ଉମରକୋଟ ଠାରେ ସ୍ଵାମୀ ପାଇଁ ନିଷ୍ଠାର ବ୍ରତ — ସାବିତ୍ରୀରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କଲେ ସଧବା ନାରୀ…….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଯୁଗ ବଦଳିଲେ ବି ବଦଳିନି ପରମ୍ପରା ଶଙ୍ଖା-ସିନ୍ଦୂରର ସୁରକ୍ଷା ଓ ସ୍ୱାମୀଙ୍କ ମଙ୍ଗଳ ପାଇଁ ଉପବାସ ରଖି ପୂଜାର୍ଚ୍ଚନା କଲେ ବିବାହିତା ମହିଳାମାନେ। ଜୀବନର ସାଥୀ ଜୀବନସାଥୀ, ସୁଖ ଦୁଃଖର ସାଥୀ, ସାତ ଜନ୍ମର ସାଥୀ । ଝିଅଟିଏ ବାପା ମାଆ ପରେ ଯଦି କାହାକୁ ନିଜର ସବୁକିଛି ବୋଲି ଭାବେ, ସେ ହେଉଛନ୍ତି ତାର ସ୍ୱାମୀ । ବିବାହ ପରେ ଶାଶୂଘର ହୋଇଯାଏ ତାର ନୂଆ ଦୁନିଆ, ଆଉ ସ୍ୱାମୀ ହୋଇଯାଆନ୍ତି ଇହକାଳ-ପରକାଳର ସାଥୀ । ସ୍ୱାମୀର ଖୁସିରେ ଖୁସି ଓ ଦୁଃଖରେ ଦୁଃଖି ହୋଇ ସଂସାର ବାଟ ଚାଲିଥାଏ ସ୍ତ୍ରୀ । ସେଇଥିପାଇଁ ତ ସ୍ତ୍ରୀକୁ “ଅର୍ଦ୍ଧାଙ୍ଗିନୀ”ର ଆଖ୍ୟା ଦିଆଯାଇଛି । ସ୍ତ୍ରୀଟିଏ ସବୁବେଳେ ଚାହେ ତାର ଶଙ୍ଖା-ସିନ୍ଦୂର ବଜ୍ର ରହୁ ଏବଂ ସ୍ୱାମୀ ଦୀର୍ଘାୟୁ ହୁଅନ୍ତୁ । ଏହି କାମନା ନେଇ ସେ ପାଳନ କରେ ସାବିତ୍ରୀ ବ୍ରତ । ସମୟ ଗଡ଼ିବା ସହ ବଦଳୁଛି ଯୁଗ, କିନ୍ତୁ ବଦଳିନି ପରମ୍ପରା । ଯୁଗଯୁଗ ଧରି ଆଜି ମଧ୍ୟ ନିଷ୍ଠା ଓ ଭକ୍ତିର ସହ ପାଳନ ହେଉଛି ସାବିତ୍ରୀ ବ୍ରତ । ସୁଲକ୍ଷଣା ସଧବା ନାରୀଟିଏ ବର୍ଷସାରା ଏହି ଦିନକୁ ଅପେକ୍ଷା କରି ରହିଥାଏ । ନିଜ ସ୍ୱାମୀଙ୍କ ଦୀର୍ଘାୟୁ ଓ ମଥାର ସିନ୍ଦୂରର ଚିର ସ୍ଥାୟୀତ୍ୱ ପାଇଁ ସେ ଉପବାସ ରହି ପୂଜାର୍ଚ୍ଚନା କରିଥାଏ । ପୁରାଣ ଅନୁସାରେ, ସତ୍ୟବାନଙ୍କ ପତ୍ନୀ ସାବିତ୍ରୀଙ୍କ ଏକାଗ୍ରତା, ପବିତ୍ରତା ଓ ପତିବ୍ରତା ଆଗରେ ଯମରାଜ ମଧ୍ୟ ହାର ମାନିଥିଲେ । କଠୋର ତପସ୍ୟା ଓ ଅଟୁଟ ନିଷ୍ଠାରେ ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଥିଲେ । ସେହି ଦିନଠାରୁ ଜ୍ୟେଷ୍ଠ ଅମାବାସ୍ୟାରେ ସଧବା ନାରୀମାନେ ମାଆ ସାବିତ୍ରୀଙ୍କୁ ସ୍ମରଣ କରି ବ୍ରତ ପାଳନ କରିଆସୁଛନ୍ତି । କୁହାଯାଏ, ମାଆ ସାବିତ୍ରୀ ଜଙ୍ଗଲ ମଧ୍ୟରେ ପୂଜାର୍ଚ୍ଚନା କରି ସତ୍ୟବାନଙ୍କୁ ଫେରାଇ ଆଣିଥିଲେ । ସେଥିପାଇଁ ଏହି ଦିନ ଫଳମୂଳ ନେଇ ଚଉଁରା ପାଖରେ ପୂଜା କରାଯାଏ । କିଛି ସ୍ଥାନରେ ବଟଗଛକୁ “ବଟ ସାବିତ୍ରୀ” ଭାବେ ପୂଜା କରାଯାଏ । ମହିଳାମାନେ ଉପବାସ ରହି ବଟ ଗଛ ମୂଳରେ ପୂଜାର୍ଚ୍ଚନା କରି ସ୍ୱାମୀଙ୍କ ଦୀର୍ଘାୟୁ କାମନା କରନ୍ତି । ତେବେ ଯୁଗ ଯେତେ ବି ବଦଳୁନା କାହିଁକି, ସ୍ୱାମୀ ପାଇଁ ସ୍ତ୍ରୀର ଏହି ନିଷ୍ଠା, ଭଲପାଇବା ଓ ପତିବ୍ରତା ଆଜି ମଧ୍ୟ ଅମର ହୋଇ ରହିଛି ।
