ଯୁଯୋମୁରାରେ ସ୍ବାଧୀନତା ସଂଗ୍ରାମୀ ମଧୁ ଗଡତିଆଙ୍କ ଶୌର୍ଯ୍ୟ ଦିବସ ପାଳିତ
ସମ୍ବଲପୁର, ୧୭ । ୧୧:ସ୍ବାଧୀନତା ସଂଗ୍ରାମୀ ତଥା ଅମର ସହିଦ ମଧୁ ଗଡତିଆଙ୍କ ଇଂରେଜ ବିରୁଦ୍ଧରେ ସଂଗ୍ରାମର ବିଜୟ ଦିବସକୁ ସ୍ଥାନୀୟ ଅଞ୍ଚଳରେ ‘ଶୌର୍ଯ୍ୟ ଦିବସ’ ଭାବେ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ମଧୁ ଗଡତିଆ ସ୍ମୃତି କମିଟି ଓ ସ୍ଥାନୀୟ ଗଣ୍ଡ ସମାଜର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ବ୍ଲକର ବିଡିଓ ରାଜେଶ ଏକ୍କା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମଧୁ ଗଡତିଆଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷାବିତ୍ ରାଜେନ୍ଦ୍ର ପଣ୍ଡା ମଧୁ ଗଡତିଆଙ୍କ ସମ୍ପୂର୍ଣ୍ଣ ଜୀବନ ସଂଗ୍ରାମ ଓ ବୀରତ୍ୱ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଜୟନ୍ତ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ଅତିଥିମାନେ ସହିଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିପରି ସ୍ଥାନୀୟ କଲେଜ ପରିସରରେ ଥିବା ସହିଦଙ୍କ ସ୍ମୃତିସ୍ତମ୍ଭ ଓ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ଏକ ଭବ୍ୟ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ଉତ୍ସବ ପୂର୍ବରୁ ଆୟୋଜିତ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ସେହିପରି ନିଜ ନିଜ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଆଦର୍ଶ ବିଦ୍ୟାଳୟର ସୁଚିସ୍ମିତା ପ୍ରଧାନ ଏବଂ ଯୁଯୋମୁରା ସରକାରୀ ଉଚ୍ଚବିଦ୍ୟାଳୟର କୁମୁଦିନି ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ମଧୁ ଗଡତିଆଙ୍କ ପ୍ରଚାର ଓ ପ୍ରସାର ପାଇଁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷାବିତ୍ ରାଜେନ୍ଦ୍ର ପଣ୍ଡା, ସମିତି ସଭ୍ୟ ଜୟନ୍ତ ପ୍ରଧାନ,ଯୁଯୋମୁରାର ପୂର୍ବତନ ସରପଞ୍ଚ ଭୂପିନ୍ଦର ସିଂହ, ଅବନି କୁମୁରା ଗଣ୍ଡ ସମାଜର ମନୋରଞ୍ଜନ ନାୟକ, ସମାଜସେବୀ ସୁରେଶ ପ୍ରଧାନ,ପ୍ରକୃତି ପ୍ରେମୀ ଜଗଦିଶ ପ୍ରଧାନ, ସମ୍ବଲପୁର ଜିଲ୍ଲା ଗଣ୍ଡ ସମାଜର ସଭାପତି ପ୍ରମୁଖଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ନାରୀନେତ୍ରୀ ଲଲିତା ପ୍ରଧାନ, ଦୀପକ ବିଶ୍ୱାଳ, କିରନ ପ୍ରଧାନ, ବିଶୋକ ଭୋଇ, ଅଧ୍ୟାପକ ସୁଶୀଲ ପ୍ରଧାନ, କିଶୋର ଦେହୁରୀ, ଗୁରୁଚରଣ ସାହୁ, ସୁଶାନ୍ତ ସାହୁ ଏବଂ ଗଣ୍ଡ ସମାଜର ବହୁ କର୍ମକର୍ତ୍ତା ସଫଳ ଭାବେ ପରିଚାଳନା କରିଥିଲେ। ଉତ୍ସବରେ ନାକଟିଦେଉଳ, ଜମନକିରା, ରେଢ଼ାଖୋଲ, କେଶାପାଳି, ଗଡଲୁଇସିଂ ଏବଂ ସ୍ଥାନୀୟ ଅଞ୍ଚଳରୁ ବହୁସଂଖ୍ୟାରେ ଗଣ୍ଡ ସମାଜର ମହିଳା ଓ ପୁରୁଷ ଯୋଗଦେଇଥିଲେ। ଶେଷରେ ଶ୍ରୀ ସୁରେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ପରେ ଉପସ୍ଥିତ ସମସ୍ତ ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
