November 18, 2026

କରଚୁଲିରେ ବ୍ୟାପୁଛି ଫାଟୁଆ ରୋଗ,ପ୍ରାଣୀଧନ ନିରୀକ୍ଷକଙ୍କ ଅଣଦେଖା, ଚିନ୍ତାରେ ଗୋପାଳକ

IMG-20261117-WA0072
Share

ବୁଗୁଡ଼ା : ତା ୧୭/୧୧/୨୬ : ବୁଗୁଡ଼ା ବ୍ଲକର କରଚୁଲି ପଞ୍ଚାୟତ ଅନ୍ତର୍ଗତ କରଚୁଲି, ପଥରବଣି ଓ ଜେଏକ ଆଦି ଗ୍ରାମରେ ଗତ ଦୁଇ ସପ୍ତାହ ଧରି ଗାଈଗୋରୁଙ୍କ ମଧ୍ୟରେ ଫାଟୁଆ ରୋଗର ଲକ୍ଷଣ ଦେଖାଦେଇଛି। ଏହାକୁ ନେଇ ଅଞ୍ଚଳର ଗୋପାଳକମାନଙ୍କ ମଧ୍ୟରେ ଚିନ୍ତା ଘାରିଛି । ପ୍ରାପ୍ତ ସୂଚନା ପ୍ରକାରେ, ଆକ୍ରାନ୍ତ ଗାଈଗୋରୁଙ୍କ ମଧ୍ୟରୁ କେତେକଙ୍କ ପାଟିରୁ ଅତ୍ୟଧିକ ଲାଳ ବାହାରୁଥିବା ବେଳେ ଅନ୍ୟ କେତେକଙ୍କ ଶରୀରରେ ଫାଟୁଆ ରୋଗର ଅନ୍ୟାନ୍ୟ ଲକ୍ଷଣ ପରିଲକ୍ଷିତ ହେଉଛି। ରୋଗର ପ୍ରଭାବରେ ଗାଈଗୋରୁମାନେ ଖାଦ୍ୟ ଖାଇବା ଓ ପାଣି ପିଇବାରେ ଅସୁବିଧା ଭୋଗୁଥିବା ସହ ଚାଲିବାରେ ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି। ଏହି ସମସ୍ୟା ସମ୍ପର୍କରେ ଗୋପାଳକମାନେ କରଚୁଲି ପ୍ରାଣୀଧନ ନିରୀକ୍ଷକଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଆଶାନୁରୂପ ସହାୟତା ମିଳିନଥିବା ଅଭିଯୋଗ ହୋଇଛି। ଏପରିକି ଆକ୍ରାନ୍ତ ଗାଈଗୋରୁଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ପରିବର୍ତ୍ତେ ଘରୋଇ ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଉଥିବା ନେଇ ଗୋପାଳକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ଅଞ୍ଚଳ ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ନିଜ ଇଲାକା ହୋଇଥିବା ସତ୍ତ୍ୱେ ଗୋପାଳକମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଆଲୋଚନାର ବିଷୟ ପାଲଟିଛି। ତେଣୁ ଜିଲ୍ଲା ଓ ବ୍ଲକସ୍ତରୀୟ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀମାନେ ତୁରନ୍ତ ଅଞ୍ଚଳ ପରିଦର୍ଶନ କରି ରୋଗର ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତ ଗାଈଗୋରୁଙ୍କ ଚିକିତ୍ସା , ଆବଶ୍ୟକ ଔଷଧ ଯୋଗାଣ ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ସହ କରଚୁଲି ପ୍ରାଣୀଧନ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ସ୍ଥାୟୀ ଅଧିକାରୀ (ଏଲ୍ଆଇ) ନିଯୁକ୍ତ କରିବା ପାଇଁ ଗୋପାଳକଙ୍କ ପକ୍ଷରୁ ଦାବି ହୋଇଛି lଏ ନେଇ ବିଭିଓ ସୁଧାଂଶୁ ଶେଖର ରାଉତଙ୍କୁ ପଚାରିବାରେ ଏହାର ପ୍ରତିକାର କରାଯାଉଛି ବୋଲି ପ୍ରକାଶ କରିଥିଲେ।

You may have missed