November 18, 2026

ସମ୍ଭାବ୍ୟ ବାତ୍ୟା “ଅକଭାନ୍” ଆଶଙ୍କାରେ ବୁଗୁଡା ଅଞ୍ଚଳର ଚାଷୀକୁଳ

IMG-20261117-WA0074
Share

ବୁଗୁଡା : ତା ୧୭/୧୧//୨୬ : ଭାରତୀୟ ପାଣିପାଗ ବିଭାଗର ଅନୁମାନ କ୍ରମେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବାକୁ ଥିବାବେଳେ ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା “ଅକଭାନ୍”କୁ ନେଇ ବୁଗୁଡା ଅଞ୍ଚଳର ଚାଷୀକୁଳ ଚିନ୍ତିତ ଥିବା ଜଣାଯାଇଛି । ଏଥର ଠିକ୍ ସମୟରେ ଆବଶ୍ୟକୀୟ ବର୍ଷା ହେତୁ ଧାନ ଫସଲ ଭଲ ହୋଇଥିଲା ବେଳେ ଗତ ବାତ୍ୟା “ଅର୍ଣ୍ଣବ”ର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ କେତେକ ଅଞ୍ଚଳର ଚାଷଜମିରେ ପାଣି ଭରି ରହିଥିବା କେତେକଙ୍କ କ୍ଷତି ଘଟିଥିଲା ବେଳେ ବାତ୍ଯା “ମୁରାସୁ” ମଧ୍ୟ ଚାଷୀଙ୍କ ମନରେ ଫସଲ କ୍ଷୟକ୍ଷତିର ଆଶଙ୍କା ସୃଷ୍ଟି କରିଥିଲେ ହେଁ ଚାଷୀକୁଳ ସେଥିରୁ ବର୍ତ୍ତିଯାଇଥିଲେ । ବୁଗୁଡା ଅଞ୍ଚଳର ଚାଷୀମାନେ ଅନେକ ସମସ୍ୟା ମଧ୍ୟରେ ଚଢା ଦରରେ ପିଡିଆ କିଣି ଜମିରେ ପକାଇ ଫସଲକୁ ଉଠିଆ କରି ଅଧିକ ଅମଳ କରିବା ଆଶାରେ ରହିଥିବା ବେଳେ ସମ୍ଭାବ୍ୟ ବାତ୍ୟା “ଅକଭାନ୍”ର ଖବର ତାଙ୍କ ପାଇଁ ଆଶଙ୍କା ପାଲଟିଛି। ପୂର୍ବରୁ କେବଳ ଫାଇଲିନ୍ ନୁହେଁ ଦାନା, ହୁଡୁହୁଡୁ ଆଦି ବାତ୍ୟାରେ ହୋଇଥିବା ଫସଲ ହାନିର ଭୟ ପୁଣି ଚାଷୀଙ୍କ ମନକୁ ଶଙ୍କାଗ୍ରସ୍ତ କରୁଛି। ତେଣୁ, କେତେକ ଚାଷୀ ଫସଲ ହାନି ଭୟରେ ତରତର ହୋଇ ନିଜ ନିଜର ଜମିରୁ ପାଚିଲା ଏବଂ ଦରପାଚିଲା ଧାନ କାଟି ଗଦା କରୁଥିବାର ଦେଖିବାକୁ ମିଳିଛି। ତେବେ ପ୍ରାକୃତିକ ବିପର୍ଯ୍ୟୟକୁ ଏଡାଇବାର ଶକ୍ତି ମନୁଷ୍ଯ ପାଖରେ ନଥିବାରୁ ବୁଗୁଡା ଅଞ୍ଚଳର ଚାଷୀକୁଳ ଭଗବାନଙ୍କ ଭରସାରେ ରହିଥିବା ଜଣାଯାଇଛି।

You may have missed