ବରଗଡରେ କୃଷକ ମହାପଞ୍ଚାୟତରେ ରକ୍ତଦାନ ଶିବିର
ବରଗଡ,ତା ୧୭/୧୧(ସୁରେନ୍ଦ୍ର କଠାର) ରାଜ୍ୟସ୍ତରୀୟ କୃଷକ ମହାପଞ୍ଚାୟତ ଅବସରରେ ସଂକଳ୍ପ ପରିବାର, ବରଗଡ଼ ପକ୍ଷରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୨୩ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଦେଶର ଅନ୍ନଦାତା କୃଷକମାନେ କେବଳ ଦେଶବାସୀଙ୍କ ପାଇଁ ଖାଦ୍ୟ ଉତ୍ପାଦନ କରନ୍ତି ନାହିଁ, ମାନବସେବା କ୍ଷେତ୍ରରେ ମଧ୍ୟ ନିଜର ଅବଦାନ ରଖିପାରନ୍ତି, ଏହାର ଉଦାହରଣ ସୃଷ୍ଟି କରି ୨୩ ଜଣ କୃଷକ ଭାଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ଏହି ଅବସରରେ ରାଷ୍ଟ୍ରୀୟ କୃଷକ ନେତା ଶ୍ରୀ ରାକେଶ ଟିକାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ। ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲଙ୍କ ସମେତ ସୁରେନ୍ଦ୍ର ଭୁଏ, ରଞ୍ଜିତ ସାହୁ, ଦେବାଶିଷ ଡାଙ୍ଗ, ଶେଷଦେବ ପ୍ରଧାନ ଓ ଅନନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ବରଗଡ଼ ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ।କୃଷକ ମହାପଞ୍ଚାୟତ ଭଳି ଏକ ବୃହତ୍ ସମାବେଶରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟକୁ ଯୋଡ଼ିବା ସହ ମାନବସେବାର ବାର୍ତ୍ତା ପ୍ରସାର କରିବାରେ ସଂକଳ୍ପ ପରିବାରର ଏହି ପ୍ରୟାସ ପ୍ରଶଂସନୀୟ ହୋଇଛି।
