April 26, 2026

ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢ଼ ପାଇଁ ରାଷ୍ଟ୍ରୀୟ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ : ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୟାରାମ ରାୟ

IMG-20251115-WA0018
Share

 

ବ୍ରହ୍ମପୁର(ଅକ୍ଷୟ ଶତପଥୀ)ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ଵରାଜ୍‌‍ ସ୍ଵପ୍ନକୁ ସଫଳ କରିବା ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଏବଂ ସରପଞ୍ଚମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରିବା ପାଇଁ ଲୋକସଭାରେ 73ତମ ସାମ୍ୱିଧାନିକ ସଂଶୋଧନ ପାରିତ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଅଧ୍ୟକ୍ଷ ଦୟାରାମ ରାୟ ପ୍ରକାଶ କରିଛନ୍ତି ।

ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ, ଓଡ଼ିଶା ଶାଖାର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ୍‌‍ ହାଉସ ଠାରେ ଏ ସମ୍ପର୍କରେ ଆୟୋଜିତ ବୈଠକରେ ସରପଞ୍ଚମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ସରକାରୀ ସ୍ତରରେ ରହୁଥିବା ଚାପରୁ ମୁକ୍ତ କରିବା, ସେମାନଙ୍କ କାର୍ଯ୍ୟ ପରିସରକୁ ବ୍ୟାପକ କରିବା, ଗ୍ରାମର ଉନ୍ନତି ଦିଗରେ ଆସୁଥିବା ଅନୁଦାନକୁ ସଠିକ୍‌‍ ବିନିଯୋଗ କରିବା ସହିତ ନକ୍ସଲ ପ୍ରଭାବିତ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ଜନତାଙ୍କ ସ୍ଵାର୍ଥରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ସଂଗଠନ ପକ୍ଷରୁ ସଚେତନତା ସୃଷ୍ଟି କରିବା ପାଇଁ ଗୁରୁତ୍ଵାରୋପ କରାଯାଇଥିଲା। ସରପଞ୍ଚମାନେ ବିଭିନ୍ନ ସମୟରେ ସମ୍ମୁଖୀନ ହେଉଥିବା ସରକାରୀ ଓ ଅସାମାଜିକ ତତ୍ତ୍ୱମାନଙ୍କ ହସ୍ତକ୍ଷେପକୁ ଦୂରୀଭୁତ କରିବା ଦିଗରେ ସଂଗଠନ ପକ୍ଷରୁ ପଦକ୍ଷେପ ନିଆଯାଇ ଖୁବଶୀଘ୍ର ରାଜ୍ୟର ସବୁ ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ ବୋଲି ଶ୍ରୀ ରାୟ ପ୍ରକାଶ କରିଥିଲେ ।

ଏହି ବୈଠକରେ କେନ୍ଦ୍ରୀୟ କମିଟି ସଦସ୍ୟା ସବିତା ସାହୁକାର, ଗଜପତି ଜିଲ୍ଲା ସଂଯୋଜକ ଗଣେଶ ବିଷୋୟୀ, ସୁବ୍ରତ ପୂଜାରୀ, ସଂଜୟ ଆଚାରୀ, ନବୀନର ପ୍ରକାଶିକା ମଞ୍ଜୁ ରଥ, ସୁଶାନ୍ତ କର, ଦୀପକ ମହାନ୍ତି, ରଂଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ, କେ. ରବି ବାବୁ, ମିହିର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୂର୍ବାହ୍ନରେ ନବୀନ ଭବନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 

 

(ରବି ରଥ)

ସଭାପତି

ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଓଡ଼ିଶା ଶାଖା