାତ୍ୟା, ଭୂସ୍ଖଳନ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା କରାଯିବ ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଜିଲ୍ଲାସ୍ତର, ବ୍ଲକ୍ ସ୍ତର ଏବଂ ପାରଳାଖେମୁଣ୍ଡି ପୌରପରିଷଦ ସହ କାଶୀନଗର ବିଜ୍ଞପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ବିପର୍ଯ୍ୟୟ ପରିଚାଳନା ପାଇଁ ବିଭିନ୍ନ ବିଭାଗର ସମନ୍ୱୟ, କାର୍ଯ୍ୟଦକ୍ଷତା ଓ ତତ୍ପରତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ଭାବ୍ୟ ବିପର୍ଯ୍ୟୟ ପୂର୍ବରୁ ପୂର୍ବ ପ୍ରସ୍ତୁତି, ଖାଦ୍ୟ, ଔଷଧ, ପାନୀୟ ଜଳ, ଚୁଡ଼ା, ଗୁଡ଼, କିରୋସିନ ଭଳି ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା, ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନ ଚିହ୍ନଟ କରି ସୁଦୃଢୀକରଣ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନର୍ବାସ ଓ ଥଇଥାନ କାର୍ଯ୍ୟକୁ ସୁଚାରୁ ଭାବେ ପରିଚାଳନା କରିବାକୁ ସମସ୍ତ ବିଭାଗକୁ ପରାମର୍ଶ ଦିଆଯାଇଥିଲା। ସେହିପରି ସ୍ୱାସ୍ଥ୍ୟ, ପ୍ରାଣୀ ଚିକିତ୍ସା, ପାନୀୟ ଜଳ ଓ ପରିମଳ, କୃଷି, ଯୋଗାଣ, ବିଦ୍ୟୁତ ସହ ସମସ୍ତ ଲାଇନ୍ ବିଭାଗର ଅଧିକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସେମାନଙ୍କ ଭୂମିକା ଓ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇଥିଲା। ପରେ ପରେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଟେବୁଲ ଟପ୍ ଏକ୍ସରସାଇଜ ଓ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା। ସେହିପରି ଆସନ୍ତାକାଲି ଅପରାହ୍ନ ୨ଟା ସମୟରେ କାଶୀନଗର ବ୍ଲକ୍ ସ୍ଥିତ ବଂଶଧାରା ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟର ପ୍ରାୟୋଗିକ ଅଭ୍ୟାସ ସ୍ୱରୂପ ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ ଡ୍ରିଲ ଆୟୋଜିତ ହେବ। ଆଜିର ଏହି ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।